ସମ୍ବଲପୁର,୨୬/୦୮: ଘର ଲିପାପୋଛା ସରିଛି ।  ଚୂନ ଲଗେଇ କିଏ ଚକାଚକ କଲାଣି ତ ଆଉ କିଏ ଗୋବର  ଲେପି ଘରକୁ ସଜଉଛି । ବାହାରେ କାମକୁ ଯାଇଥିବା ପୁଅ ବି ଫେରୁଛି । ଝିଅ ବି ପାଠପଢ଼ାରୁ ଆସିବାକୁ ଅନେଇ ବସିଛି ।  କକା, ଖୁଡ଼ି, ପରିବାର ପରିଜନ ସମସ୍ତେ ଏକାଠି ହେବେ ।  ଏକାସାଙ୍ଗରେ ନୂଆଁ ଖାଇବେ । ବର୍ଷଯାକର ବିବାଦ ତୁଟାଇ  ପୁଣି ଦଦା, ଭାଇ ଏକାଠି ମିଶିବେ । ବଡ଼ ଭାଇ ହାତରୁ ସାନ  ନବାନ୍ନ ଖାଇବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଦିନକ ପରେ  ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ସବୁ ଘର ଏବେ ଚଳଚଞ୍ଚଳ ।    

ନବାନ୍ନ ଭକ୍ଷଣ ପାଇଁ ନିଜ ନିଜ ଜାତିର ପ୍ରଥା ଅନୁସାରେ  କୁରେଇ ଓ ମହୁଲ ପତ୍ର ତୋଳି ଦନା ପ୍ରସ୍ତୁତିରେ  ମହିଳାମାନେ ବ୍ୟସ୍ତ ଅଛନ୍ତି । ଖଇ ବା ଲିଆରୁ ଜୁଗାର ପ୍ରସ୍ତୁତି ସହିତ ପିଠାପଣା ପାଇଁ ଚାଉଳ ଚୂନା ତିଆରି  କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏଥର  ଲମ୍ବା ଛୁଟି ନେଇ ପରିବାର ସସଦ୍ୟ ଫେରୁଛନ୍ତି । ଗୁରୁବାର ନୂଆଁଖାଇ ଛୁଟି ରହିଛି । ପରଦିନକୁ  ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ତେଣୁ ଶନିବାର ଓ  ରବିବାର ଛୁଟିରେ ରହି ଏକାଥରକେ ସୋମବାରକୁ ଯିବେ ।  ତେଣୁ ପରିବାର ସଦସ୍ୟ ଘରମୁହାଁ ହେଲେଣି ।   ଏପଟେ, ଘରକୁ ଆସିବାକୁ ଥିବା ପଶ୍ଚିମ ଓଡ଼ିଶା ଲୋକଙ୍କ  ପାଇଁ ବସ୍‌ ଓ ଟ୍ରେନ୍‌ରେ ଟିକଟ୍‌ ମିଳୁନି । ୨୬ ଏବଂ ୨୭  ତାରିଖରେ ପାଇଁ ସମ୍ବଲପୁରକୁ ଆସୁଥିବା ସମସ୍ତ ଟ୍ରେନ୍‌ରେ ଆଉ  ବୁକିଂ ହୋଇପାରୁନି । ବିଶେଷ ଭାବେ ଭୁବନେଶ୍ୱର, କୋଲକାତା,  ଦିଲ୍ଲୀ ଏବଂ ଅନ୍ୟ ସହରର ପାଇଁ ଟ୍ରେନ୍‌ ବୁକିଂ ସରିଯାଇଛି ।  

ଏମିତି କି, ଭୁବନେଶ୍ୱରରୁ ଆସୁଥିବା ପ୍ରାୟ ସବୁ ବସ୍‌ ସିଟ୍‌ ବିକ୍ରି  ସରିଛି । ତେଣୁ କିଛି ଲୋକ ଏବେ ଏକାଠି ହୋଇ ଗାଡ଼ି ଭଡ଼ା  କରି ଆସିବାକୁ ଯୋଜନା ମଧ୍ୟ କରୁଛନ୍ତି । ହେଲେ ଦିନମଜୁରୀ  କରିବାକୁ ଯାଇଥିବା ଲୋକଙ୍କ ପାଇଁ ବହୁ ଅସୁବିଧା ହେଉଛି ।  ତେଣୁ ଆସନ୍ତା ବର୍ଷଠାରୁ ନୂଆଁଖାଇ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉ । ଛଟ୍‌ ପୂଜା ଅବସରରେ ବିହାର ଓ ଝାଡଖଣ୍ଡ ପାଇଁ  ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ହେଉଛି । ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ  ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।