ନୂଆପଡ଼ା, ୨୫/୧୧: ସରିଛି ନୂଆପଡ଼ା ଉପନିର୍ବାଚନ । ସୃଷ୍ଟି ହୋଇଛି ଏକାଧିକ ରେକର୍ଡ । ଛାଡ଼ିଯାଇଛି ଅନେକ ସ୍ମୃତି । ନିର୍ବାଚନରେ ବିଜୟୀ ବିଜେପି ନୂଆ ଅଧ୍ୟାୟ ସୃଷ୍ଟି କରିଥିବାବେଳେ ରାଜନୀତି ନିଶା ପାଇଁ ଜଣେ ପ୍ରାର୍ଥୀଙ୍କୁ ତଳିତଳାନ୍ତ କରିଦେଇଛି । ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବା ଲକ୍ଷ୍ମୀକାନ୍ତ ତାଣ୍ଡି ନିର୍ବାଚନ ଖର୍ଚ୍ଚ ନିମନ୍ତେ ଲକ୍ଷେ ଟଙ୍କାରେ ଜମି ବନ୍ଧକ ରଖିଥିବା ଜଣାପଡ଼ିଛି । ହେଲେ ନିର୍ବାଚନରେ ତାଙ୍କର ଅମାନତ ଉଡ଼ିଯାଇଛି । ତାଙ୍କୁ ମିଳିଛି ମାତ୍ର ୧୩୨୨ ଖଣ୍ଡ ଭୋଟ୍³ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

କୋମନା ବ୍ଲକ ରେଙ୍ଗ ଗାଁର ବାସିନ୍ଦା ଲକ୍ଷ୍ମୀକାନ୍ତ । ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତଙ୍କୁ ଦଳୀୟ ଟିକଟରେ ନିର୍ବାଚନ ଲଢିବାକୁ ନିର୍ଦ୍ଦେଶ ଆସିଥିଲା । ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କୁ ଦଳୀୟ ଟିକଟ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ନାମାଙ୍କନ ଦାଖଲ ଶେଷ ଦିନ ସୁଦ୍ଧା ଦଳୀୟ ଟିକଟ ମିଳି ନ ଥିଲା । ଦଳୀୟ ଟିକଟରେ ନିର୍ବାଚନ ଲଢିବାର ଆଶା ମଉଳି ଯିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।

ଅପରପକ୍ଷେ ଶେଷ ସମୟରେ ଦଳ ହାତ ଛାଡ଼ି ଦେବା ପରେ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ହୋଇଥିଲା । ଏପଟେ ବ୍ୟାନର, ପୋଷ୍ଟର, ପ୍ରଚାର ପାଇଁ ଆବଶ୍ୟକ ମାଇକ୍ ସେଟ୍ ପାଇଁ ମୋଟା ଅଙ୍କର ଟଙ୍କା ଦରକାର ପଡ଼ିଲା । ଲକ୍ଷ୍ମୀକାନ୍ତ ପଛକୁ ହଟି ନ ଥିଲେ । ବ୍ୟାନର ଓ ପୋଷ୍ଟର ଛାପିବାକୁ ୪ ଏକର ପୈତୃକ ଚାଷଜମିରୁ ଗୋଟିଏ ଏକର ବନ୍ଧକ ରଖିବାକୁ ସ୍ଥିର କରିଥିଲେ । ଧାନ ଚାଷ ହୋଇଥିବା ଉକ୍ତ ଜମିକୁ ନିଜ କାକାଙ୍କ ପାଖରେ ବର୍ଷକ ପାଇଁ ଲକ୍ଷେ ଟଙ୍କାରେ ବନ୍ଧକ ରଖିଥିଲେ । ସେହି ଲକ୍ଷେ ଟଙ୍କା ନିର୍ବାଚନ ଖର୍ଚ୍ଚରେ ସାରିଥିଲେ । ନିର୍ବାଚନ ସରିଲା । ଭୋଟ ଗଣତି ବି ସରିଲା । ହେଲେ ଲକ୍ଷ୍ମୀକାନ୍ତ ପାଇଲେ ମାତ୍ର ୧୩୨୨ ଖଣ୍ଡ ଭୋଟ । ନିର୍ବାଚନ ଲଢ଼ିବା ନିଶା ଏବଂ ଆତ୍ମସମ୍ମାନ ପାଇଁ ଲକ୍ଷ୍ମୀକାନ୍ତ ଜମି ବନ୍ଧକ ରଖିବା ଲୋକଲୋଚନର ବିଷୟ ହୋଇଛି । ସୂଚନାଯୋଗ୍ୟ, ଲକ୍ଷ୍ମୀକାନ୍ତ ଅବିବାହିତ । ପରିବାରରେ ମା’ବାପା, ଦୁଇ ଭାଇ ଅଛନ୍ତି ।