ଭୁବନେଶ୍ୱର/ନୂଆପଡ଼ା, ୦୬/୧୧: ଜମୁଛି ନୂଆପଡ଼ା ପ୍ରଚାର । ମଇଦାନକୁ ଓହ୍ଲାଉଛନ୍ତି ଓଜନଦାର ନେତା ଓ ତାରକା ପ୍ରଚାରକ । ଆଜି ପ୍ରଚାର ମଇଦାନରେ ଦେଖିବାକୁ ମିଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ପୁଦେବ ସାଏ ମଧ୍ୟ ବିଜେପି ପାଇଁ ପ୍ରଚାର କରିବାକୁ ଆସିବେ । ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଦଫା ପ୍ରଚାରରେ ଆସୁଛନ୍ତି । ଶୁକ୍ରବାର କଂଗ୍ରେସ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ ।
ଆଜି ବିଜେପିର ବଳ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ପ୍ରଚାର ମଇଦାନକୁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଅପରାହ୍ନ ୨.୩୦ରେ ଉଦ୍ୟାନବନ୍ଧରେ ପହଞ୍ଚି କୋମନା ଯିବେ । ଅଢ଼େଇ କିମି ରୋଡ୍ ସୋ ପରେ ଜନସଭା କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଗୁରୁବାର ଦିନ ୧୧ଟାରେ ନୂଆପଡ଼ାର କୁଟବନବେରା ପଞ୍ଚାୟତ ପଞ୍ଚମପୁରୁ (ଛତିଶଗଡ଼କୁ ଲାଗିଥିବା ଅଞ୍ଚଳ) ଜନସଭାକୁ ସମ୍ବୋଧିତ କରି ଜୟଙ୍କ ପାଇଁ ପ୍ରଚାର କରିବେ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ପ୍ରବକ୍ତା ମାନସ ରଂଜନ ବକ୍ସି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଜନସଭାକୁ ନେଇ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହୋର୍ଡିଂ, ପୋଷ୍ଟର ଛାଇଯାଇଛି ।
ବିଜେଡିର ୧ ନମ୍ବର ଷ୍ଟାର ପ୍ରଚାରକ ନବୀନ ଗତ ୩ ତାରିଖରେ ନୂଆପଡ଼ା ଗସ୍ତ କରି କୋମନାରେ ଜନସଭା କରିଥିଲେ । ନୂଆପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରି କରି ନବୀନ ଜଣାଇଛନ୍ତି, ଆସନ୍ତା ୭ ତାରିଖ (ଶୁକ୍ରବାର) ନୂଆପଡ଼ା ଓ ଖରିଆର ରୋଡ ଆସୁଛନ୍ତି । ଦଳୀୟ ସୂତ୍ର ଅନୁସାରେ ନବୀନ ଖରିଆର ରୋଡରୁ ନୂଆପଡ଼ା ପର୍ଯ୍ୟନ୍ତ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ଅଛି । ନୂଆପଡ଼ାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିବେ ।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ଶୁକ୍ରବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁଭଟ୍ଟି ବିକ୍ରମାକ ନୂଆପଡ଼ାର ସାଲେଭଟାର ଏକ ଜନସଭାରେ ଭୋଟ ଭିକ୍ଷା କରିବେ ।
ତିନି ପ୍ରମୁଖ ଦଳ ଭିତରେ ତଗଡ଼ା ଲଢ଼େଇ ଚାଲିଥିବାବେଳେ ସମସ୍ତ ପ୍ରାର୍ଥୀ ଛୋଟ ଛୋଟ ସଭା ସହ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ୬ଟି ଜିଲ୍ଲା ପରିଷଦ ଜୋନ ଓ ୨ଟି ଏନଏସି ଦାୟିତ୍ୱରେ ୮ ମନ୍ତ୍ରୀ ଦାୟିତ୍ୱ ମୁଣ୍ଡାଇଥିବାବେଳେ ଦଳର ଅଧିକାଂଶ ମନ୍ତ୍ରୀ, ବିଧାୟକ ସେଠାରେ ପଡ଼ି ରହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଡେରା ପକାଇଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ନୂଆପଡ଼ା ଗସ୍ତରେ ଅଛନ୍ତି ।
ବିଜେଡି ବି ଦମ୍ ଲଗାଇ ଦେଇଛି । ଦେବୀ ମିଶ୍ର, ବବି ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ବିଜେଡିର ସବୁ ଆଗଧାଡ଼ିଆ ନେତା ନୂଆପଡ଼ାର ବିଭିନ୍ନ ପଞ୍ଚାୟତ ଏବଂ ୱାର୍ଡ ଜଗିଛନ୍ତି । କଂଗ୍ରେସ ଶିବିରର ମଙ୍ଗ ଧରି ପିସିସି ସଭାପତି ଭକ୍ତଚରଣ ଦାସ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଘୂରିଘୂରି ପ୍ରଚାର ଚଳାଇଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ସୁର ରାଉତରାୟ ପ୍ରମୁଖ ଘାସିରାମଙ୍କ ପାଇଁ ଭୋଟ ମାଗୁଛନ୍ତି । ସିନେ ତାରକା ପ୍ରଚାର ନୂଆପଡ଼ାରେ ସେତେ ଦେଖିବାକୁ ମିଳିନାହିଁ । ତଥାପି ବିଜେପି ପାଇଁ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଏଯାଏଁ ଅନୁଭବ ମହାନ୍ତି ଆସିନାହାନ୍ତି । ବିଜେଡିରୁ ରାଜ୍ୟସଭା ସାଂସଦ ତଥା ମୁନ୍ନା ଖାଁ ପ୍ରଚାର ଚଳାଇଛନ୍ତି ।