ନୂଆପଡ଼ା/ଭୁବନେଶ୍ୱର,୧୦/୧୧: ସରିଗଲା ଘୋଘା, ଧୂମ୍ଧାମ୍ । ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ଏବେ ଭିତରେ ଭିତରେ ଜମିବ ଅସଲ ଖେଳ । ଏଣିକି ପ୍ରାର୍ଥୀମାନେ ବୁଲାବୁଲି ପ୍ରଚାର କରିବା ବନ୍ଦ କରି ଘରେ ବସି ଅଙ୍କ କଷିବା ଆରମ୍ଭ କରିଛନ୍ତି । କେଉଁଠି ସ୍ଥିତି ଭଲ ରହିଛି, କେଉଁଠି ଉଣା ରହିଗଲା, ସେଇ କଥା ବୁଝୁଛନ୍ତି । ନିଜ ନିଜ ବୁଥ୍ ଜଗିବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଯାଇଛି । ଆଉ ଦିନକ ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଠି ବିଜେପି, ବିଜେଡ଼ି ଓ କଂଗ୍ରେସ ସହ ୧୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ହେଲେ ଇତିମଧ୍ୟରେ ଦୁଇ ଜଣ ପ୍ରାର୍ଥୀ ମତଦାନ ପୂର୍ବରୁ ଅନ୍ୟଦଳରେ ଆତ୍ମସମର୍ପଣ କରିସାରିଛନ୍ତି ।
ରବିବାର ଅପରାହ୍ନ ୪ଟାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଗତ ୨୦ଦିନର ନିର୍ବାଚନୀ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏବେ ସବୁ ଦଳୀୟ କର୍ମୀ ଓ ସମର୍ଥକମାନେ ଶେଷ ପର୍ଯ୍ୟାୟ ଲଢ଼େଇ ପାଇଁ ପୂରା ଦମରେ ଲାଗିପଡ଼ିଛନ୍ତି । ନିର୍ବାଚନୀ ଚିରକୁଟ ବାଣ୍ଟିବା ଅଭିଯାନ ଆରମ୍ଭ ହୋଇଛି । ଏବେ ଗାଁ ଓ ତୃଣମୂଳସ୍ତରୀୟ କର୍ମୀଙ୍କ ଅନ୍ଧାରୀ ବିଜେ ଆରମ୍ଭ ହୋଇଛି । ଦିନ ଓ ରାତିରେ ନିଛାଟିଆ ସମୟରେ ଘରକୁ ଘର ବୁଲି ଭୋଟ ହିସାବରେ ମାତିଛନ୍ତି ଯୁବ କର୍ମୀମାନେ । ଯାହା ହୋଇପାରିବ, ଭୋଟ ଖଣ୍ଡିଏ ପାଇଁ ସବୁ କରାଯାଉଛି । ଏଠି ସବୁ ପ୍ରାର୍ଥୀ ଓ ଦଳ ନିଜ ଗଡ଼ ଜଗିବା ସହ ଦୁର୍ବଳ ଜୋନ୍ରେ ଗଳାବାଟ ଦେଇ ପଶିବାକୁ ଲାଗୁଛନ୍ତି ।
ଶେଷଦିନରେ ସବୁ ଦଳୀୟ ପ୍ରାର୍ଥୀ ଦମ୍ ଲଗାଇ ପ୍ରଚାର କରିଛନ୍ତି । ସ୍ଥାନୀୟ ପୁଲିସ ପଡ଼ିଆରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶେଷ ୩୦ମିନିଟ ନିର୍ବାଚନୀ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଗାଁଠୁ ସହର ସବୁଠି ଭୋଜିଭାତର ଆସର ଜମିଛି । ସମର୍ଥକ ଓ କର୍ମୀମାନେ ଭୋଜିଭାତ ଖାଇ ନିଜ ବୁଥ୍ ଓ ଗାଁକୁ ଦିନରାତି ଜଗିବା ଆରମ୍ଭ କରିଛନ୍ତି । କାଳେ ଅନ୍ୟପ୍ରାର୍ଥୀଙ୍କ ସମର୍ଥକମାନେ ଆସିବେ ଓ ଖେଳ ବିଗାଡ଼ିବେ ବୋଲି ଆଶଙ୍କା କରି ସଜାଗ ହୋଇପଡ଼ିଛନ୍ତି । ବିଜେପି, ବିଜେଡ଼ି ଓ କଂଗ୍ରେସର ବଡ଼ବଡ଼ିଆ ନେତାଙ୍କ ଆଗମନ କମ୍ ଥିଲା । ଦିନତମାମ ପ୍ରାର୍ଥୀମାନେ ଏକା ଏକା ପ୍ରଚାରରେ ବୁଲିଥିଲେ । ହାତଯୋଡ଼ି ଜନସାଧାରଣଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଭୋଟର ବି ହସିହସି ସଭିଙ୍କୁ ହଁ ଭରିଛନ୍ତି ।
କିନ୍ତୁ ସୁନା କଳସ କାହା ମୁଣ୍ଡରେ ଢାଳିବେ କିଛି ସ୍ପଷ୍ଟ କରୁନାହାନ୍ତି । କୋମନା ହେଉକି ନୂଆପଡ଼ା ବ୍ଲକ, ଖରିଆର ରୋଡ଼ ହେଉକି ନୂଆପଡ଼ା ଏନ୍ଏସି । ଯୁଆଡ଼େ ଯିବେ ଓ ପଚାରିବେ, ସବୁଠି ଲୋକେ ଦ୍ୱନ୍ଦ୍ୱ ବଢାଉଛନ୍ତି । ପଚାରିଲେ ସବୁ ପ୍ରାର୍ଥୀଙ୍କ ଭଲ କଥା କହୁଛନ୍ତି । କିଏ କହୁଛି ୟାଙ୍କ ହାୱା ଅଛି ତ ଆଉ କିଏ କହୁଛି ସିଏ ଭଲ । କିନ୍ତୁ କେହି କହୁନାହାନ୍ତି କାହାକୁ ଭୋଟ୍ ଦେବେ । ଏଠି ପ୍ରାର୍ଥୀ, ନେତା ଓ ସମର୍ଥକଙ୍କ ମଧ୍ୟରେ ଆକଳନ ହେଉଛି । କିନ୍ତୁ ଭୋଟର ନିରବ ।
