ଉତ୍ତରପ୍ରଦେଶ, ୨।୭: ନୋଏଡ଼ା ଏବଂ ଗ୍ରେଟର ନୋଏଡାରେ ଇ-ରିକ୍ସା ଚଲାଉଥିବା ହଜାର ହଜାର ଡ୍ରାଇଭରଙ୍କ ମଧ୍ୟରେ ଏବେ ଏକ ନୂଆ ଚିନ୍ତା ଦେଖାଦେଇଛି । ଅନେକ ଇ-ରିକ୍ସା ଡ୍ରାଇଭରଙ୍କ ଦାବି ଅନୁଯାୟୀ, କୌଣସି ବାହ୍ୟ ଯାନ୍ତ୍ରିକ ତ୍ରୁଟି ନଥାଇ ମଧ୍ୟ ସେମାନଙ୍କ ଗାଡ଼ି ହଠାତ୍ ଚାଲୁ ଚାଲୁ ରାସ୍ତା ମଝିରେ ବନ୍ଦ ହୋଇଯାଉଛି । କିଛି ଅସାମାଜିକ ବ୍ୟକ୍ତି ମୋବାଇଲ୍ ଫୋନ୍ ଜରିଆରେ ଇ-ରିକ୍ସାର ବ୍ୟାଟେରୀକୁ ସୁଇଚ୍ ଅଫ୍ କରିଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଡ୍ରାଇଭରମାନଙ୍କ କହିବା ଅନୁଯାୟୀ, ଗାଡ଼ି ସମ୍ପୂର୍ଣ୍ଣ ଠିକ୍ ଥିଲେ ମଧ୍ୟ ହଠାତ୍ ବନ୍ଦ ହୋଇଯାଉଛି । ବ୍ୟାଟେରୀ, ମୋଟର କିମ୍ବା ଅନ୍ୟ ଯାନ୍ତ୍ରିକ ଅଂଶ ଯାଞ୍ଚ କରିବା ପରେ ମଧ୍ୟ କୌଣସି ତ୍ରୁଟି ମିଳୁନାହିଁ । ଏହାଦ୍ୱାରା ଡ୍ରାଇଭରମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ହଇରାଣ ହେଉଛନ୍ତି । ଏପରିକି ଯାତ୍ରୀମାନଙ୍କୁ ଅଧା ବାଟରୁ ଓହ୍ଲାଇବାକୁ ପଡ଼ୁଛି, ଯାହା ଫଳରେ ଡ୍ରାଇଭରମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି । ଗୌତମବୁଦ୍ଧ ନଗର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଏଭଳି ସ୍ଥିତି ଜାରି ରହିଲେ ହଜାର ହଜାର ଡ୍ରାଇଭରଙ୍କ ଜୀବିକା ବିପନ୍ନ ହେବା ସହ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇପାରେ ।

ଯାନ୍ତ୍ରିକ ବିଶେଷଜ୍ଞଙ୍କ ଅନୁଯାୟୀ, କେତେକ ଆଧୁନିକ ଇ-ରିକ୍ସାରେ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମକୁ ବ୍ଲୁଟୁଥ୍ କିମ୍ବା ମୋବାଇଲ୍ ଆପ୍ ଜରିଆରେ ନିୟନ୍ତ୍ରଣ କରିବାର ସୁବିଧା ଥାଏ । ଯଦି ଏହାର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥାଏ, ତେବେ ବାହାର ବ୍ୟକ୍ତି ଏହାକୁ ହ୍ୟାକ୍ କରିବାର ସମ୍ଭାବନା ରହିଛି । ଏହି ମାମଲାରେ ‘BAT-BMS’ ନାମକ ଏକ ମୋବାଇଲ୍ ଆପ୍‌ର ବ୍ୟବହାର କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଯଦି କେହି ଏହି ଆପ୍ ସାହାଯ୍ୟରେ ଇ-ରିକ୍ସାର ସିଷ୍ଟମ ସହ କନେକ୍ଟ ହୋଇଯାଏ, ତେବେ ସେ ରିମୋଟ୍ ଜରିଆରେ ବ୍ୟାଟେରୀକୁ ସୁଇଚ୍ ଅଫ୍ କରିପାରିବ ।

ଏହା ବି ପଢ଼ନ୍ତୁ... 'VIJAY' ମିଶନ ! ନାଁ ଶୁଣି କମ୍ପି ଉଠିବ ପାକିସ୍ତାନ, ଜେନେରାଲ ଧୀରଜ ସେଠ୍ ଦେଲେ ଭାରତୀୟ ସେନାର ଫ୍ୟୁଚର ପ୍ଲାନ୍

ଡ୍ରାଇଭରମାନେ ଦାବି କରିଛନ୍ତି ଯେ ପ୍ରତି ଇ-ରିକ୍ସାରେ ପାସୱାର୍ଡ କିମ୍ବା ମଲ୍ଟି-ଲେୟାର ସିକ୍ୟୁରିଟି ସିଷ୍ଟମ ବାଧ୍ୟତାମୂଳକ କରାଯାଉ, ଯେପରି କୌଣସି ଅଜଣା ବ୍ୟକ୍ତି ଗାଡ଼ିର କଣ୍ଟ୍ରୋଲ ସିଷ୍ଟମକୁ ଆକ୍ସେସ୍ କରିପାରିବେ ନାହିଁ । ଶୋ’ ରୁମ୍ ମାଲିକ ସେବକ ଶର୍ମାଙ୍କ କହିବା ଅନୁଯାୟୀ, ପୁରୁଣା ମଡେଲ୍‌ରେ ଏହି ସମସ୍ୟା ଅଧିକ ଦେଖାଯାଉଛି, କାରଣ ନୂଆ ମଡେଲ୍ ଗୁଡ଼ିକରେ ପ୍ରଥମରୁ ହିଁ ପାସୱାର୍ଡ ସୁରକ୍ଷା ଦିଆଯାଉଛି । ଏ ସମ୍ପର୍କରେ ଆଡିସନାଲ ଡିସିପି ସ୍ୱତନ୍ତ୍ର ସିଂହ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ଆଧିକାରିକ ଅଭିଯୋଗ ମିଳିନାହିଁ । ଯଦି କୌଣସି ଅଭିଯୋଗ ଆସେ, ତେବେ ଏହାର ବୈଷୟିକ ଯାଞ୍ଚ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷଜ୍ଞମାନେ ଡ୍ରାଇଭରମାନଙ୍କୁ କେବଳ ଅଧିକୃତ ସର୍ଭିସ ସେଣ୍ଟରରୁ ହିଁ ସଫ୍ଟୱେର୍ ଅପଡେଟ୍ କରିବାକୁ ଏବଂ ବ୍ଲୁଟୁଥ୍ ବ୍ୟବହାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।