ସମ୍ବଲପୁର,୨୮/୦୮:  ସମ୍ବଲପୁରରେ ନୂଆଁ ଖାଇବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ  ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କରେ ନୂଆଁଖାଇ ପାଳିବେ । ମା'ସମଲେଶ୍ୱରୀ  ମନ୍ଦିରରେ ଦର୍ଶନ କରିବା ସହ  ସେଠାରେ ପ୍ରସାଦ ସେବନ  କରିବେ । ଏହି ଅବସରରେ ସେ  ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । 

ଶ୍ରୀ ପ୍ରଧାନ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି,  ଚାଷୀ ଓ ଚାଷୀର ଉନ୍ନତି, ସମସ୍ତଙ୍କର ଖାଦ୍ୟ ସୁରକ୍ଷା, ବନ୍ଧୁମିଳନ ତଥା ଗୁରୁଜନଙ୍କୁ ସମ୍ମାନ ଜଣାଇବା ନୂଆଁଖାଇ  ପର୍ବର ଅନନ୍ୟ ବିଶେଷତ୍ୱ ।  ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ ପାଇଁ ସବୁଆଡ଼େ ଏବେ ଖୁସି ଓ ଆନନ୍ଦର ବାତାବରଣ । ଏହି ସମୟରେ କ୍ଷେତରେ ଧାନ ହୁଏ ଯାହା ସମସ୍ତଙ୍କ ମନରେ ଖୁସି ଭରିଦିଏ । ନୂଆଁଖାଇ ଚାଷୀ ଓ ଚାଷର ଉନ୍ନତି ଏବଂ ମିଠା କଥା କୁହେ । ତା'ସହ ସମସ୍ତଙ୍କ ପାଇଁ  ଖାଦ୍ୟ ସୁରକ୍ଷାକୁ ଉଜାଗର କରେ । ନୂଆଁଖାଇ କେବଳ ନବାନ୍ନ ସେବନର  ପର୍ବ ନୁହେଁ ଏହା ମଧ୍ୟ ବନ୍ଧୁମିଳନ  ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ ।  ସେଥିପାଇଁ ଆମର ନୂଆଁଖାଇ ହେଉଛି  ମହାନ ଓ ଅନନ୍ୟ । ମା' ସମଲେଇଙ୍କ  ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସ  ଓ ସମୃଦ୍ଧି ଆଣିଥାଉ ବୋଲି ଶ୍ରୀ  ପ୍ରଧାନ ପ୍ରାର୍ଥନା କରିଛନ୍ତି ।   




ଶ୍ରୀ ପ୍ରଧାନ ପ୍ରଥମେ ସିନ୍ଦୁରପଙ୍କରେ ନୂଆଁଖାଇ ପାଳନ  କରିବାର କାର୍ଯ୍ୟକ୍ରମ ରହିଛି । ପରେ ମା'ସମଲେଶ୍ୱରୀ  ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ପ୍ରସାଦ  ସେବନ କରିବେ । ପରେ ସମ୍ବଲପୁରରେ ଓଡ଼ିଶା  ସାଂସ୍କୃତିକ ସମାଜ, ନନ୍ଦପଡ଼ାରେ ଚିତ୍ରାଟ୍ଟପାଲା ଯୁବକ  ସଂଘ ଏବଂ ମା'ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ  ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ପୃଥକ  ନୂଆଁଖାଇ ଭେଟଘାଟ-୨୦୨୫ରେ ଯୋଗଦେବା  କାର୍ଯ୍ୟକ୍ରମ ରହିଛି।