ନୂଆଦିଲ୍ଲୀ, ୧୬/୦୮ : ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ରୁଦ୍ଧଦ୍ଵାର ବୈଠକ। ଆମେରିକା ଓ ଋଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ୩ ଘଣ୍ଟାର ଆଲୋଚନା ପରେବି ବାହାରିଲାନି ନିଷ୍କର୍ସ। ୟୁକ୍ରେନ୍ ଯୁଦ୍ଧ ବିରାମ ନେଇ ହେଲାନି ସହମତି। ଭାରତ ପାଇଁ ବଢିବ କି ଅଡ଼ୁଆ ? ଟ୍ରମ୍ପ କହିଲେ, 'ଖୁବ୍ ସକାରାତ୍ମକ ଓ ଫଳପ୍ରଦ ଆଲୋଚନା ହୋଇଛି। ନିଷ୍କର୍ସରେ ପହଞ୍ଚି ପାରିନୁ, କିନ୍ତୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ବିଭିନ୍ନ କଥା ଉପରେ ସହମତି ହୋଇଛି, ଅଳ୍ପ କିଛି ବାକି ଅଛି। ନିଷ୍କର୍ସରେ ନପହଞ୍ଚିବା ଯାଏଁ କୌଣସି ଡିଲ୍ ହେବନି।'
ସେହିପରି ପୁଟିନ କହିଛନ୍ତି ଯେ, 'ଟ୍ରମ୍ପଙ୍କ ସହ ସକାରାତ୍ମକ ବୈଠକ ହୋଇଛି। ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ ୟୁକ୍ରେନ ସହ ଯୁଦ୍ଧ ହୋଇନଥାନ୍ତା। ମସ୍କୋରେ ପରବର୍ତ୍ତୀ ବୈଠକ ପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ।' ଆମେରିକା ମିଡିଆ ରିପୋର୍ଟ ଅନୁଯାୟୀ, ଦୁଇ ପକ୍ଷ ନେତାଙ୍କ ବୈଠକ ସମୟରେ ଉତ୍ତେଜନାପୂର୍ଣ୍ଣ ମାହୋଲ ଥିଲା। କିଛି ଠିକ୍ଠାକ୍ ଲାଗୁନଥିଲା।
ସୂଚନା, ରୁଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଆଲାସ୍କାର ଏଲମେଣ୍ଡର୍ଫ-ରିଚାର୍ଡସନ ସାମରିକ ଘାଟିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଟ୍ରମ୍ପଙ୍କ ସହ ମାର୍କୋ ରୁବିଓ ଏବଂ ୱିଟକଫଙ୍କ ସହିତ ଅନ୍ୟ କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ରୁଷ ପକ୍ଷରୁ ସର୍ଗେଇ ଲାୱରୋଭ, ଅର୍ଥମନ୍ତ୍ରୀ ଏଣ୍ଟୋନ ସିଲୁଆନୋବ ଏବଂ ଅର୍ଥନୈତିକ ପରାମର୍ଶଦାତା କିରିଲ ଦିମିତ୍ରିଏଭ୍ ପୁଟିନଙ୍କ ସହିତ ଉପସ୍ଥିତ ଥିଲେ। ତେବେ ବୈଠକରେ ଉଭୟ ପକ୍ଷ ମଧ୍ୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ୨୦୧୯ ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଦ୍ଵିପାକ୍ଷିକ ବୈଠକ।
ଭାରତ ପାଇଁ ବଢ଼ିପାରେ ଅଡ଼ୁଆ
ଆମେରିକା ଏବଂ ରୁଷ ମଧ୍ୟରେ ଆଲୋଚନା ଅସଫଳ ହେବା ପରେ ଭାରତ ପାଇଁ ଅଡ଼ୁଆ ବଢିପାରେ। ଆମେରିକୀୟ ଏକ୍ସପର୍ଟ ମାଇକେଲ କୁଗେଲମ୍ୟାନ୍ ଏକ୍ସରେ ଲେଖିଛନ୍ତି ଯେ, କୌଣସି ଡିଲ୍ ନେଇ ଘୋଷଣା ନହେବା ଅର୍ଥ ଦ୍ଵିପାକ୍ଷିକ ଆଲୋଚନା ସଫଳ ହୋଇନି। ଏହାଦ୍ଵାରା ଭାରତ-ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢିପାରେ। ଏହା ପୂର୍ବରୁ ଆମେରିକାର ଅର୍ଥମନ୍ତ୍ରୀ ବେସେଣ୍ଟ କହିଥିଲେ ଯେ, ଯଦି ଟ୍ରମ୍ପ-ପୁଟିନଙ୍କ ବୈଠକରେ କୌଣସି ନିଷ୍କର୍ସ ନବାହାରେ ତାହେଲେ ଭାରତ ଉପରେ ଆମେରିକା ଟାରିଫ୍ ବଢାଇବ।
ଏହି ଖବରଟିକୁ ପଢନ୍ତୁ- ଟ୍ରମ୍ପ-ପୁଟିନ ବୈଠକ; ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଆଲାସ୍କାର ଏଙ୍କୋରେଜ ସହର, ୩୦୦ କିମି ନୋ-ଫ୍ଲାଇ ଜୋନ୍ ଘୋଷଣା