ଦେବଗଡ଼,୨୦/୧୦: ଘରର ଏକମାତ୍ର ସନ୍ତାନ ଭାବେ ଜନ୍ମ ହୋଇ ନିଜ ପରିବାରର ଆର୍ଥିକ ସ୍ଥିତି  ସଜାଡ଼ିବାକୁ ୨ ବର୍ଷ ହେଲା ପୋଷ୍ଟ ପିଅନ କାମ କରୁଥିବା ତିଳେଇବଣି ବ୍ଲକ କଂସର ଗ୍ରାମର ଭାନୁପ୍ରତାପ ମାଝୀ  ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚଳିତ  ବର୍ଷର ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷାରେ ୩୯୦ ନମ୍ବର  ର‌୍ୟାଙ୍କ୍‌ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି ଭାନୁପ୍ରତାପ ।  

କଂସର ଗାଁ ଗମ୍ଭାରିପାଲି ସାହିର ଚାଷୀ ବାପା ଜଗନ୍ନାଥ ମାଝୀ ଓ ଗୃହିଣୀ ମାଆ ତପସ୍ୱିନୀ ମାଝୀଙ୍କ ଏକମାତ୍ର  ସନ୍ତାନ ସେ । ୨୦୦୦ ମସିହା ମାର୍ଚ୍ଚ ୨୯ ତାରିଖ ଜନ୍ମିତ  ଭାନୁପ୍ରତାପ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରରୁ  ପ୍ରାଥମିକ ଶିକ୍ଷା ଗ୍ରହଣ  କରି ୨୦୧୫ରେ ସୁନାମୁଣ୍ଡା ଜବାହର ନବୋଦୟ  ବିଦ୍ୟାଳୟରୁ ହାଇସ୍କୁଲ  ଓ ୨୦୧୭ରେ ବଲାଙ୍ଗୀର  ଜବାହର ନବୋଦୟ ବିଦ୍ୟାଳୟରୁ ଯୁକ୍ତ-୨ ପାସ୍‌ ପରେ ସମ୍ବଲପୁର ଗଙ୍ଗାଧର ମେହେର ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ (ଇଗ୍‌ନୋ) ରୁ ୨୦୨୧ରେ ସ୍ୱାତକ ଡିଗ୍ରୀ ହାସଲ କରିଥିଲେ । 

ଉଚ୍ଚ ଶିକ୍ଷା ପାଇଁ ପରିବାରର ଦୁର୍ବଳ ଆର୍ଥିକ ପରିସ୍ଥିତି ବାଧକ  ସାଜିବାରୁ ଭାନୁପ୍ରତାପ ୨୦୨୨ରେ କଂସର ଗ୍ରାମ୍ୟ  ଡାକଘରେ ପୋଷ୍ଟ ପିଅନ ଭାବେ କାମ କରିବା ସହ  ଓପିଏସ୍‌ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଆଜି  ତାଙ୍କର ନିଷ୍ଠାପର ଉଦ୍ୟମ ଓ ଅକ୍ଳାନ୍ତ ପରିଶ୍ରମର ଫଳ ସ୍ୱରୂପ ଏଭଳି ସଫଳତା ମିଳିବା ପରେ ଅଞ୍ଚଳରେ  ଖୁସିର ମାହୋଲ ସୃଷ୍ଟି କରିବା ସହ ତାଙ୍କ ପାଖକୁ  ଶୁଭେଚ୍ଛୁଙ୍କ ସୁଅ ଛୁଟିଛି ।