ନୂଆଦିଲ୍ଲୀ,୨୦।୧: ସିରିଆର ଶଦ୍ଦାଦି ସହରରେ ଥିବା ଏକ ପ୍ରମୁଖ ଜେଲ୍ରୁ ଦୁର୍ଦାନ୍ତ ଆଇଏସ୍ଆଇଏସ୍ ଆତଙ୍କୀ ଫେରାର ହେବା ଘଟଣା ନେଇ ଚାଞ୍ଚଲ୍ୟ। ସିରିଆ ସରକାର ଔପଚାରିକ ଭାବରେ ୧୨୦ ଆତଙ୍କବାଦୀ ଫେରାର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି। ସେଭଳି କୁର୍ଦ୍ଦିଶ ମିଡିଆ ଏହାକୁ ୧୫୦୦ ବୋଲି କହିଛି। ସିରିଆ ଶଦ୍ଦାଦରେ ଆଇଏସ୍ଆଇଏସ୍ ଦ୍ବାରା ଜେଲ୍ବ୍ରେକ୍ର ଏହି ଘଟଣା ପରେ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଏତେ ସଂଖ୍ୟକ ଆତଙ୍କବାଦୀ ଫେରାର ହୋଇଥିବାରୁ ସିରିଆ ସରକାର ଓ କୁର୍ଦ୍ଦିଶ ବାହିନୀଙ୍କ ଭିତରେ ଚାଲିଥିବା ପୁରୁଣା ବିବାଦ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।
ସିରିଆ ଓ ପୂର୍ବ ଭାଗରେ ଥିବା ଶଦ୍ଦାଦି ସହରର ଜେଲ୍ ନିକଟରେ ଭାରି ମାତ୍ରାରେ ସୁରକ୍ଷା ତ୍ରୁଟି ନେଇ ଖବର ସାମନାକୁ ଆସିଛି। ସିରିଆର ଗୃହମନ୍ତ୍ରଣାଳୟ ମଙ୍ଗଳବାର ଏହା ସ୍ବୀକାର କରିଛି ଯେ, ପ୍ରାୟ ୧୨୦ କଏଦୀ ଜେଲ୍ ଚାରିକାନ୍ଥ ଭିତରୁ ଖସି ଆସିଛନ୍ତି। ତେବେ କୁର୍ଦ୍ଦିଶ ଓ୍ବେବସାଇଟ୍ ରୁଡ୍ଡା ଏସଡିଏଫ୍ ସୁତ୍ରରୁ କହିଛି ଯେ, ଫେରାର ହୋଇଥିବା ଆତଙ୍କୀ ସଂଖ୍ୟା ବାସ୍ତବରେ ୧୫୦୦ ପାଖାପାଖି ରହିଛି।
ଏହି ବଡ଼ ଘଟଣାର ତୁରନ୍ତ ପରେ ସିରିଆ ସେନା ଓ ମନ୍ତ୍ରଣାଳୟ ବିଶେଷ ସୁରକ୍ଷା ୟୁନିଟ୍ ଶଦ୍ଦାଦି କ୍ଷେତ୍ରରେ ପ୍ରବେଶ କରିଛି। ସୁରକ୍ଷା ବଳ ଏପର୍ଯ୍ୟନ୍ତ ସଘନ ତଲାସୀ ଅଭିଯାନ ଚଳାଇ ପ୍ରାୟ ୮୧ ଫେରାର କଏଦୀଙ୍କୁ ପୁଣିଥରେ ଗିରଫ କରିବାରେ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ବାକି ଆତଙ୍କବାଦୀଙ୍କ ତଲାସୀ ପାଇଁ ପୁରା ଅଞ୍ଚଳକୁ ଘେରାଉ କରି ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ତୁଳନାରେ କଡାକଡି କରି ଦିଆଯାଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏତେ ସଂଖ୍ୟକ ଫେରାର ଆତଙ୍କବାଦୀ କେବଳ ସିରିଆ ନୁହେଁ ପୁରା ଦୁନିଆ ପାଇଁ ବିପଦଜନକ।
ଆହୁରି ପଢନ୍ତୁ :କାମଚଟକାରେ ୬୦ ବର୍ଷରେ ସର୍ବାଧିକ ତୁଷାରପାତ: ବରଫରେ ପୋତି ହେଲା ରାସ୍ତାଘାଟ, ଘର ଏବଂ କାର