ନୂଆଦିଲ୍ଲୀ ୨୫/୦୪: ମହାସାଗର ତାପମାତ୍ରା ବୃଦ୍ଧି ଯୋଗୁ ବିଶ୍ୱସ୍ତରରେ ପ୍ରମୁଖ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ସମୁଦ୍ର-କୂଳିଆ ଥଣ୍ଡା ପବନ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏକ ସଦ୍ୟତମ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । ଏହି ହ୍ରାସ ଏକ ପ୍ରାକୃତିକ ବ୍ୟବସ୍ଥାକୁ ନଷ୍ଟ କରୁଛି, ଯାହା ଦିନେ ସହରାଞ୍ଚଳ ତଟବର୍ତ୍ତୀ କ୍ଷେତ୍ରଗୁଡ଼ିକୁ ଅଧିକ ଥଣ୍ଡା, ସ୍ୱଚ୍ଛ ଏବଂ ବର୍ଷର ସବୁଠୁ ଉତ୍ତପ୍ତ ସ୍ଥାନମାନଙ୍କରେ ଅଧିକ ବାସଯୋଗ୍ୟ କରିଥିଲା ।
ମହାସାଗରୀୟ ଉତ୍ତାପ ଓ ଉପକୂଳବର୍ତ୍ତୀ ପବନ :
୧୮ ଉପକୂଳବର୍ତ୍ତୀ ମହାନଗରରେ, ଦୈନିକ ପବନ ଦିନେ ସମୁଦ୍ର ଓ ଭୂଭାଗ ମଧ୍ୟରେ ଏକ ଆନୁମାନିକ କ୍ରମରେ ପ୍ରବାହିତ ହେଉଥିଲା । ଏବେ ଗରମ ଋତୁରେ ସେହି ଚକ୍ର ସୃଷ୍ଟି କରିବାରେ ଏହା ବିଫଳ ହେଉଛି । ଏହି ପରିବର୍ତ୍ତନ ଉପରେ ନଜର ରଖିଥିବା ତିଆନଜିନ ବିଶ୍ୱବିଦ୍ୟାଳୟର ଗବେଷକ ୟୁନଟିଙ୍ଗ ସିୟାଓ କହିଛନ୍ତି, ମହାସାଗର ନିକଟସ୍ଥ ଅଞ୍ଚଳ ଉତ୍ତପ୍ତ ହେବା ଦ୍ୱାରା ଜନବସତିପୂର୍ଣ୍ଣ ସହରାଞ୍ଚଳରେ ପହଞ୍ଚୁଥିବା ଥଣ୍ଡା ପବନ ହ୍ରାସ ପାଉଛି । ମଧ୍ୟ-ଅଖ୍ୟାଂଶରେ ଥିବା ସହରମାନଙ୍କରେ ଏହି କ୍ଷତି ଅତି ଗମ୍ଭୀର ଥିଲା ।
ଲଣ୍ଡନ, ନ୍ୟୁୟର୍କ ଓ ଶଂଘାଈ ଭଳି ସ୍ଥାନରେ ଥଣ୍ଡା ପବନ ହ୍ରାସ ପାଇବା ସହିତ ଉତ୍ତାପ ବୃଦ୍ଧି ପାଇଥିବା ଦେଖାଗଲା । ଏହି ହ୍ରାସ ଦୈନନ୍ଦିନ ଜଳବାୟୁ ପ୍ରଣାଳୀରେ ଏକ ବଡ଼ ବ୍ୟବଧାନର ସଙ୍କେତ ଦେଉଛି, ଯାହା ଦିନେ ଉତ୍ତାପ ନିୟନ୍ତ୍ରଣ କରୁଥିଲା, ପ୍ରଦୂଷଣ ଦୂର କରୁଥିଲା ଏବଂ ଉପକୂଳବର୍ତ୍ତୀ ସହରାଞ୍ଚଳ ପରିବେଶକୁ ସ୍ଥିର ରଖିବାରେ ସାହାଯ୍ୟ କରିଥିଲା ।
କେମିତି ସୃଷ୍ଟି ହୁଏ ଉପକୂଳବର୍ତ୍ତୀ ପବନ?
ସମୁଦ୍ର-ଭୂଭାଗ ପବନ ମହାସାଗର ଓ ଭୂଭାଗ ମଧ୍ୟରେ ଏକ ଦୈନନ୍ଦିନ ପବନ ଚକ୍ର ଯାହା ଦିନରେ ଆରମ୍ଭ ହୁଏ । ଭୂମିରେ ଉତ୍ତପ୍ତ ବାୟୁ ଉପରକୁ ଉଠିଲେ ଲଘୁଚାପ ସୃଷ୍ଟି ହୁଏ ଏବଂ ଥଣ୍ଡା ସାମୁଦ୍ରିକ ବାୟୁ ଏହାର ସ୍ଥାନ ନେଇ ନିମ୍ନ ଭାଗରେ ପ୍ରବାହିତ ହୁଏ । ରାତିରେ ଜଳ ଅପେକ୍ଷା ଭୂପୃଷ୍ଠ ଶୀଘ୍ର ଥଣ୍ଡା ହୁଏ ଏବଂ ସୂର୍ଯ୍ୟାସ୍ତ ପରେ ପବନ ପ୍ରାୟତଃ ସମୁଦ୍ର ଅଭିମୁଖେ ଫେରିଯାଏ । ଏହି ଦୈନନ୍ଦିନ ଆଦାନପ୍ରଦାନ ଯେତେବେଳେ ଦୁର୍ବଳ ହୁଏ, ସହରଗୁଡ଼ିକ ଉତ୍ତାପ, ଆର୍ଦ୍ରତା ଓ ପ୍ରଦୂଷଣକୁ ଦୂର କରୁଥିବା ପ୍ରାକୃତିକ ପ୍ରକ୍ରିୟାକୁ ହରାଇ ଦିଅନ୍ତି ।
କାହିଁକି ଗୁରୁତ୍ୱପୂର୍ଣ୍ଣ ଉପକୂଳବର୍ତ୍ତୀ ମହାସାଗର ଉତ୍ତାପ?
ମହାସାଗର ଉଷ୍ଣତା ବୃଦ୍ଧି ଉତ୍ତପ୍ତ ଭୂମି ଓ ଅପେକ୍ଷାକୃତ ଥଣ୍ଡା ଜଳ ମଧ୍ୟରେ ଦିନବେଳାର ବ୍ୟବଧାନକୁ ହ୍ରାସ କରି ଉପକୂଳବର୍ତ୍ତୀ ପବନକୁ ଦୁର୍ବଳ କରେ । ଏହି ବ୍ୟବଧାନ ତାପୀୟ ବିଷମତା ସୃଷ୍ଟି କରେ । ତାପମାତ୍ରାରେ ଏହି ଭିନ୍ନତା ସମୁଦ୍ର କୂଳରେ ପବନକୁ ପ୍ରତିଦିନ ଆଗକୁ ବଢ଼ିବାକୁ ଶକ୍ତି ପ୍ରଦାନ କରେ । ଅଧିକ ପ୍ରଭାବିତ ସହରମାନଙ୍କରେ ଅଧ୍ୟୟନ ନିଜର ମଡେଲରେ ସମୁଦ୍ର-ଭୂଭାଗ ପବନକୁ ତାପମାତ୍ରା ହ୍ରାସ ପାର୍ଥକ୍ୟ ସହ ଯୋଡ଼ିଥିଲା । ଅଟ୍ଟାଳିକାଗୁଡ଼ିକ ପବନକୁ ଅବରୋଦ୍ଧ କରିପାରନ୍ତି, କିନ୍ତୁ ଅଧ୍ୟୟନରେ ସହର ଅପେକ୍ଷା ମହାସାଗର ଉତ୍ତାପ ସଙ୍କେତ ଅଧିକ ମଜଭୁତ ଜଣାପଡ଼ିଥିଲା ।
କ୍ଷତି ସହୁଛନ୍ତି ସହର :
ନ୍ୟୁୟର୍କ ଓ ଲିସ୍ବନ ୧୯୭୦ରୁ ୨୦୧୦ ମସିହା ତୁଳନାରେ ଥଣ୍ଡା ପବନ ପାଇବା ଅବଧିରେ ୩୦ ପ୍ରତିଶତରୁ ଅଧିକ ହ୍ରାସର ସମ୍ମୁଖୀନ ହୋଇଛନ୍ତି । ଲଣ୍ଡନ ଓ ଶଂଘାଈରେ ଥଣ୍ଡା ପବନ ଅବଧି ୪୦ ପ୍ରତିଶତରୁ ଅଧିକ କମିଛି । ଦ୍ୱିପ୍ରହର ସମୟରେ ସମୁଦ୍ରରୁ ଆସୁଥିବା ଥଣ୍ଡା ପବନ ଭୂଭାଗକୁ ଆସିବାର ଅବଧି କମି କମି ଯାଉଛି । ଭାରତ, ମୁମ୍ବାଇ ଓ ମିୟାମି ଏ ମାମଲାରେ ୩ ପ୍ରତିଶତ ହ୍ରାସ ସାମ୍ନା କରିଛନ୍ତି । ନିମ୍ନ-ଅଖ୍ୟାଂଶ ଏହି ବିପଦକୁ ଦୂର କରେ ନାହିଁ, କାରଣ ଅଧିକ ଗରମ ମହାସାଗର ଝଡ଼, ବନ୍ୟା ଓ ଅଣନିଃଶ୍ୱାସୀ କଲା ଭଳି ଆର୍ଦ୍ରତାର କାରଣ ହୁଏ ।
