ଭୁବନେଶ୍ୱର,୧୬/୧୦: ନୂଆପଡା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତି। ନୂଆପଡ଼ରେ ହେବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପିରୁ ଜୟ ଢ଼ୋଲକିଆ, କଂଗ୍ରେସର ଘାସିରାମ ମାଝୀ।
ଆଜି ନୁହେଁ ଶନିବାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀମାନେ ସାମିଲ ହେବେ। ସକାଳ ସାଢ଼େ ୧୦ଟାରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ମିଶ୍ରଣ ପର୍ବ ଆୟୋଜିତ ହେବ । ବିଜେଡି ଓ ବିଜେପିର ବହୁ କର୍ମୀ ଓ ନେତାମାନେ ବିଜେପିରେ ସାମିଲ ହେବେ । ଏହାପରେ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ ନାମାଙ୍କନ ଦାଖଲ କରିବେ ।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ରେ ନାମାଙ୍କନପତ୍ର ଦାଖଲ କରିବେ । ଏଥିପାଇଁ ବିଶାଳ ଶୋଭାଯାତ୍ରା ଆୟୋଜନରେ ଲାଗିଛି କଂଗ୍ରେସ । ଆଜି ଶୁଭ ଲଗ୍ନ ଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଘାସିରାମ ଆରାଧ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ନାମାଙ୍କନପତ୍ରରେ କେବଳ ଦସ୍ତଖତ କରାଯାଇଛି । ଅପରାହ୍ନ ସୁଦ୍ଧା ନୂଆପଡ଼ା ଉପନିର୍ବାଚନ ପାଇଁ କେହି ଜଣେ ବି ନାମାଙ୍କନପତ୍ର ଦାଖଲ କରିନାହାନ୍ତି ।
ନୂଆପଡ଼ାରେ ବିଜେଡି ଖେଳିଲା ସରପ୍ରାଇଜ୍ କାର୍ଡ । ବରଗଡ଼ ଜିଲ୍ଲା ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିଛି ବିଜେଡି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଘୋଷଣା କରି ନବୀନ ସଭିଙ୍କୁ ଚମକାଇ ଦେଇଛନ୍ତି । ଏଭଳି ପ୍ରାର୍ଥୀତ୍ୱ ପଛରେ ବିଜେଡିର କି ଯୋଜନା ଅଛି, ତାହା କେହି ଠଉରାଇ ପାରୁନାହାନ୍ତି । ୨୦୨୪ ନିର୍ବାଚନରେ ସ୍ନେହାଙ୍ଗିନୀ ଅତାବିରାରେ ୨୯ ହଜାର ଭୋଟ ବ୍ୟବଧାନରେ ବିଜେପିଠାରୁ ପରାଜିତ ହୋଇଥିଲେ । ନୂଆପଡ଼ାରେ ସ୍ଥାନୀୟ ନେତାମାନେ ଆଗାମୀ ଦିନରେ ସ୍ନେହାଙ୍ଗିନୀଙ୍କୁ କେତେ ସମର୍ଥନ କରିବେ, ତାହା ଉପରେ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି । ତେବେ ବିଜେଡିରୁ ପ୍ରଚାର ମଇଦାନରେ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ।