ପୁରୀ, ୧୧।୧ : ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ହେବ ନାହିଁ ଧାଡି ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ନାଟମଣ୍ଡପରେ କିଛି ହୁଣ୍ଡି ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେ ସବୁକୁ ଅପସାରଣ କରାଯିବ। ଏହାପରେ ନାଟମଣ୍ଡପରେ ଭକ୍ତଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ ।
ସେହିପରି ଖୁବଶୀଘ୍ର ପରିଚାଳନା କମିଟି ଗଠନ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କମିଟି ଗଠନ ହେବା ପରେ କମିଟିର ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ସେପଟେ ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖିବ ଏଏସଆଇ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଆସନ୍ତା ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖରେ ମକର ସଂକ୍ରାନ୍ତି ଥିବାରୁ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୬ ତାରିଖରୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପୁର୍ନବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ।