କଟକ,୦୭/୦୭: ରାଜ୍ୟରେ ତୃଣମୂଳ  ସ୍ତରରେ କ୍ରିକେଟର ବିକାଶ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏରିଭା ସ୍ପୋର୍ଟ୍ସ  ସହଭାଗିତାରେ ଆସନ୍ତା ସପ୍ଟେମ୍ବରରେ ବାରବାଟୀ  ଷ୍ଟାଡିୟମରେ ଆୟୋଜିତ ହେବ ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍‌(ଓପିଟିଏଲ୍‌) । ଏଥିରେ ୬ଟି ଦଳ  ଭାଗ ନେବା ସହ ରାଜ୍ୟର ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ଡ୍ରାଫ୍ଟ ଆକାରରେ କିଣାଯିବ । ଓସିଏର  ଆପେକ୍ସ କାଉନସିଲ ବୈଠକରେ ଲିଗ୍‌ ଆୟୋଜନ  ସଂପର୍କରେ ଆଲୋଚନା ହୋଇଥିଲା । ସୋମବାର ଠାରୁ ଓସିଏର ଅଫିସିଆଲ ୱେବ୍‌ସାଇଟ୍‌ରେ  ଫ୍ରାଞ୍ଚାଇଜ୍‌ ଆଶାୟୀଙ୍କ ନିମନ୍ତେ ଇଓଆଇ(ଦି  ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ୍‌)  ଡକ୍ୟୁମେଣ୍ଟ ଉପଲବ୍ଧ ରହିବ ବୋଲି  ଓସିଏ ତରଫରୁ ସୂଚନା ଦିଆଯାଇଛି ।  

ଅତୀତରେ ଓଡି଼ଶା ପ୍ରିମିୟର  ଲିଗ୍‌(ଓପିଏଲ୍‌) ଏବଂ ଓଡ଼ିଶା  କ୍ରିକେଟ ଲିଗ୍‌(ଓସିଏଲ୍‌)ର ସଫଳତା  ପରେ ରାଜ୍ୟ କ୍ରିକେଟ ସଂଘ ଏବେ ଘରୋଇ  ପେଶାଦାର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନୂଆ ଢାଞ୍ଚାରେ  ଆୟୋଜନ କରୁଛି । ବେଙ୍ଗଲ, ବିଦର୍ଭ,  ସୌରାଷ୍ଟ୍ରରେ ଲିଗ୍‌ ଆୟୋଜନ କରିଥିବା ଏରିଭା ସ୍ପୋର୍ଟ୍ସ ଚଳିତ  ବର୍ଷ ଠାରୁ ଓଡି଼ଶାରେ ଟୁର୍ଣ୍ଣାମେଣ୍ଟ  ଆୟୋଜନ ଦାୟିତ୍ୱ ସମ୍ଭାଳିବ ।  ରାଜ୍ୟର ବିଭିନ୍ନ ଅଞ୍ଚଳକୁ  ନେଇ ୬ଟି ଦଳ ଗଠନ ହେବ । 

ଓସିଏ ସମ୍ପାଦକ  ସଞ୍ଜୟ କହିଛନ୍ତି, ‘ରାଜ୍ୟରେ କ୍ରିକେଟର ଧାରାକୁ  ବଦଳାଇବା କ୍ଷେତ୍ରରେ ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି  ଲିଗ୍‌ ସହାୟକ ହେବ । ପ୍ରତିଭାବାନ ଖେଳାଳିଙ୍କୁ  ନେଇ ପେଶାଦାର ଢ଼ାଞ୍ଚାରେ ଲିଗ୍‌ ଖେଳାଯିବ ।  ଓଡ଼ିଶାରେ ଅନ୍ୟ କ୍ରୀଡ଼ା ଗୁଡିକର ଦୃଷ୍ଟାନ୍ତମୂଳକ  ବିକାଶ ଘଟୁଛି, ଏବେ କ୍ରିକେଟର ପାଳି ।’ 

ଓସିଏ ସହଯୋଗରେ ଉକ୍ତ ଲିଗ୍‌ ଆୟୋଜନ  ନେଇ ଉତ୍ସାହିତ ଥିବା କହିଛନ୍ତି ଏରିଭା ସ୍ପୋର୍ଟସର  କୋ-ଫାଉଣ୍ଡର ରଜନୀଶ ଚୋପ୍ରା । ସେ କହିଛନ୍ତି,‘ଓପିଟିଏଲ୍‌ କେବଳ କ୍ରୀଡ଼ା ଭିତ୍ତିକ ମନୋରଞ୍ଜନ  ଯୋଗାଇବ ନାହିଁ, ବରଂ ଓଡି଼ଶାରେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିବ ।  ଇଓଆଇ ତଥା ଦି ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ୍‌  ଡକ୍ୟୁମେଣ୍ଟ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ  ଓସିଏର ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିବ । 

ଓସିଏର ଆପେକ୍ସ କାଉନସିଲ ବୈଠକରେ  ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି  ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ  ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ  ପ୍ରତାପ ଚନ୍ଦ୍ର ପ୍ରଧାନ, ରାକେଶ ମହାନ୍ତି  ଓ ଗୀତା ସାମନ୍ତରାୟ ଉପସ୍ଥିତ ଥିଲେ ।