ନୂଆଦିଲ୍ଲୀ,୨୦।୧:ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟାଙ୍କ ମୃତ୍ୟୁ ମାମଲାରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ।ଯୁବରାଜଙ୍କ ମୃତ୍ୟୁରେ ବିଲ୍ଡର ଅଭୟ କୁମାରଙ୍କୁ ଗିରଫ କରିଛି ପୁଲିସ। ଅଭୟ ହେଉଛନ୍ତି MZ Wiztownର ମାଲିକ ଏବଂ ବିଲ୍ଡର । ତାଙ୍କୁ ନଲେଜ୍ ପାର୍କ ପୋଲିସ ଷ୍ଟେସନ ଗିରଫ କରିଛି। ଯୁବରାଜଙ୍କ ମୃତ୍ୟୁରେ ତାଙ୍କର ଭୂମିକା ସାମ୍ନାକୁ ଆସିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ପୁଲିସ ନିକଟରେ ଦାଖଲ କରାଯାଇଥିବା ଏଫ୍ଆଇଆରରେ ଦୁଇ ବିଲ୍ଡର ଏମଜେଡ୍‌ ଭିଶଟାଉନ୍ ଓ ଲୋଟସ୍ ଗ୍ରୀନର ନାଁ ରହିଛି।

ଯୁବରାଜଙ୍କ ମୃତ୍ୟୁ ମାମଲାକୁ ନେଇ ନୋଏଡା କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି। ପରିବାର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଯଦି ଘଟଣାସ୍ଥଳରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥାନ୍ତା, ତେବେ ଏହି ସାଂଘାତିକ ଘଟଣାକୁ ରୋକା ଯାଇପାରିଥାନ୍ତା।  ଦୁର୍ଘଟଣା ପରେ, ଯୁବରାଜ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସାହାଯ୍ୟ ପାଇଁ ଚିତ୍କାର କରି ବୁଡ଼ିଯାଉଥିବା କାରରେ ଫସି ରହିଥିଲେ। ସେତେବେଳେ କୌଣସି ସରକାରୀ ସାହାଯ୍ୟ ମିଳିନଥିଲା। ଜଣେ ସ୍ଥାନୀୟ ବ୍ୟକ୍ତି ସାହସ ପ୍ରଦର୍ଶନ କରିଥିଲେ। ସେ ତାଙ୍କ ଅଣ୍ଟାରେ ଏକ ରଶି ବାନ୍ଧି ୫୦ ମିଟର ପାଣି ତଳେ ବୁଡ଼ିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା, ଏବଂ ଯୁବରାଜ ହଜି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ, କିନ୍ତୁ ପ୍ରଭାବଶାଳୀ କାମ କରିବାରେ ବିଫଳ ହୋଇଥିଲେ, ଯାହା ସିଷ୍ଟମର ଅପାରଗତାକୁ ପ୍ରକାଶ କରିଥିଲା।

ଦୁର୍ଘଟଣା ପରେ ସବ-ଇନ୍ସପେକ୍ଟର ଶିବ ପ୍ରତାପ ଏବଂ ପୋଲିସ ଷ୍ଟେସନ ଇନଚାର୍ଜ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ସ୍କୁବା ଡାଇଭର ଏବଂ ଏସଡିଆରଏଫକୁ ଡାକିଥିଲା, କିନ୍ତୁ ଏସଡିଆରଏଫ ଦଳ ଭୋର ପ୍ରାୟ ୪ଟାରେ ପହଞ୍ଚିଥିଲା। ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିବା ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିଲା ଏବଂ ଯୁବରାଜଙ୍କୁ ବଞ୍ଚାଯାଇପାରିଲା ନାହିଁ। ଦୁର୍ଘଟଣାର ଚାରି ଦିନ ପରେ ମଧ୍ୟ କର୍ତ୍ତୃପକ୍ଷ ଗାଡ଼ିଟିକୁ ଉଦ୍ଧାର କରିପାରି ନାହାଁନ୍ତି। ଦୁର୍ଘଟଣାଟି ରାତି ପ୍ରାୟ ୧୧:୪୫ ସମୟରେ ଘଟିଥିଲା। ଏହା ପରେ ଯୁବରାଜ ପ୍ରାୟ ଦୁଇ ଘଣ୍ଟା ଧରି ସାହାଯ୍ୟ ପାଇଁ ଡାକୁଥିଲେ। ସୂଚନା ପାଇ, ରାତି ୧୨:୦୬ ରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା ଏବଂ ରାତି ୧୨:୨୫ ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।  ଭୋର ସମୟରେ ଏସ୍‌ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲା,କିନ୍ତୁ କୌଣସି ସଫଳତା ମିଳିନଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଘଟଣାର ଯାଞ୍ଚ ରିପୋର୍ଟ ୫ ଦିନ ଭିତରେ ଦେବାକୁ କହିଛନ୍ତି। ଏହି ମାମଲାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ଏକ ତିନି ଜଣିଆ ବିଶେଷ ଯାଞ୍ଚ ଟିମ୍ ଗଠିତ କରାଯାଇଛି। ଉତ୍ତର ପ୍ରଦେଶ ସରକାର ସୋମବାର ନୋଏଡା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଲୋକେଶ ଏମ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି ଦେଇଛନ୍ତି। 

ମେରଠ ଜୋନ୍‌ ଏଡିଜି ଓ ଏସ୍ଆଇଟି ହେଡ୍ ଭାନୁ ଭାସ୍କର କହିଛନ୍ତି, ନୋଏଡା ପ୍ରାଧିକରଣ ଟିମ୍, ନୋଏଡା ଜିଲ୍ଲା ଅଧିକାରୀ, ନୋଏଡା ପୁଲିସ କମିଶନରଙ୍କ ସହିତ ସବୁ ଲୋକ ସେଠାରେ ଉପସ୍ଥିତ ଥିଲେ। ଆମର ଏସ୍ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଦେଇଛି। ସରକାରଙ୍କ ନିର୍ଦେଶରେ ଆମେ ୫ ଦିନ ଭିତରେ ଏହାର ରିପୋର୍ଟ ଦେବୁ। ସବୁ ଲୋକଙ୍କ ସହିତ ଆଲୋଚନା କରାଯିବ। ସମସ୍ତଙ୍କ ସହ କଥା ହେବାପରେ ଦେଖିବୁ କେଉଁ କାରଣରୁ ଦୁର୍ଘଟଣା ହୋଇଛି।

ଉଲ୍ଲେଖନୀୟ ଯେ,  ଜାନୁଆରୀ ୧୬ ତାରିଖରେ ନୋଏଡାର ସେକ୍ଟର ୧୫୦ରେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଥିଲା। ଘନ କୁହୁଡ଼ି ଯୋଗୁଁ ତାଙ୍କ କାର ନିୟନ୍ତ୍ରଣ ହରାଇ ଏକ ନିର୍ମାଣ ସ୍ଥାନ ନିକଟରେ ପାଣି ଥିବା ଏକ ଗର୍ତ୍ତରେ ପଡ଼ିଯାଇଥିଲା। ସେହି ସ୍ଥାନରେ କୌଣସି ପ୍ରତିବନ୍ଧକ ନଥିଲା। ଏକ ମଲ୍‌ ବେସମେଣ୍ଟ ପାଇଁ ଗାତ ଖୋଳାଯାଇଥିଲା।

ଆହୁରି ପଢନ୍ତୁ :ଜେଲ୍‌ରୁ ଖସି ଗଲେ ୧୫୦୦ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ, ପୁରା ଦୁନିଆ ପାଇଁ ସାଜିପାରନ୍ତି ବିପଦ​​​​​​​