ଭବିଷ୍ୟତରେ ବିପଦ :
ଉଚ୍ଚ ଅଙ୍ଗାରକ ନିର୍ଗମନ ସ୍ଥିତିରେ ୨୦୫୦ ମସିହା ସୁଦ୍ଧା ସମୁଦ୍ରକୂଳିଆ ଥଣ୍ଡା ପବନ ହ୍ରାସ ୪.୫ ଗୁଣ ବଢ଼ିବାର ଅନୁମାନ କରାଯାଉଛି । ଏହା ଭବିଷ୍ୟତର ସହରୀ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ପ୍ରାକୃତିକ ବାୟୁ ପ୍ରବାହ ଚକ୍ରରେ ଏହି ହ୍ରାସର କାରଣ ଅଧିକ ଉଷ୍ଣ ମହାସାଗର ସମୁଦ୍ର ଓ ଭୂମି ମଧ୍ୟରେ ତାପମାତ୍ରା ତାରତମ୍ୟକୁ ହ୍ରାସ କରେ, ଯାହା ଦୈନନ୍ଦିନ ସ୍ଥାନୀୟ ପବନ ଚକ୍ରର ପରିଚାଳନା ନିମନ୍ତେ ଆବଶ୍ୟକ ।
ଆହୁରି ପଢ଼ନ୍ତୁ...Heatwave Alert: ଉତ୍ତର ଓ ପଶ୍ଚିମ ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳା, ଝାରସୁଗୁଡ଼ା ପାଲଟିଲା ଦେଶରେ ଦ୍ୱିତୀୟ ଉତ୍ତପ୍ତ ସହର, ଦୁଇ ଦିନ ତାତି ମିଳିବନି ନିସ୍ତାର
ସମୁଦ୍ରକୂଳିଆ ଥଣ୍ଡା ପବନ ଦୁର୍ବଳ ହେବା ଦ୍ୱାରା ସହରାଞ୍ଚଳ ଜୀବନଧାରଣ ସ୍ଥିତିକୁ ଆହୁରି ଖରାପ କରିବ । ଥଣ୍ଡା ସମୁଦ୍ର ପବନ ବିନା, ଅର୍ବାନ ହିଟ୍ ଆଇଲାଣ୍ଡ (ୟୁଏଚ୍ଆଇ) ପ୍ରଭାବ ଦିନ ସମୟରେ ଅଧିକ ଭୟଙ୍କର ହୋଇଯିବ । ଥଣ୍ଡା ପବନ ପ୍ରଦୂଷଣ ଦୂର କରେ । କିନ୍ତୁ ଦୁର୍ବଳ ପବନ ଯାନବାହନ ଓ ଔଦ୍ୟୋଗିକ ଅଙ୍ଗାରକ ନିର୍ଗମନ ମାତ୍ରା ବଢ଼ାଏ । କେତେକ କ୍ଷେତ୍ରରେ ଅଧିକ ଉଷ୍ଣ ଉପକୂଳବର୍ତ୍ତୀ ଜଳ ଭୂପୃଷ୍ଠ ନିକଟବର୍ତ୍ତୀ ଆର୍ଦ୍ରତା ବୃଦ୍ଧି କରେ, ଯାହା ଦ୍ୱାରା ତାପମାତ୍ରା ଅଧିକ ଚରମ ସ୍ଥିତିରେ ପହଞ୍ଚେ । ଉପକୂଳବର୍ତ୍ତୀ ପବନ ବେଗରେ ନିରନ୍ତର ହ୍ରାସ ସହରୀ ପବନ ଶକ୍ତି ଉତ୍ପାଦନର ସମ୍ଭାବନାକୁ ହ୍ରାସ କରିପାରେ । ଅଙ୍ଗାରକ ନିର୍ଗମନ ମାତ୍ରା ଯଦି ନିରନ୍ତର ବୃଦ୍ଧି ହୋଇଚାଲେ, ଥଣ୍ଡା ପବନ ଦୁର୍ବଳ ହାର ଅତୀତର ହାର ତୁଳନାରେ ୪.୫ ଗୁଣ ଦ୍ରୁତ ହେବ ।