ନୂଆଦିଲ୍ଲୀ, ୨୩/୦୭ : ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି । ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍‌ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ୱର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍‌ ମଧ୍ୟରେ ପାଇରେନିଜ୍‌ ପର୍ବତମାଳାରେ ସ୍ଥିତ ଏକ ଛୋଟ ଦେଶ । ତାଲିକାର ଶୀର୍ଷ ୫ ଦେଶରେ ୩ ଆରବ ଦେଶ ରହିଛି । ଖାସ୍‌ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି ଦେଶ ତୁଳନାରେ ଅଧିକ ସୁରକ୍ଷିତ ଦେଶ ଭାବେ ସ୍ଥାନୀତ କରାଯାଇଛି । 

ତାଲିକାରେ ମୋଟ୍‌ ୧୪୭ ଦେଶଙ୍କୁ ସାମିଲ କରାଯାଇଛି । ଏଥିରେ ୟୁଏଇ, କତର ଓ ଓମାନ ସମେତ ତାଇୱାନକୁ ସବୁଠୁ କମ୍‌ ଅପରାଧ ହାର ଏବଂ ମଜଭୁତ ସୁରକ୍ଷା ଢାଞ୍ଚାଯୁକ୍ତ ବିଶ୍ୱର ଶୀର୍ଷ ୫ ଦେଶରେ ସାମିଲ କରାଯାଇଛି । ତାଲିକାର ୬୬ତମ (ସ୍କୋର୍‌: ୫୫.୭) ସ୍ଥାନରେ ଅଛି ଭାରତ । ଅନ୍ୟପକ୍ଷେ, ବ୍ରିଟେନ ୮୭ତମ (ସ୍କୋର୍‌: ୫୧.୭) ଓ ଆମେରିକା ୮୯ତମ (ସ୍କୋର୍‌: ୫୦.୮) ସ୍ଥାନରେ ଅଛି । ଭାରତର ପଡ଼ୋଶୀ ଦେଶ ଚୀନ୍‌ ୧୫ତମ ସ୍ଥାନ (ସ୍କୋର୍‌: ୭୬:୦) ହାସଲ କରିଛି । ଶ୍ରୀଲଙ୍କା ୫୯ତମ ସ୍ଥାନ (ସ୍କୋର୍‌: ୫୭.୯) ଏବଂ ପାକିସ୍ତାନ ୬୫ତମ (ସ୍କୋର୍‌: ୫୬.୩) ସ୍ଥାନରେ ଅଛି । ଉଭୟ ଦେଶ ଭାରତ ପାଖାପାଖି ସ୍ଥାନ ହାସଲ କରିଛନ୍ତି । ରାଜନୈତିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ବାଂଲାଦେଶ ୧୨୬ତମ(ସ୍କୋର୍‌: ୩୮.୪) ସ୍ଥାନରେ ଅଛି । 

ତଥ୍ୟ ଅନୁସାରେ, ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ୨୦୨୫ରେ ସବୁଠୁ ଅସୁରକ୍ଷିତ ଦେଶ ହୋଇଛି । ତାଲିବାନ ଶାସିତ ଆଫଗାନିସ୍ତାନର ସ୍ଥିତି ମଧ୍ୟ ବହୁତ ଖରାପ । ଏହା ୧୪୪ତମ ସ୍ଥାନରେ ଅଛି । ନିରନ୍ତର ଗୃହଯୁଦ୍ଧ ଓ ହିଂସାର ସମ୍ମୁଖୀନ ହେଉଥିବା ସିରିଆ ୧୪୦ତମ ସ୍ଥାନରେ ଅଛି । ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ ୟୁଜର୍‌ଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରସ୍ତୁତ ହୋଇଛି । ଅପରାଧ ହାର, ଜନସାଧାରଣ ସୁରକ୍ଷା, ବ୍ୟକ୍ତିଗତ ନିରାପତ୍ତା ସମ୍ପର୍କିତ ତଥ୍ୟକୁ ଏଥିରେ ପ୍ରାଧାନ୍ୟ ଦିଆଯାଏ । ବିଶ୍ୱରେ ସୁରକ୍ଷା ଓ ନିରାପତ୍ତାର ମାପକ ଭାବେ ଏହା ବ୍ୟାପକ ରୂପେ ସମର୍ଥିତ ସୂଚକାଙ୍କ ।