ଭୁବନେଶ୍ୱର,୦୭/୧୦: ନୂଆପଡ଼ା ଉପନିର୍ବାଚନ ବିଗୁଲ୍ ବାଜିସାରିଛି । ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ତ୍ରିକୋଣୀ ମୁକାବିଲା ହେବ । ବିଜେଡି ପକ୍ଷରୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ କଂଗ୍ରେସରୁ ଘାସିରାମ ମାଝୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ଏକରକମ ଚୂଡ଼ାନ୍ତ ବୋଲି କୁହାଯାଉଛି । ଗତଥର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ରିପିଟ୍ କରିବ କି ନୂଆ ମୁହଁ ଦେବ ତାହା ସ୍ପଷ୍ଟ ହୋଇନି ।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ପରୀକ୍ଷା ଦେବାକୁ ଯାଉଛି । ନୂଆପଡ଼ା ବିଧାନସଭା ଉପନିର୍ବାଚନ ମୋହନ ସରକାର ପାଇଁ ଏବେ ସମ୍ମାନର ପ୍ରଶ୍ନ । ଗତ ଦେଢ଼ ବର୍ଷରେ ବିଜେପି ଶାସନ ଓ ଦଳର ଲୋକପ୍ରିୟତା ମାପିବେ ନୂଆପଡ଼ା ଭୋଟର୍ । ୨୫ ବର୍ଷ କ୍ଷମତାରୁ ଯିବା ପରେ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ବସିଥିବା ବିଜୁ ଜନତା ଦଳ ପାଇଁ ମଧ୍ୟ ଏହି ଉପନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ।
ନଭେମ୍ବର ୧୧ରେ ହେବାକୁ ଯାଉଥିବା ନୂଆପଡ଼ା ଭୋଟ୍ ଫଳାଫଳ କହିବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି ? ଏମିତି ବି ଏହି ଆସନ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ କବଜାରେ ଥିଲା । ତେଣୁ ଏଠାରେ ବିଜେଡିର ହାରଜିତ୍ ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି । ସେପଟେ ନୂଆପଡ଼ା ବାଜି ଜିତିବାକୁ ସବୁ ବଳ ଖଟାଇଲାଣି କଂଗ୍ରେସ । ପିସିସି ସଭାପତି ଦାୟିତ୍ୱ ନେବା ପରେ ଭକ୍ତଚରଣ ଦାସଙ୍କ ପାଇଁ ଏହା ସବୁଠୁ ବଡ଼ ପରୀକ୍ଷା । ଭକ୍ତଙ୍କ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଅଧୀନରେ ଏହା ଯାଉଥିବାରୁ ଏଠାରେ ବିଜୟ ଟୀକା ପିନ୍ଧିବାକୁ କଂଗ୍ରେସ ଆଶାବାଦୀ ।
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ଭୋଟ୍ । ସ୍ୱାଧୀନତା ପରେ ନୂଆପଡ଼ା ବିଧାନସଭା ଆସନ ଦେଖିବାକୁ ଯାଉଛି ଚତୁର୍ଥ ଉପନିର୍ବାଚନ । ନୂଆପଡ଼ା ବ୍ଲକ, କୋମନା ବ୍ଲକ୍ ଓ ଖରିଆର ରୋଡ୍ ଏନଏସିକୁ ନେଇ ଗଠିତ ଏହି ବିଧାନସଭା ଆସନ । ଏଠାରେ ୨ ଲକ୍ଷ ୪୮ ହଜାର ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଲେ ଆଦିବାସୀ । ମୁଖ୍ୟତଃ ଗଣ୍ଡ ଓ ଶବର ସମ୍ପ୍ରଦାୟର ଏହି ଭୋଟ୍ ବ୍ୟାଙ୍କ ମୁଖ୍ୟତଃ କଂଗ୍ରେସ ହାତରେ ରହି ଆସିଥିଲା । ତେବେ ଗତ ଦଶନ୍ଧି ଭିତରେ ବିଜେଡ଼ି ଓ ବିଜେପି ମଧ୍ୟ ଏହା ଭିତରକୁ ଧସେଇ ପଶିଛନ୍ତି । ଅର୍ଥାତ ପ୍ରାୟ ୧ ଲକ୍ଷ ଆଦିବାସୀ ଭୋଟ୍ରେ ୩ ରାଜନୈତିକ ଦଳର କିଛି କିଛି ଭାଗ ରହିଛି ।
୨୦୨୪ ନିର୍ବାଚନରେ ଏହି ଆଦିବାସୀ ଭୋଟ୍ ଧୃବୀକରଣ ହୋଇଥିଲା ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ । କଂଗ୍ରେସରୁ ଟିକେଟ୍ ନ ମିଳିବାରୁ ଘାସିରାମ ସ୍ୱାଧୀନ ଭାବେ ଲଢ଼ି ୫୦ ହଜାର ୯୪୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଅଧିକାଂଶ ନେତା ଘାସିରାମଙ୍କୁ ସମର୍ଥନ କରିଥିଲେ । ସଂଘରେ ଥିବା ବିଜେଡ଼ି ଓ ବିଜେପିର କିଛି ନେତା ମଧ୍ୟ ପରୋକ୍ଷରେ ସମର୍ଥନ ଯୋଗାଇ ଦେଇଥିଲେ । ଫଳରେ ଘାସିରାମ ଏତେ ଭୋଟ୍ ହାସଲ କରିବାରେ ସଫଳ ହୋଇଥିଲେ ।
ନିର୍ବାଚନ ପରେ କଂଗ୍ରେସକୁ ଫେରି ଆସିଛନ୍ତି ଘାସିରାମ । ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ । ପିସିସି ସଭାପତି ଭକ୍ତଚରଣ ଦାସ ସୋମବାର ନୂଆପଡ଼ାରେ ନ୍ୟାୟ ସମାବେଶ ଆୟୋଜନ କରି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଆଜି କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଭକ୍ତ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ବିବାଦ ଯୋଗୁଁ ଉପନିର୍ବାଚନରେ ସବୁ ଆଦିବାସୀ ଭୋଟ୍ କଂଗ୍ରେସ ପକେଟକୁ ଯିବାର ସମ୍ଭାବନା କ୍ଷୀଣ । ତେବେ ଗତଥର ଚତୁର୍ଥ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିବା ୧୫ ହଜାର ଭୋଟ୍ ଏଥର ଘାସିରାମଙ୍କ ପଟକୁ ଯିବ।
ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ଏଠାରୁ ୪ ଥର ଜିତିଥିଲେ । ତାଙ୍କ ପୁଅ ଜୟ ଢ଼ୋଲକିଆ ଏଥର ବିଜେଡି ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ । ୨୦୨୪ରେ ବାପା ୬୧ ହଜାର ୮୨୨ ଭୋଟ୍ ପାଇ ବିଜୟୀ ହୋଇଥିଲେ । ନୂଆପଡ଼ା ଓ ଖରିଆର ରୋଡ୍ରେ ସ୍ୱର୍ଗତ ଢ଼ୋଲକିଆଙ୍କ ଲୋକପ୍ରିୟତା ଓ ସଂଗଠନ ରହିଛି । ଜୟଙ୍କ ସପକ୍ଷରେ ସମବେଦନା ଭୋଟ୍ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେଡିର ବହୁ ଟାଣୁଆ ନେତା ଇତି ମଧ୍ୟରେ ଘନ ଘନ ନୂଆପଡ଼ା ଗସ୍ତ କରି ସଂଗଠନ ସଜାଡୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଲେ ଏହା ଜୟଙ୍କୁ ସହାୟକ ହେବ ।
ଅନ୍ୟ ପଟେ ୨୦୨୪ରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ । ୨୦୦୦ ଓ ୨୦୧୪ରେ ଏଠାରୁ ବିଜେପି ବିଧାୟକ ଥିବା ବସନ୍ତ ପଣ୍ଡାଙ୍କ ପୁଅ ହେଲେ ଅଭିନନ୍ଦନ । ପ୍ରଥମ ପଦାର୍ପଣରେ ପରାଜିତ ହୋଇଥିବା ଅଭିନନ୍ଦନ ଏଥର ଜିତିବାକୁ ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୫ ଦିନରେ ଦୁଇ ଥର ନୂଆପଡ଼ା ଗସ୍ତ କରି ବହୁ ପ୍ରକଳ୍ପ ଭେଟି ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁକେଶ ମହାଲିଙ୍ଗ, ରବି ନାରାୟଣ ନାଏକ ପ୍ରମୁଖ ନୂଆପଡ଼ା ଗସ୍ତ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ଯଦିଓ ବିଜେପି ଟିକେଟ୍ ପାଇଁ ପ୍ରସନ୍ନ ପାଢୀ, ଯଦୁମଣି ପାଣିଗ୍ରାହୀ ଆଶାୟୀ ଅଛନ୍ତି । କିନ୍ତୁ ଯୁବ ନେତୃତ୍ୱ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ସର୍ବାଧିକ ।
୨୦୨୪ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସବୁ ଗୋଷ୍ଠୀ ଏକାଠି ହୋଇ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ କରିଥିଲେ । ଏହି ସଂଘରେ ଥିବା ବିଜେଡ଼ି ଓ ବିଜେପି ନେତାମାନେ ମଧ୍ୟ ପରୋକ୍ଷରେ ଘାସିରାମଙ୍କୁ ସହଯୋଗ କରିଥିଲେ । କିନ୍ତୁ ଘାସିରାମ ପୁଣି ଥରେ କଂଗ୍ରେସକୁ ଫେରିଯିବାରୁ ଆଦିବାସୀ କଲ୍ୟାଣ ସଂଘର କିଛି ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଏଥର ଉପନିର୍ବାଚନରେ ଆଦିବାସୀ ଭୋଟ୍ ୩ ଦଳ ଭିତରେ ଭାଗ ଭାଗ ହେବାକୁ ଯାଉଛି। ତ୍ରିକୋଣୀ ମୁକାବିଲାରେ ଏହି ଭୋଟ୍ ବିଜୟୀ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି।