ପୁରୀ, ୧୮/୧୦: ଅକ୍ଟୋବର ମାସ  ଅଧାରୁ ଅଧିକ ସରିଗଲାଣି । ହେଲେ ଏପର୍ଯ୍ୟନ୍ତ  ହିତାଧିକାରୀଙ୍କୁ ମିଳିଲାନି ଚଳିତ ମାସ ସମେତ  ଆସନ୍ତା ୨ ମାସର ମାଗଣା ରାସନ । ଘରେ ଚାଉଳ ସରିଯାଇଥିବାରୁ ଗରିବ ଲୋକେ ନାହିଁ ନଥିବା  ହିନସ୍ତା ହେଉଛନ୍ତି । ବାଧ୍ୟ ହୋଇ ପ୍ରତିଦିନ ମୂଲ  ଲାଗି ରୋଜଗାର କରୁଥିବା ଅର୍ଥରୁ ଚାଉଳ କିଣି  ପରିବାର ପେଟ ପୂରାଉଛନ୍ତି । ଚାଉଳ କିଣିବାକୁ  ପଡ଼ୁଥିବାରୁ ଆକାଶ ଛୁଇଁଥିବା ଡାଲି, ତେଲ,  ଲୁଣ, ପରିବା କିଣିବା ଗରିବ ପରିବାରଙ୍କ ପାଇଁ  ଅସମ୍ଭବ ହେଲାଣି । ପୁରୀ ଜିଲ୍ଲାରେ ରାଜ୍ୟ ଖାଦ୍ୟ  ସୁରକ୍ଷା ହିତାଧିକାରୀ ଓ ଜାତୀୟ ଖାଦ୍ୟ ସୁରକ୍ଷା  ହିତାଧିକାରୀଙ୍କ ଏଭଳି ଅବସ୍ଥା ଉଦ୍‌ବେଗ ବିଷୟ  ହୋଇଛି । ହେଲେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ସେପଟେ ସରକାର ସମସ୍ତ ହିତାଧିକାରୀଙ୍କୁ  ଚାଉଳ ଓ ଗହମ ଦେବେ ବୋଲି କହିଥିଲେ ହେଁ  ଏପର୍ଯ୍ୟନ୍ତ ଗହମ ଡିଲରଙ୍କ ପାଖରେ ପହଞ୍ଚି  ନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।  

ସେହିପରି ଡିଲରମାନଙ୍କୁ ଯୋଗାଇ ବିଭାଗ  ଯୋଗାଇ ଦେଇଥିବା ଜିପିଏସ୍‌ ଯୁକ୍ତ ଓଜନ ମେସିନ୍‌  ଠିକ୍‌ ଭାବେ କାମ ନ କରିବା ଖାଉଟି ସାମଗ୍ରୀ ବଣ୍ଟନରେ  ଅନ୍ୟ ଏକ ପ୍ରତିବନ୍ଧକ ସୃଷ୍ଟି କରିଥିବା ଡିଲରମାନେ  ମତ ଦେଇଛନ୍ତି । ରାସନ ଦେବା ବେଳେ ନେଟ୍‌ୱାର୍କ  ଠିକ୍‌ ରହୁନଥିବାରୁ ପିଓଏସ୍‌ ମେସିନ୍‌ ଠିକ୍‌ ଭାବେ  କାମ ନକରିବା ମଧ୍ୟ ଅଭିଯୋଗ ହୋଇଛି । ନୂଆ  ଓଜନ ମେସିନ୍‌ରେ ଥରକେ ଅତିବେଶିରେ ମାତ୍ର ୧୦  କେଜି ଓଜନ ହୋଇପାରିବା ବ୍ୟବସ୍ଥା ରହିଛି । ତେଣୁ  ଆସନ୍ତା ୩ ମାସର ରାସନ ଗୋଟିଏ ପରିବାରକୁ  ଓଜନ କରି ଦେବାରେ ମଧ୍ୟ ଡିଲରମାନେ ସମସ୍ୟା  ହେଉଛି । ପ୍ରଶାସନ ପକ୍ଷରୁ ମିଳିଥିବା ହିତାଧିକାରୀଙ୍କ  ତାଲିକାରେ ଅନେକଙ୍କୁ ଗହମ ଦେବା ନିମନ୍ତେ ସୂଚିତ କରାଯାଇଛି । ତେଣୁ ଏହାକୁ କିପରି ସମାଧାନ କରାଯିବ  ଚିନ୍ତାର ବିଷୟ ହୋଇଛି ବୋଲି ଡିଲର କହିଛନ୍ତି । 

ସରକାର କେୱାଇସି ବ୍ୟବସ୍ଥା ଆରମ୍ଭ କରିବା  ନିମନ୍ତେ ନିର୍ଦ୍ଦେଶ ପରେ ଜିଲ୍ଲାରେ ପ୍ରାୟ ୭୭  ପ୍ରତିଶତ ପରିବାରଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି । ଜିଲ୍ଳାରେ ମୋଟ ପ୍ରାୟ ୧୩ ଲକ୍ଷ  ୩ ହଜାର ୭୪୦ ହିତାଧିକାରୀ ଥିବା ବେଳେ  ଏହା ମଧ୍ୟରୁ ୧୦ ଲକ୍ଷ ୧୪ ହଜାରରୁ ଅଧିକ  ହିତାଧିକାରୀଙ୍କୁ ଇ-କେୱାଇସିରେ ଯୋଡ଼ା ଯାଇଛି ।  ପୁରୀ ଜିଲ୍ଲା ଏହି ଅଭିଯାନରେ ସପ୍ତମ ସ୍ଥାନରେ ରହିଛି । 

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ  ହୋତା କହିଛନ୍ତି, ତୁରନ୍ତ ସମସ୍ତ ହିତାଧିକାରୀଙ୍କୁ  ମାଗଣାରେ ଖାଉଟି ସାମଗ୍ରୀ ଦେବା ନିମନ୍ତେ  ଡିଲରମାନଙ୍କୁ ନିର୍ଦ୍ଦେଶ ଦିଆଯିବ । ତେବେ ଗହମ  ପହଞ୍ଚି ନଥିବାରୁ ଏହା ହିତାଧିକାରୀଙ୍କୁ ମିଳିବନି ।  କୌଣସି ଠାରେ ଡିଲରଙ୍କ ମେସିନ୍‌ ଖରାପ ଥିବା  ଅଭିଯୋଗ ମିଳିଲେ ତୁରନ୍ତ ଏହାର ମରାମତି  କରିବାକୁ ବୈଷୟିକ କର୍ମଚାରୀ ପହଞ୍ଚିବେ ।  ସରକାର ଗରିବ ପରିବାରଙ୍କୁ ଯୋଗାଇ ଦେଉଥିବା  ମାଗଣା ରାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା  ନିମନ୍ତେ ବିଭାଗୀୟ ପ୍ରଶାସନ ତତ୍ପରତାର ସହ  କାମ କରୁଛି ବୋଲି ଶ୍ରୀ ହୋତା କହିଛନ୍ତି