ହାଇଦ୍ରାବାଦ, ୧୭/୦୩: ଟ୍ରୋଲର୍ସଙ୍କୁ କଡା  ଚେତବାନୀ ଦେଇଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ  ରେୱନ୍ତ ରେଡ୍ଡୀ । ସେ କହିଛନ୍ତି ତାଙ୍କ ବିରୋଧରେ ଅପଶବ୍ଦ କହୁଥିବା କିମ୍ବା ଲେଖୁଥିବା ଲୋକଙ୍କୁ ରାସ୍ତାରେ ଠିଆ କରି ଉଲ୍ଲଗ୍ନ କରି ପିଟିବେ ।  ରାଜ୍ୟରେ ଦୁଇଜଣ ମହିଳା ସାମ୍ବାଦିକଙ୍କ  ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ  ସାମ୍‌ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ  ମହିଳା ସାମ୍ବାଦିକ ଦ୍ୱୟ ସୋସିଆଲ ମିଡିଆରେ  ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । 

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ ପ୍ରତି ତାଙ୍କର ସମ୍ମାନ ରହିଛି । ସେଥିପାଇଁ  ସେ ଚୁପ୍‌ ରହିଛନ୍ତି । ଏହା ତାଙ୍କର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ । ସେ ଯାହାବି କରିବେ ଆଇନ ପରିସର ଭିତରେ କରିବେ । ସେ ଚୁପ୍‌ ରହିଛନ୍ତି କାରଣ ସେ ମୁଖ୍ୟମନ୍ତ୍ରୀ । ଅପଶବ୍ଦ କହୁଥିବା ଲୋକଙ୍କୁ ଲଙ୍ଗଳା କରି ରାସ୍ତାରେ ଠିଆ କରିବା ସହ ପିଟିପାରିବେ । ଏଭଳି ଲକ୍ଷ ଲକ୍ଷ ଲୋକ ଅଛନ୍ତି ତାଙ୍କ କଥା ଶୁଣିବା ପରେ ପିଟିବା ଲାଗି ରାସ୍ତାକୁ ଓହ୍ଲାଇ  ଆସିବେ । ସେ ନିଜ ପଦମର୍ଯ୍ୟଦା ଦୃଷ୍ଟିରୁ ସବୁ କିଛି ସହି ଯାଉଛନ୍ତି । 

ରେୱନ୍ତ ଆହୁରି ମଧ୍ୟ କହିଛନ୍ତି ସେ ସାର୍ବଜନୀକ ଜୀବନରେ ରହିଥିବାରୁ ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ  ତାଙ୍କ ପରିବାର ସଦସ୍ୟଙ୍କୁ କାହଁକି ଟାର୍ଗେଟ କରାଯାଉଛି । ସାମ୍ବାଦିକତା ନାମରେ ସୋସିଆଲ  ମିଡିଆରେ ଆପତ୍ତିଜନକ ବିଷୟର ପ୍ରଚାରପ୍ରସାର  କରିବା ସଂସ୍କୃତିକୁ କେବେ ବି ସେ ବରଦାସ୍ତ  କରିବେ ନାହିଁ । 

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ  ରେୱନ୍ତଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ  ପୋଷ୍ଟ କରିବା ଅଭିଯୋଗରେ ଗତ ୧୦ ତାରିଖରେ ରେବତୀ ପୋଙ୍ଗଦଣ୍ଡା ଓ ସନ୍ଧ୍ୟା ଓରଫ ତନ୍‌ଭି  ଯାଦବ ନାମକ ଦୁଇଜଣ ସାମ୍ବାଦିକଙ୍କ ବିରୋଧରେ  ମାମଲା ରୁଜୁ କରାଯାଇଥିଲା। ସେମାନେ  ପଲ୍‌ସ ନ୍ୟୁଜ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ । ଏହା ପରେ ମାର୍ଚ୍ଚ ୧୨ରେ ଉଭୟଙ୍କୁ  ଗିରଫ କରାଯାଇଥିଲା । ପୁଲିସର ଅଭିଯୋଗ ଯେ  ମହିଳା ସାମ୍ବାଦିକ ଦ୍ୱୟ ବିରୋଧୀ ଦଳ ବିଆରଏସ୍‌  ଅଫିସରେ ଉକ୍ତ ଭିଡିଓ ସୁଟିଂ କରି ତାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଛାଡିଥିଲେ।