ନୂଆଦିଲ୍ଲୀ,୨୧।୫: କ’ଣ ଜଣେ କର୍ମଚାରୀ ନିଜ ବସ୍ କାମ ବିଷୟରେ ପରାମର୍ଶ ମାଗିବା ଅପରାଧ କି ? ଆଉ ଯଦି ବସ୍ ଏଥିରେ ବିରକ୍ତ ହୋଇ କର୍ମଚାରୀଙ୍କୁ ଚାକିରୀରୁ ବାହାର କରି ଦିଅନ୍ତି ତାହା ନିହାତି ପକ୍ଷେ ସମସ୍ତଙ୍କୁ ଚକିତ କରିବ। ନୋଏଡାର ଏକ କମ୍ପାନୀରେ ଘଟିଥିବା ଘଟଣା ଏବେ କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ମଧ୍ୟ ବିତର୍କର କାରଣ ପାଲଟିଛି। କିଛି ୟୁଜର ବସ୍ଙ୍କୁ ନିଷ୍ପତ୍ତିକୁ ଭୁଲ କହିଥିବା ବେଳେ ଆଉ କିଛି ଏହାକୁ ଠିକ୍ ବୋଲି ମଧ୍ୟ କହିଛନ୍ତି। ଏପରିକି ସୋସିଆଲ ମିଡିଆରେ ସିଇଓ ବି ନିଜର ପ୍ରତିକ୍ରିୟା ରଖିଛନ୍ତି।
ଆଜିର ସମୟରେ କମ୍ପାନୀଗୁଡ଼ିକ କେବଳ କଠିନ ପରିଶ୍ରମ ନୁହେଁ ବରଂ ଦାୟିତ୍ୱ ନେବାର କ୍ଷମତାକୁ ମଧ୍ୟ ଗୁରୁତ୍ବ ଦିଅନ୍ତି। ଯାହାକି ନିକଟରେ ନୋଏଡା ସ୍ଥିତ ଏକ କମ୍ପାନୀର ଘଟଣାରୁ ସ୍ପଷ୍ଟ ହୋଇଛି। ନୋଏଡାର ‘ଇନଷ୍ଟାଆଷ୍ଟ୍ରୋ’ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନୀତିନ ବର୍ମା ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ତାଙ୍କ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀଙ୍କୁ କାମ ବିଷୟରେ ପରାମର୍ଶ ମାଗିବା କାରଣରୁ ଚାକିରିରୁ ବାହାର କରିଦେଇଛନ୍ତି।
ନିଜେ ନୀତିନ ବର୍ମା ଏହି ଘଟଣା ବିଷୟରେ ଲିଙ୍କଡିନ୍ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେଉଁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ସେ ଜଣେ ସିନିୟର ପ୍ରଫେସନାଲ ଥିଲେ। ତାଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଥିଲା,ଯେପରି ତାକୁ ସେହି କାମ ସମ୍ଭାଳିବାକୁ ନପଡେ। ଏଥିପାଇଁ ମୋଟା ଅଙ୍କର ଦରମା ବି ନେଉଥିଲେ। କର୍ମଚାରୀ ଜଣଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । କୌଣସି ପ୍ରକାର କଟକଣା ନଥିଲା, କିନ୍ତୁ କର୍ମଚାରୀ ଜଣକ ଦିନେ ତାଙ୍କ ପାଖକୁ ଆସିଲେ ଏବଂ ପଚାରିଲେ ସାର୍ ଆଗକୁ କ’ଣ କରିବାର ଅଛି ? ମୁଁ ତାଙ୍କୁ ପଚାରିଲି ଏବେ ତାଙ୍କ ହିସାବରେ କ’ଣ କରିବାର ଅଛି ? ଏହାର ଉତ୍ତରରେ କର୍ମଚାରୀ ଜଣକ ଉତ୍ତର ଦେଲେ ଆପଣ ଭଲ ଭାବରେ ଜାଣନ୍ତି। ଏହାପରେ ପଚାରିଥିଲି ତୁମକୁ କାହିଁକି ଚାକିରୀ ଦେଇଛି ? ତା ପରେ ସେ ନୀରବ ରହିଥିଲେ। ଏହି କାରଣରୁ ମୁଁ ତାଙ୍କୁ ଚାକିରୀରୁ ବାହାର କରିଦେଲି।’
ନୀତିନଙ୍କ ମତରେ ‘ଫଲୋଅର୍ସ ନୁହେଁ ଲିଡର’ ଦରକାର। ସିନିୟରଙ୍କୁ ନିଜସ୍ୱ ନିଷ୍ପତ୍ତି ଏବଂ ପଦକ୍ଷେପ ନେବାର କ୍ଷମତା ରହିବା ଉଚିତ।। ଏହା ଶିଖାଇ ହେବ ନାହିଁ। ତାଙ୍କ ଅନୁସାରେ, ଯଦି ଜଣେ କର୍ମଚାରୀଙ୍କୁ ପ୍ରତ୍ୟେକ ଛୋଟ ଛୋଟ ଜିନିଷ ଉପରେ ନିର୍ଦ୍ଦେଶ ଆବଶ୍ୟକ ହୁଏ, ତେବେ ସେମାନେ କମ୍ପାନୀକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରିବେ ନାହିଁ। ଦାୟିତ୍ୱ ବିନା ସ୍ୱାଧୀନତା କେବଳ ଏକ ଭ୍ରମ। ମୁଁ ଏପରି ଲୋକଙ୍କ ସହିତ କମ୍ପାନୀ ଆଗକୁ ବଢାଇ ପାରିବିନି, ଯେଉଁମାନଙ୍କୁ ସବୁବେଳେ କହିବାକୁ ପଡିବ ତାଙ୍କୁ କ’ଣ କରିବାକୁ ହେବ।’
ଅନେକ ସିଇଓଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ମହାସଂଗ୍ରାମ। କିଛି ୟୁଜର କହିଛନ୍ତି କୌଣସି କର୍ମଚାରୀ, ଯେତେ ଅନୁଭବୀ ହୁଅନ୍ତୁ ନା କାହିଁକି, ପ୍ରଥମେ କମ୍ପାନୀର ଭିଜନ୍ ବୁଝିବାକୁ ଚାହାନ୍ତି। କିଛି ୟୁଜର ସିଇଓଙ୍କୁ ‘ଅହଂକାରୀ’ ବୋଲି ମଧ୍ୟ କହିଛନ୍ତି। ଆଉ କିଛି ତାଙ୍କର ‘ମାଲିକାନା’ ମନୋଭାବକୁ ଠିକ୍ ବୋଲି କହିଛନ୍ତି। ଏହି ପୁରା ମାମଲା କେବଳ ଚାକିରି ହରାଇବା ବିଷୟରେ ନୁହେଁ, ବରଂ ଆଜିର ସମୟରେ ବସ୍ ଏବଂ କର୍ମଚାରୀଙ୍କ ମଧ୍ୟରେ ପରିବର୍ତ୍ତିତ ସମ୍ପର୍କର ଏକ ଶକ୍ତିଶାଳୀ ଉଦାହରଣ ପାଲଟିଛି।