ନୂଆପଡ଼ା,୨୬/୧୦ :ସମାନ ଷ୍ଟାଇଲ୍ । ସମାନ ଫର୍ମୁଲା । ରାଜେନ୍ଦ୍ର ଢୋଲକିଆଙ୍କ ପ୍ରଚାର ଶୈଳୀକୁ ଆପଣାଇଛନ୍ତି ତିନି ରାଜନୈତିକ ଦଳର ନେତା । ସାଂସ୍କୃତିକ ଉତ୍ସବ, ପୂଜାମଣ୍ଡପକୁ ଯାଉଛନ୍ତି । କେଉଁଠି ନିଜେ ନାଚୁଛନ୍ତି, ବୟସ୍କଙ୍କ ଗୋଡ଼ ଛୁଇଁ ମୁଣ୍ଡିଆ ମାରି ମାଗୁଛନ୍ତି ଭୋଟ । ଏବେ ଗିରିଗୋବର୍ଦ୍ଧନ ପୂଜା ଅବସରରେ କେଉଁଠି ଦଣ୍ଡନାଚ, ଅପେରା ଆଉ କେଉଁଠି ଶୁଆନାଚ ହେଉଛି । ଲୋକଙ୍କ ଗହଳିରେ ଭୋଟଭିକ୍ଷା କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସର ହେଭିୱେଟ୍ ।
ନୂଆପଡ଼ା ଜିଲ୍ଲାରେ ଏବେ ଉତ୍ସବର ମାହୋଲ । ଦୀପାବଳି ପରଠୁ ନୂଆପଡ଼ା ଓ କୋମନା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଚାଲିଛି । କେଉଁଠି ତିନି ଦିନ, କେଉଁଠି ପାଞ୍ଚ ଦିନ ତ ଆଉ କେତେକ ସ୍ଥାନରେ ସପ୍ତାହବ୍ୟାପୀ ଉତ୍ସବ ଚାଲିଛି । ଉପନିର୍ବାଚନ ବେଳେ ଏଭଳି ପାର୍ବଣର ଆୟୋଜନ ନେତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇଛି । ନେତାଏ ଗାଁ ଗାଁକୁ ଯାଇ କେଉଁଠି ନିଜେ ନାଚୁଛନ୍ତି ତ’ ଆଉ କେଉଁଠି ଗ୍ରାମବାସୀଙ୍କୁ ନଚାଉଛନ୍ତି । କିଏ ପୁଣି କୃଷ୍ଣ ରସାମୃତ କହୁଛନ୍ତି । ଗ୍ରାମବାସୀ ଏହାର ଭରପୁର ଆନନ୍ଦ ନେଉଛନ୍ତି । କେଉଁ ଦଳର ନେତା ଗାଁକୁ ଆସିବେ ଆସିବେ ସେନେଇ ପୂର୍ବରୁ ଆଲୋଚନା ହେଉଛି । କିଏ ଆସିଲେ କେଉଁ ପ୍ରକାରେ ସ୍ୱାଗତ କରାଯିବ ତାହାର ଯୋଜନା କରି ଯୁବକମାନେ ପ୍ରସ୍ତୁତ ରହୁଛନ୍ତି । ଗିରିଗୋବର୍ଦ୍ଧନ ପୂଜା ଉପନିର୍ବାଚନକୁ ଅଧିକ ସରଗରମ କରିଛି ।
ନୂଆପଡ଼ା ଜିଲ୍ଲାରେ ଯାଦବଙ୍କ ସଂଖ୍ୟା ଅଧିକ । ତେଣୁ ଦୀପାବଳି ପରଠୁ ଜିଲ୍ଲାବ୍ୟାପୀ ଧୁମ୍ଧାମ୍ରେ ଗିରିଗୋବର୍ଦ୍ଧନ ପୂଜା ଚାଲିଛି । ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ବ୍ଲକରେ ଦୀପାବଳି ପୂର୍ବ ଓ ପରେ ଶୁଆନାଚ ହେଉଛି । ଏହାକୁ ଜିଲ୍ଲା ବାହାରର ନେତାମାନେ ମନଭରି ଉପଭୋଗ କରିବା ସହ ଝିଅମାନଙ୍କୁ ପୁରସ୍କୃତ କରୁଛନ୍ତି । ସେଠି ଜୁହାର ଭେଟ ହୋଇ ଭୋଟଭିକ୍ଷା କରୁଛନ୍ତି । ନୂଆପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବ୍ଲକ୍ର ଜୁନାନୀ, କୋମନା ବ୍ଲକର ଗନିଆରି, ତରବୋଡ଼, କୋମନା, ଧୁମାଭଟା, କଣ୍ଟାପାଲି ଭଳି ଗାଁରେ ଗିରିଗୋବର୍ଦ୍ଧନ ପୂଜାରେ ଅନେକ ସ୍ଥାନରେ ସମ୍ପ୍ରଦା, ଦଣ୍ଡନୃତ୍ୟ, ନାଟକ, ଅପେରା ଆଦି ଆୟୋଜନ ହେଉଛି । କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଆଖପାଖ ଗାଁରୁ ଲୋକ ମେଳାକୁ ଆସୁଛନ୍ତି । ଲୋକଙ୍କୁ ଭେଟିବା ପାଇଁ ରାତିରେ ନେତାଏ ଗାଁ ମୁହାଁ ହେଉଛନ୍ତି ।
