ନୂଆଦିଲ୍ଲୀ,୦୬/୦୮: ନିୟମ କଡ଼ାକଡ଼ି କଲା FSSAI । ଫୁଡ୍ ସେଫ୍ଟି ଉପରେ ଗୁରୁତ୍ବ । ଅଭିଯୋଗ ପାଇଁ ମୋବାଇଲ ଆପ୍ । ହୋଟେଲ୍, ରେଷ୍ଟୁରାଣ୍ଟ, ଢାବା, କାଫେ କିମ୍ବା ବେକେରୀ ସପ୍ରେ ସ୍ବଚ୍ଛତାକୁ ବିଶେଷ ଧ୍ୟାନ ଦେଇଛି FSSAI । ଖାଦ୍ୟ ଦୋକାନ ଗୁଡ଼ିକରେ 'ଫୁଡ୍ ସେଫ୍ଟି କନେକ୍ଟ' ମୋବାଇଲ୍ ଆପ୍ କ୍ୟୁଆର୍ କୋଡ୍ ରଖିବାକୁ ନିର୍ଦ୍ଦେଶ । କ୍ୟୁଆର୍ କୋଡ୍ ବିଲିଂ କାଉଣ୍ଟର କିମ୍ବା ଡାଇନିଂ ଏରିଆ ଲାଗିବା କରାଯାଇଛି ବାଧ୍ୟତାମୂଳକ ।
ସାଧାରଣତଃ ଆପଣ ଯେତେବେଳେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଆନ୍ତି, ସେଠାରେ ଆପଣଙ୍କ ଧ୍ୟାନ ପରିଷ୍କାର ପରିଚ୍ଛନ୍ନତା ଉପରକୁ ଯାଉଥିବ । ହୋଟେଲରେ ହାଇଜିନ୍ ବ୍ୟବସ୍ଥା ଠିକ୍ ଅଛିକି ନାହିଁ ଦେଖୁଥିଲେ । କିନ୍ତୁ ଅନେକ ସମୟରେ ଆପଣ ଅଭିଯୋଗ କରିବା ପରେ ମଧ୍ୟ କର୍ମଚାରୀମାନେ ଆପଣଙ୍କୁ ଅଣଦେଖା କରନ୍ତି । ନଚେତ୍ ଅଭିଯୋଗ କରିପାରିବାର ସେଠାରେ କୌଣସି ସୁବିଧା ନଥାଏ । କିନ୍ତୁ ବର୍ତ୍ତମାନ ଖୁବଶୀଘ୍ର ଗ୍ରାହକଙ୍କ ସମସ୍ୟାର ହେବ ସାମାଧାନ । ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମିଳୁଥିବା ଖରାପ ଖାଦ୍ୟ ସମ୍ପର୍କରେ ସହଜରେ କରିପାରିବେ ଅଭିଯୋଗ। ଏନେଇ ସମସ୍ତ ଦୋକାନ ଏବଂ ହୋଟେଲକୁ 'ଫୁଡ୍ ସେଫ୍ଟି କନେକ୍ଟ' ମୋବାଇଲ୍ ଆପ୍ର QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି FSSAI। FSSAIର ଏହି ପଦକ୍ଷେପ ହୋଟେଲ ଏବଂ ଅନ୍ୟ ଖାଦ୍ୟ ଦୋକାନରେ ଗ୍ରାହକଙ୍କୁ ସହଜ ଏବଂ ସ୍ବଚ୍ଛ ପ୍ଲାଟଫର୍ମ ପ୍ରଦାନ କରିବ । ଏହାରି ମାଧ୍ୟମରେ ସେମାନେ ବିନା କୌଣସି ଦ୍ୱିଧା ଅଭିଯୋଗ ପଞ୍ଜୀକୃତ କରିପାରିବେ। ଏହି କ୍ୟୁଆର୍ କୋଡ୍ କିମ୍ବା ଆପ୍ର ଡାଉନଲୋଡ୍ ଲିଙ୍କ୍ ଅନଲାଇନ୍ ଫୁଡ଼ ଡେଲିଭରୀ ପ୍ଲାଟଫର୍ମ ଏବଂ ରେଷ୍ଟୁରାଣ୍ଟ ୱେବସାଇଟରେ ମଧ୍ୟ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହୋଟେଲରେ ଖାଦ୍ୟର ଗୁଣବତ୍ତା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନେଇଛି FSSAI । କେବଳ ଏତିକି ନୁହେଁ, ଖାଦ୍ୟର ପ୍ୟାକେଜିଂ ଠିକ୍ ନଥିଲେ କିମ୍ବା ରେଷ୍ଟୁରାଣ୍ଟ ଦ୍ୱାରା ଦିଆଯାଇଥିବା ସୂଚନା ଭୁଲ୍ ଥିଲେ ମଧ୍ୟ ଏଥିରେ ଅଭିଯୋଗ କରିହେବ । ଏହି ଆପ୍ ସ୍ୱୟଂଚାଳିତ ଭାବରେ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ଆଞ୍ଚଳିକ ଅଧିକାରୀଙ୍କ ନିକଟକୁ ଦେବ । ପରେ ଏହାର ଯାଞ୍ଚ କରି ଉକ୍ତ ହୋଟେଲ୍ କିମ୍ବା ଖାଦ୍ୟ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ଫୁଡ୍ ସେଫ୍ଟି ଅଧିକାରୀ । ତେବେ ଆଗକୁ ଏହି ଆପ୍ଲିକେସନ ଗ୍ରାହକଙ୍କ ପାଇଁ କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।