ଏଥର ନୂଆପଡ଼ା ୨୮ ବର୍ଷ ପରେ ପୁଣି ଉପନିର୍ବାଚନ ଦେଖୁଛି । ନିର୍ବାଚନରେ ଘମାଘୋଟ୍ ଭୋଟ୍ ଲଢ଼େଇ ଚାଲିଛି । ଅନ୍ୟପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ମଳ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଉଦ୍ୟମ ଚଳାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ କରିଛି ପୁଲିସ ବାହିନୀ । ସୀମାନ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ତରଫରୁ ଯାନବାହନ ଆଦି ଯାଞ୍ଚ କରାଯାଉଛି । ନୂଆପଡ଼ାରେ ୪୭ଟି ସମ୍ୱେଦନଶୀଳ ବୁଥ୍ ଅଛି । ସବୁ ବୁଥ୍ରେ ପୁଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନ କହିଛନ୍ତି ।
ମଙ୍ଗଳବାର ନୂଆପଡ଼ା ଭୋଟ୍ ନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ୍ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର୍। ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଓ ପୁରୁଷଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ । ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୩୫୮ଟି ବୁଥ୍ ଭିତରୁ ୪୭ଟି ସମ୍ୱେଦନଶୀଳ ଓ ୮ଟିକୁ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ଏହି ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥ୍କୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
ସୁନାବେଡ଼ାରୁ ଭୋଟଗ୍ରହଣ ସାରି ଫେରିବାକୁ ରାତି ହେବାର ସମ୍ଭାବନା ଥିବାରୁ ଗତକାଲି ରାତିରେ ଗୋତମା ଏୟାରଷ୍ଟ୍ରିପରେ ବାୟୁସେନା ହେଲିକପ୍ଟର ସଫଳ ପରୀକ୍ଷଣ ଅବତରଣ ବି କରାଯାଇଛି । କେବଳ ମାଓ ଅଧ୍ୟୁଷିତ ଓ ଦୁର୍ଗମ ୪୭ଟି ବୁଥରେ ମତଦାନ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବାକୁ ଥିବା ବେଳେ ବାକି ସବୁଠି ମତଦାନ ଅପରାହ୍ଣ ୫ଟା ଯାଏଁ ଚାଲିବ ।
ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମସ୍ତ ୩୫୮ଟି ଯାକ ବୁଥ୍ରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ପ୍ରତି ପୋଲିଂ ପାର୍ଟି ସହ ୫ ଜଣ ସରକାରୀ କର୍ମଚାରୀ ବୁଥ୍କୁ ଯିବେ । ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ୱେଦନଶୀଳ ବୁଥ୍ରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।
ସୋମବାର ସକାଳେ ନୂଆପଡ଼ାର ନ୍ୟାସନାଲ କଲେଜ ପଡ଼ିଆରୁ ଇଭିଏମ, ଭିଭିପାଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ଟିମ୍ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଗାଡ଼ି ରିକ୍ୟୁଜିସନ୍ ସରିଯାଇଛି । ସେହିପରି କେଉଁ ଗାଡ଼ିରେ କିଏ କେଉଁ ବୁଥକୁ ଯିବେ, କେଉଁ ଟିମର ଡ୍ରାଇଭର କିଏ, ଏସବୁ ସୂଚନାକୁ ସୁବ୍ୟବସ୍ଥିତ କରିବାକୁ ମୋଟ୍ ୩୭ଟି କାଉଣ୍ଟର ହୋଇଛି ।