ଖଡ଼ିଆଳ,୧୨/୦୭: ପୁଅ ବଦଳରେ ମାଆକୁ ଦିଆଗଲା ଇଞ୍ଜେକସନ । ଏମିତି ଏକ ଅଭିଯୋଗ ଆସିଛି ଖଡ଼ିଆଳ ହସ୍ପିଟାଲରୁ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର ରାଜୁ ତାଣ୍ଡିଙ୍କ ଦୁଇବର୍ଷର ପୁଅ ଡୁଲେଶ୍ୱରକୁ ଜ୍ୱର ହେବାରୁ ଶୁକ୍ରବାର ଡାକ୍ତରଖାନାକୁ ଆଣିଥିଲେ । ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝିଙ୍କୁ ଦେଖାଇଥିଲେ । ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ । କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆକୁ ଇଞ୍ଜେକସନ ଦେବା ବଦଳରେ ମାଆ ଅଞ୍ଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।
ଅଞ୍ଜୁଙ୍କ ପେଟରେ ଛୁଞ୍ଚି ଫୋଡିବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି । ତାଙ୍କ ପେଟ ଦରଦ ହେଉଥିବା ଅଞ୍ଜୁ କହିଛନ୍ତି । ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ । ଏନେଇ ମେଡିକାଲ ଇନ୍ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝିଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ । ମାଆର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବନାହିଁ ବୋଲି ଜଣାଇଥିଲେ।