ନବରଙ୍ଗପୁର,୧୦/୦୮: ବଞ୍ଚିବାକୁ ସଂଘର୍ଷ କରି ଦୀର୍ଘ  ୧୬ ଦିନ ପରେ ଶେଷରେ ଆଖି ବୁଜିଛନ୍ତି ରାଇଘର ବ୍ଲକ  ଅଞ୍ଚଳର ନର୍ସିଂଛାତ୍ରୀ । ଶନିବାର ଅପରାହ୍ଣରେ ଭୁବନେଶ୍ୱର  ଏମସ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା  କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ  ବୋଲି ଜଣାପଡ଼ିଛି । ଆପତ୍ତିଜନକ ଫଟୋ ଭାଇରାଲ୍‌  ଯୋଗୁ ଛାତ୍ରୀ ଜଣଙ୍କ କୀଟନାଶକ ପିଇ ଦେଇଥିଲେ ।  

ସୂଚନାଥାଉ କି, ଏକତରଫା ପ୍ରେମ କରୁଥିବା  ଜଣେ ଯୁବକଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନାର  ଶିକାର ହୋଇଥିଲେ ନର୍ସିଂ ପଢ଼ୁଥିବା ଛାତ୍ରୀ ଜଣଙ୍କ ।  ଆପତ୍ତିଜନକ ଫଟୋ ପଟୋ ଭାଇରାଲ୍‌ କରିଥିଲେ  ଯୁବକ ଜଣଙ୍କ । ଏହାକୁ ନେଇ ଗତ ଜୁଲାଇ ୨୩ରେ  ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟପୁର ଏବଂ  ପରେ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଥିଲା ।  କୀଟନାଶକ ପ୍ରଭାବରେ ତାଙ୍କ ଶରୀର ଏକାଧିକ ଅଙ୍ଗ  ଅଚଳ ହୋଇଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପରେ  ଛାତ୍ରୀଙ୍କ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ ।  ଅଭିଯୁକ୍ତ ପ୍ରେମିକ ସତ୍ୟଜିତ ସର୍କାରକୁ ପୁଲିସ ନୟାଗଡ଼ର  ଦଶପଲ୍ଲାରୁ ଉଠାଇ ଆଣିଥିଲା। ମାମଲାର ଅନ୍ୟତମ  ଅଭିଯୁକ୍ତ ତଥା ଛାତ୍ରୀଙ୍କ ସହ ଫଟୋ ଉଠାଇଥିବା ଉଦ୍ଧବ  ଗଡ଼ନାୟକକୁ ଜୟପୁରରୁ ଗିରଫ କରାଯାଇଥିଲା । ଡାକ୍ତରଙ୍କ ଶତଚେଷ୍ଟା ଛାତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲା ।