ନୂଆଦିଲ୍ଲୀ: ଜାପାନ ପୁଣି ଥରେ ଏହାର ଲୋକଙ୍କ ଦୀର୍ଘାୟୁ ପାଇଁ ଖବରର ଶିରୋନାମାରେ ରହିଛି। ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଦର୍ଶାଉଛି ଯେ, ୧୦୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୯୯,୭୬୩ ରେ ପହଞ୍ଚିଛି। ଜାପାନ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଦେଶ ଲଗାତାର ୫୫ ବର୍ଷ ଧରି ଏପରି ବିରଳ ରେକର୍ଡର ନିଜ ନାଁରେ କରିଆସିଛି। ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୮୮% ମହିଳା। ଜାପାନରେ ୮୭,୭୮୪ ମହିଳା ଏବଂ ୧୧,୯୭୯ ପୁରୁଷ ୧୦୦ ବର୍ଷରୁ ଅଧିକ ବୟସର ।
ଜାପାନର ସବୁଠାରୁ ବୟସ୍କ ମହିଳାଙ୍କ ବୟସ ୧୧୪ ବର୍ଷ । ଶିଗେକୋ କାଗାୱା ୟାମାଟୋ କୋରିଆମାରେ ରୁହନ୍ତି। ସବୁଠାରୁ ବୟସ୍କ ପୁରୁଷଙ୍କ ବୟସ ୧୧୧ ବର୍ଷ । ତାଙ୍କ ନାମ କିୟୋଟାକା ମିଜୁନୋ, ସେ ଏଟାୱା ସହରର ବାସିନ୍ଦା।
ଜାପାନରେ ଲୋକଙ୍କ ଦୀର୍ଘାୟୁ ହେବାର ଅନେକ କାରଣ ରହିଛି । ମୁଖ୍ୟ କାରଣ ହେଉଛି, ଦେଶରେ ହୃଦରୋଗ ଏବଂ ସାଧାରଣ କର୍କଟ (ସ୍ତନ ଏବଂ ପ୍ରୋଷ୍ଟେଟ୍ କର୍କଟ)ରେ ମୃତ୍ୟୁ ସଂଖ୍ୟା କମ୍ । ଜାପାନର ଲୋକମାନେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସକ୍ରିୟ ରୁହନ୍ତି । ଆମେରିକା ଏବଂ ୟୁରୋପର ଲୋକମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଚାଲିଥାନ୍ତି। ଏହା ବ୍ୟତୀତ, ଜାପାନରେ ସାର୍ବଜନୀନ ପରିବହନ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ।
ଦ୍ୱିତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଖାଦ୍ୟ। ଜାପାନୀ ଲୋକମାନେ ବହୁତ କମ୍ ଲାଲ ମାଂସ ଖାଆନ୍ତି। ସେମାନେ ମାଛ, ପନିପରିବା ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି। ଏହା ଫଳରେ ସେଠାରେ ମେଦବହୁଳତା ହାର କମ୍ । ଏହା ବ୍ୟତୀତ, ସେମାନେ ବହୁତ କମ୍ ଲୁଣ ମଧ୍ୟ ବ୍ୟବହାର କରନ୍ତି। ଲୁଣ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗର ଏକ ପ୍ରମୁଖ କାରଣ।
ଜାପାନର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧ ପାଉଛି । ସେଠାରେ ଲୋକମାନଙ୍କ ହାରାହାରି ବୟସ ବଢ଼ୁଛି ଏବଂ ଜନ୍ମହାର କମୁଛି । ଏହା ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତଥାପି, ସୁସ୍ଥ ଜୀବନଶୈଳୀ ଅଭ୍ୟାସ ଆମ ଶରୀରକୁ କିପରି ପ୍ରଭାବିତ କରେ ଓ ଏକ ସନ୍ତୁଳିତ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ କିପରି ଜୀବନ ବୃଦ୍ଧି କରିପାରେ ତାହା ମଧ୍ୟ ବିଶ୍ବ ପାଇଁ ଏକ ଉଦାହରଣ ପାଲଟିଛି ।