ଭୁବନେଶ୍ଵର, ୦୮/୦୧ : ହାଇକୋର୍ଟରେ ସ୍ଵାଭାବିକ ହେଲା କାର୍ଯ୍ୟ। ବମ୍ ସ୍କ୍ଵାଡ୍, ଡଗ୍ ସ୍କ୍ଵାଡ୍ ଓ ପୁଲିସର ଯାଞ୍ଚ ପରେ କୋର୍ଟ କାର୍ଯ୍ୟ ଆରମ୍ଭ। ମୁଖ୍ୟ ବିଚାରପତି ଓ ଆଉ ୩ ବିଚାରପତି ଶୁଣାଣି ଆରମ୍ଭ କରିଛନ୍ତି।

ଏନେଇ AG ପୀତାମ୍ଵର ଆଚାର୍ଯ୍ୟ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ ହୋକ୍ସ ମେଲ୍ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି, ସିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ। କେହି ଭୟଭୀତ ହୁଅନ୍ତୁ ନାହିଁ। ଡିଜିପି ମୁଖ୍ୟ ବିଚାରପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ମେଲ୍ ତାମିଲନାଡୁରୁ ଜେନେରେଟ୍ ହୋଇଛି। ଏହାକୁ ନେଇ ବିଚଳିତ ହେବା ଦରକାର ନାହିଁ। ଏବେ କୋର୍ଟ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ।

ସୂଚନା ଥାଉକି, ଗୁରୁବାର ସକାଳୁ ହାଇକୋର୍ଟରେ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନୀଜୀବୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୧୨ଟା ସମୟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ରେ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା। କୋର୍ଟ ପରିସରରେ ଖାନତଲାସୀ ଚାଲିଛି। ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ କୋର୍ଟ ପରିସରରେ ତନାଘନା କରିଥିଲେ। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଇଥିଲା। ହେଲେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ମିଳିନାହିଁ। 

ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ବୋମା ଭୟ, ମୁଖ୍ୟମନ୍ତ୍ରୀଙ୍କ ଉଦବେଗ: 'ଶୀଘ୍ର ଅପରାଧୀଙ୍କୁ ଖୋଜି ବାହାର କର'