ଆଜି ବିଜ୍ଞାନ ସଫଳତାର ଶୀର୍ଷରେ ପହଞ୍ଚିଛି । ଅନେକ ରୋଗର ଚିକିତ୍ସା ପାଇଁ ଓୌଷଧ ପ୍ରସ୍ତୁତ କରି ସମାଜକୁ ନୂତନ ଜୀବନ ମଧ୍ୟ ଦେଇଛି । ହେଲେ ଆଜି ବି ବିଶ୍ୱରେ ଅନେକ ଗମ୍ଭୀର ରୋଗ ରହିଛି, ଯାହାର କୌଣସି ଚିକିତ୍ସା ମିଳିନାହିଁ । ଏହି କାରଣରୁ ଫେବୃୟାରୀ ଶେଷ ଦିନରେ 'ରେୟାର୍‌ ଡିଜିଜ୍‌ ଡେ' ପାଳନ କରାଯାଇଥାଏ । ଏହା ପ୍ରଥମେ ୟୁରୋପ-କାନାଡାରେ ୨୦୦୮ ମସିହା ଫେବୃୟାରୀ ୨୯ ତାରିଖରେ ପାଳନ କରାଯାଇଥିଲା । ଏହି ତାରିଖକୁ 'ରେୟାର୍‌ ଡିଜିଜ୍‌ ଡେ' ଭାବରେ ପାଳନ କରିବା ପାଇଁ ବାଛି ଦିଆଯାଇଥିଲା, କାରଣ ଏହା ମଧ୍ୟ ଏକ ବିରଳ ଦିନ, ଯାହା ପ୍ରତି ଚାରି ବର୍ଷରେ ଥରେ ଆସେ । 

ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ସେହି ରୋଗଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା, ଯାହାର ଚିକିତ୍ସା ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ହେଲେ ଏହା ସତ ବୋଲି ପ୍ରମାଣିତ ହୋଇଛି । ଆଜିର ଦିନରେ ବିଜ୍ଞାନ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାରେ ମଧ୍ୟ ସକ୍ଷମ । ହେଲେ ବିଶ୍ୱରେ ଅନେକ ଗମ୍ଭୀର ରୋଗ ଅଛି ଯାହାର କୌଣସି ଚିକିତ୍ସା ନାହିଁ । ତେବେ ଆସନ୍ତୁ ଜାଣିବା ସେହି ରୋଗ ବିଷୟରେ ।

ସ୍କ୍ଲେରୋଡର୍ମା-

ସ୍କ୍ଲେରୋଡର୍ମା ରୋଗ ଏପରି ଏକ ରୋଗ ଯେଉଁଥିରେ ତ୍ୱଚାର ସମସ୍ତ କୋଷ ଗୁଡ଼ିକ ମରିଯାଇଥାଏ । ଏବଂ ତ୍ୱଚା ଉପରେ ଏକ ପତଳା ପରସ୍ତ ହୋଇଯାଇଥାଏ । ଏହି ରୋଗ ହେଲେ ରୋଗୀର ଚର୍ମରେ ଦରଜ ହେବା ସହ ଜଳାପୋଡ଼ା ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦେଇଥାଏ । 

ଫାଇବ୍ରୋଡିସ୍‌ପ୍ଲାସିୟା ଓନ୍‌ସିଫିକାନ୍ସ ପ୍ରୋଗ୍ରେସିବା(FOP)-

ଏଫ୍‌ଓପି ଏପରି ଏକ ରୋଗ, ଯେଉଁଥିରେ ଶରୀରରେ ହାଡର କୋଷ ଗୁଡ଼ିକ ଅସାଧାରଣ ଭାବରେ ବଢିବାକୁ ଲାଗିଥାଏ । ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ହାଡ଼ ଆସ୍ତରଣ ଜମା ହେବା ଆରମ୍ଭ କରେ । ଏହି ରୋଗ ଯୋଗୁଁ ହାଡ଼ରେ ଯନ୍ତ୍ରଣା ଏବଂ ଷ୍ଟିଫ୍‌ ହୋଇଯିବା ଭଳି ସମସ୍ୟା ଦେଖାଦେଇଥାଏ।

ପ୍ରୋଜେରିୟା-

ଏହା ଏପରି ଏକ ବିରଳ ରୋଗ ଯେଉଁଥିରେ, ପିଲାର ବୟସ ତୁଳନାରେ ଶାରିରୀକ ବୃଦ୍ଧି ପ୍ରକ୍ରିୟା ଦ୍ରୁତ ଗତିରେ ହୋଇଥାଏ । ଅର୍ଥାତ, ଯୁବାବସ୍ଥାରେ ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଥାଏ । ଏହି ରୋଗ ହୋଇଥିବା ରୋଗୀର ତ୍ୱଚାରେ କୁଞ୍ଚନ, କେଶ ଝଡ଼ିବା ସହ ହାଡ଼ ଦୁର୍ବଳ ହୋଇଯାଇଥାଏ । 

ଏଲିସ୍‌ ଭ୍ୟାନ୍‌ କ୍ରେଭେଲ୍ଡ ସିଣ୍ଡ୍ରୋମ୍‌-

ଏହି ରୋଗରେ ପୀଡ଼ିତ ରୋଗୀର ଆଙ୍ଗୁଠି ଏବଂ ପାଦର ଆଙ୍ଗୁଠିରେ ବିକୃତି ଦେଖିବାକୁ ମିଳିଥାଏ । ଏହି ରୋଗ ଯୋଗୁଁ ରୋଗୀମାନଙ୍କୁ ଚାଲିବାରେ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହା ହାଡ଼ ବିକାର ସହ ଜଡିତ ଏକ ଜେନେଟିକ୍ ରୋଗ ।

ମୋର୍ଫିଆ-

ମୋର୍ଫିଆ ଏକ ଅଟୋଇମ୍ମ୍ୟୁନ୍ ଡିସଅର୍ଡର୍‌ । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଚର୍ମ ଧୀରେ ଧୀରେ ବଢ଼ିବାକୁ ଲାଗେ ଏବଂ ଶରୀର ଉପରେ ଏକ ମୋଟା ଆସ୍ତରଣ ଜମା ହୋଇଯାଇଥାଏ । ଏହି ରୋଗ ହେବା ଦ୍ୱାରା ଚର୍ମରେ ଅସହ୍ୟ ଯନ୍ତ୍ରଣା, ଜଳାପୋଡ଼ା ଏବଂ କୁଣ୍ଡାଇ ହୋଇଥାଏ ।

ଏହି ରୋଗଗୁଡ଼ିକର ମଧ୍ୟ କୌଣସି ସ୍ଥାୟୀ ଚିକିତ୍ସା ନାହିଁ-

  • ଏଡ୍‌ସ (HIV)ର କୌଣସି ସ୍ଥାୟୀ ଚିକିତ୍ସା ଏପର୍ଯ୍ୟନ୍ତ ମିଳିନାହିଁ।
  • କର୍କଟ ରୋଗର ମଧ୍ୟ କୌଣସି ଚିକିତ୍ସା ନାହିଁ।
  • ଆଲଜାଇମର ରୋଗ ହେଲେ ମସ୍ତିଷ୍କ କୋଷଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୁଏ ଏବଂ ଏହାର କୌଣସି ଚିକିତ୍ସା ନାହିଁ ।
  • ପାର୍କିଂସନ୍ସ ରୋଗର ମଧ୍ୟ କୌଣସି ସ୍ଥାୟୀ ଚିକିତ୍ସା ନାହିଁ।
  • ମାଂସପେଶୀ ଆଟ୍ରୋଫି ରୋଗ ହେଲେ ଶରୀରର ମାଂସପେଶୀ କ୍ଷତିଗ୍ରସ୍ତ ହୁଏ । ଏହି ରୋଗର ମଧ୍ୟ କୌଣସି ଚିକିତ୍ସା ନାହିଁ।