ଭୁବନେଶ୍ୱର ୦୮/୦୯: ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ। ୬୯ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କର ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ବହୁ ନେତା ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।
ବିଜେଡି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଳକିଆଙ୍କ ବିୟୋଗ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, "ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି"
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତକୁ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।"
ସ୍ବଗତ ଢ଼ୋଳକିଆଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀକନକ ବର୍ଦ୍ଧନ ସିଂହଦେଓ। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, "ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ସରକାରଙ୍କ ପ୍ଲାନିଂ ଏଣ୍ଡ କନଭର୍ଜେନ୍ସ ମନ୍ତ୍ରୀ ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ତାଙ୍କ ଲୋକପ୍ରିୟତାର ଚାକ୍ଷୁସ ପ୍ରମାଣ । ସ୍ବର୍ଗତ ଢୋଲକିଆଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ। ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି" ।
ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, "ଦୀର୍ଘ ଧରି ଅସୁସ୍ଥ ରହିବା ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ପରିବାର ଓ ପରିଜନ ପ୍ରତି ସମବେଦନା ଜଣାଉଛି ।"