ତିନି ଦଳ ତଳେ କୋମନାରେ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ସେଠାରେ ପହଞ୍ଚି ସିଧା ବାଡ଼ି ଖେଳିବା ଆରମ୍ଭ କରିଥିଲେ । ବିଧାୟକ ଗଉର ବାଡ଼ି ଖେଳୁଥିବା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଲା । ବିଧାୟକ ସେଇଠି ବିଜେପି ପାଇଁ ଭୋଟ ଭିକ୍ଷା କରିବାର ସୁଯୋଗ ହାତଛଡ଼ା କରିନଥିଲେ । ଗତ ୨୨ରେ ପିସିସି ସଭାପତି ଭକ୍ତଚରଣ ଦାସ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ତରବୋଡ଼ ଓ ଗନିଆରା ପହଞ୍ଚିଥିଲେ । ତରବୋଡ଼ଠାରେ କୃଷ୍ଣଚରିତ ଆଲୋଚନା କରି ଯୁବବର୍ଗ କୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଗ୍ରାମବାସୀ ବିବେକ ଡାକକୁ ଶୁଣି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।
ସେହିଭଳି ୨୩ ତାରିଖରେ ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି ନେତା ଏକାଧିକ ଗ୍ରାମକୁ ଯାଇ ପୂଜାରେ ସାମିଲ ହୋଇଥିଲେ। ଦେବ ଦର୍ଶନପରେ ସ୍ନେହାଙ୍ଗିନୀ ମହିଳାଙ୍କ ପାଖକୁ ଯାଇ ଜୁହାର କରି ଭୋଟଭିକ୍ଷା କରିଥିଲେ । ଗତକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ମନ୍ତ୍ରୀ ରବିନାରାୟଣ ନାଏକ, ଗଣେଶରାମ ଖୁଣ୍ଟିଆ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କୋମନା ବ୍ଲକର ସମସ୍ତ ପୂଜା ମଣ୍ଡପ ଦର୍ଶନ କରି ଆଶିଷ ନେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭିଡ଼କୁ ପଶିଯାଇ ବିଜେପି ପ୍ରାର୍ଥୀ ଜୟ ବୟସ୍କ ମାନଙ୍କ ପାଦଛୁଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଭିନ୍ନ ଗ୍ରାମରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଭୋଟ ମାଗୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଲୋକେ ସବୁଠି ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ମନେପକାଉଥିବା ଦେଖିବାକୁ ମିଳିଛି ।
୨୦୦୪ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ସେତେବେଳେ ତାଙ୍କ ପାଖରେ ଦଳୀୟ ଟିକଟ ନ ଥିଲା କି ଜନବଳ ନଥିଲା । ଲୋକ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ଥିଲା । ଏଣୁ ସେ ବିକଳ୍ପ ପନ୍ଥା ଆପଣେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାରଙ୍କୁ ଡାକି ନୃତ୍ୟଗୀତର ଆସର କରୁଥିଲେ । ସେଠି ଲୋକଙ୍କ ଭିଡ଼ହେବା ପରେ ସେ ଭୋଟଭିକ୍ଷା କରୁଥିଲେ । ଏହାଦ୍ୱାରା ସେ ଅଧିକ ସଂଖ୍ୟକ ଲୋକଙ୍କ ସହ ଯୋଡ଼ି ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଏହା ପରଠୁ ସବୁ ନିର୍ବାଚନ ବେଳେ ରାଜେନ୍ଦ୍ର ଏଭଳି ଶୈଳୀରେ ନିର୍ବାଚନୀ ପ୍ରଚାର କରୁଥିଲେ । ଚଳିତ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ଏହି ପନ୍ଥା ଆପଣେଇଛନ୍ତି ।