ନୂଆପଡ଼ା, ୨୧/୧୨: ଖାକିରେ  କଳଙ୍କ । ଜଣେ ନର୍ସଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ  ପ୍ରତାରଣା କରିଥିବା ଅଭିଯୋଗରେ  ନୂଆପଡ଼ା ପୁଲିସ୍‌ ଶୁକ୍ରବାର ଜଣେ  କନଷ୍ଟେବଲ୍‌ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜୋଙ୍କ ଥାନାରେ  କାର୍ଯ୍ୟରତ କନଷ୍ଟେବଲ୍‌ ଧନଞ୍ଜୟ ସୁନା । 

ଅଭିଯୋଗ ଅନୁଯାୟୀ, ଦୁଇବର୍ଷ  ତଳେ ଧନଞ୍ଜୟଙ୍କ ସହ ନୂଆପଡ଼ା ଅଞ୍ଚଳର  ଏକ ଘରୋଇ ନର୍ସିଂହୋମ୍‌ରେ କାର୍ଯ୍ୟରତ ଜଣେ ଯୁବତୀ (ନର୍ସିଂ କର୍ମଚାରୀ)ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି  ଉଠିଥିଲା । ବିବାହ ପ୍ରତିଶ୍ରୁତି ଦେଇ ସେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ।  ତେବେ ଧନଞ୍ଜୟଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ପୀଡ଼ିତା  ଯୁବତୀ ନୂଆପଡ଼ା ଥାନାର ଦ୍ୱାରସ୍ଥ ହୋଇ ବଳାତ୍କାର ଅଭିଯୋଗ ଆଣିଥିଲେ ।  ପୁଲିସ୍‌ ତଦନ୍ତ କରି ଧନଞ୍ଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ  ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା  ଥାନାଧିକାରୀ ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।