ଗଡ଼ଚିରୋଲି,୧୧/୬ : ପ୍ରଥମ ଥର ପାଇଁ ନକ୍ସଲ ଦମନ ଅପରେସନରେ ଦେଶର ସର୍ବାଧିକ ପ୍ରଶିକ୍ଷିତ କମାଣ୍ଡୋ ଏନ୍ଏସ୍ଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ)ଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଏପରି କୌଣସି ଗରିଲା ଯୁଦ୍ଧରେ ଏନ୍ଏସ୍ଜି କମାଣ୍ଡୋଙ୍କୁ ମୁତୟନ କରାଯାଇ ନଥିଲା । ଏନ୍ଏସ୍ଜିର ଏକ ଟିମ୍ ମହାରାଷ୍ଟ୍ରର ସର୍ବାଧିକ ନକ୍ସଲ ଉପଦ୍ରୁତ ଅଞ୍ଚଳ ଗଡ଼ଚିରୋଲିରେ ପହଞ୍ଚିଛନ୍ତି ।
ଏ ସମ୍ପର୍କରେ ଏନ୍ଏସ୍ଜି ଡିଜି ବ୍ରିଘୁ ଶ୍ରୀନିବାସନ କହିଛନ୍ତି, ନକ୍ସଲ ବିରୋଧୀ ଅପରେସନରେ ରାଜ୍ୟ ପୁଲିସ ଓ ସେମାନଙ୍କ ଦକ୍ଷ ଅଫିସରମାନେ ଆଗ ଧାଡ଼ିରେ ଅଛନ୍ତି । ଏହାପରେ ଅଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ ଓ ଏହାର କମାଣ୍ଡୋ ଟିମ୍ । ପରବର୍ତ୍ତୀ ସ୍ତରରେ ଏନ୍ଏସ୍ଜି କମାଣ୍ଡୋ ରହିବେ । କେବଳ ଆବଶ୍ୟକ ସ୍ଥଳେ ସେମାନେ ଅପରେସନରେ ସକ୍ରିୟ ଅଂଶଗ୍ରହଣ କରିବେ । ଏନ୍ଏସ୍ଜି କମାଣ୍ଡୋ କ୍ୱଚିତ ଗରିଲା ଯୁଦ୍ଧରେ ସାମିଲ ହୁଅନ୍ତି । କେବଳ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଏନ୍ଏସ୍ଜି ଅପରେସନ କରିଥାଏ । ଏବେ ଗଡ଼ଚିରୋଲିର ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିବା ଏହି ଲମ୍ବା ଅପରେସନରେ ସେମାନଙ୍କୁ ମଧ୍ୟ ଏକ ପ୍ରକାର ପ୍ରଶିକ୍ଷଣ ମିଳିପାରିବ ବୋଲି ସେ କହିଛନ୍ତି ।
ଅପରପକ୍ଷରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନକ୍ସଲ ନିପାତ ପାଇଁ ୨୦୨୬ ମାର୍ଚ୍ଚ ୩୧ ତାରିଖକୁ ସୀମା ଭାବେ ଧାର୍ଯ୍ୟ କରିଥିବା ବେଳେ ଏହା ନିଶ୍ଚିତ ଭାବେ ସମ୍ଭବ ହେବ ବୋଲି ଜୋର୍ ଦେଇ କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜନ । ସେ କହିଛନ୍ତି, ସିପିଆଇ-ମାଓବାଦୀର ଆଉ ପ୍ରାୟ ୩୦୦ ସଶସ୍ତ୍ର କ୍ୟାଡର ଅବୁଝମାଡ଼ ଜଙ୍ଗଲରେ ଅଛନ୍ତି । ସେମାନେ ଛୋଟ ଛୋଟ ଗ୍ରୁପ୍ରେ ବୁଲୁଥିବାରୁ ଠାବ କରିବା କଷ୍ଟକର ହୋଇଛି । ତଥାପି ଗୁଇନ୍ଦା ସୂଚନା ଭିତ୍ତିରେ ସେମାନଙ୍କୁ ଚିହ୍ନଟ କରିବାକୁ ପୂର୍ବତନ ନକ୍ସଲମାନଙ୍କ ସହାୟତା ନିଆଯାଉଛି। ସିପିଆଇ-ମାଓବାଦୀ ସଙ୍ଗଠନରେ ଏବେ ନେତୃତ୍ୱ ସଙ୍କଟ ଓ କନ୍ଦଳ ସ୍ପଷ୍ଟ ହୋଇଛି । ଏକଦା ୧୦ଟି ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ଏହି ସଙ୍ଗଠନର ପଲିଟବ୍ୟୁରୋ କମିଟିର ମାତ୍ର ୪ ଜଣ ଏବଂ କେନ୍ଦ୍ରୀୟ କମିଟିର ମାତ୍ର ୧୪ ଜଣ ବର୍ତ୍ତିଛନ୍ତି । ୪ଜଣ ପଲିଟବ୍ୟୁରୋ ସଦସ୍ୟ ହେଲେ ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି, ମାଲୋଜୁଲ୍ଲା ଭେନୁଗୋପାଳ ଓରଫ ଅଭୟ, ଥିପ୍ପିରି ତିରୁପଥି ଓରଫ ଦେଓଜୀ ଏବଂ ମିସିର ବେସ୍ରା । ୨୦୦୭ରୁ ଏ ପର୍ଯ୍ୟନ୍ତ ୨୬ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଗିରଫ ହୋଇଛନ୍ତି କିମ୍ବା ନିହତ ହୋଇଛନ୍ତି । ଏମିତି କି ଆତ୍ମସମର୍ପଣ କିମ୍ବା ବୟସାଧିକ୍ୟ ଅସୁସ୍ଥତା ଯୋଗୁ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ କମିଟିର ୧୨ରୁ ଅଧିକ ସଦସ୍ୟ ଏବେ ଜେଲରେ ଅଛନ୍ତି । ଏବେ ସକ୍ରିୟ ଥିବା ସମସ୍ତ ସଦସ୍ୟ ଯଦି ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କୁ ନିଶ୍ଚିତ ଭାବେ ନିପାତ କରାଯିବ ବୋଲି ସୁନ୍ଦରରାଜନ ଚେତାବନୀ ଦେଇଛନ୍ତି ।