-ଜାତୀୟ ସୁଯୋଗ ସହ ବଡ଼ ଆୟ ଆଶାରେ ପ୍ରଯୋଜକ

-ସକ୍ରିୟ ହେବେ ବୁକର୍, ଖସିବ ରାଇଟ୍ସ ଦର

-ସ୍ୱତନ୍ତ୍ର ମାର୍କେଟିଂ ରଣନୀତି ସହ ସରକାର ଭରସା

ଭୁବନେଶ୍ୱର ୦୫/୦୧ (ମନୋରଞ୍ଜନ ମହାନ୍ତି) : ୨୦୨୬ରେ ପାଖାପାଖି ୫ରୁ ୭ଟି ବିଗ୍ ବଜେଟ୍‌ର ଓଡ଼ିଆ ସିନେମା ଆସୁଛି । ସମସ୍ତଙ୍କ ବଜେଟ୍ ଦୁଇରୁ ଅଢ଼େଇ କୋଟି ଉପରେ । କେହି କେହି ୫ରୁ ୭ କୋଟି ବି ଛୁଇଁଛନ୍ତି । ଯଦିଓ ନୂଆ ବର୍ଷ ଆରମ୍ଭରୁ କିଛି ସିନେମା ମୁକ୍ତିଲାଭ କରିନାହିଁ, ୧୪ରୁ ୧୫ ସିନେମା ମୁକ୍ତିଲାଭ ପାଇଁ ପୂରା ପ୍ରସ୍ତୁତ । ଲାଗୁଛି, ଏଥର ଓଲିଉଡ୍‌ର ଭାଗ୍ୟ ବଦଳିବ! ପୁଣି ତାରକାଙ୍କ ଚମକରେ ଇଣ୍ଡଷ୍ଟ୍ରି ଚମକିବ ।

କିନ୍ତୁ ସମୀକ୍ଷକଙ୍କ ମତରେ, ଚଳିତ ବର୍ଷ ବଡ଼ ବଜେଟ୍‌ର ଓଡ଼ିଆ ସିନେମା ଯଦି ଆଞ୍ଚଳିକତା ଭିତ୍ତିରେ ଜାତୀୟ ସ୍ତରରେ ମୁକ୍ତିଲାଭର ଉପଯୁକ୍ତ ସୁଯୋଗ ନ ପାଆନ୍ତି ତେବେ ବ୍ୟୟ ଅର୍ଥ ଫେରିବନି । ସେଥିପାଇଁ ଅଧିକରୁ ଅଧିକ ସୋ’ ଜରୁରି । ୧୫୦-୨୦୦ ସୋ’ରେ ଟଙ୍କା ବାହାରିବନି । ଅତି କମ୍‌ରେ ୫୦୦ ସୋ’ ଦରକାର । ଯେଉଁଥିଲାଗି ଜାତୀୟସ୍ତରରେ ପ୍ରଦର୍ଶନ ହିଁ ଏକମାତ୍ର ଭରସା । ନଚେତ୍ ବହୁତ ବଡ଼ କ୍ଷତି ହେବ । ପ୍ରଯୋଜନା ସଂସ୍ଥାଗୁଡ଼ିକର ମେରୁଦଣ୍ଡ ଭାଙ୍ଗିଯିବ । ଆଗକୁ ବଡ଼ ବଡ଼ ପ୍ରଯୋଜକମାନେ ଓଡ଼ିଆ ଫିଲ୍ମ କରିବାକୁ ଡରିବେ । ଯେଉଁ ସାହସରେ ସେମାନେ ‘ବୋଉ ବୁଟୁ ଭୂତ’ର ୨୦ କୋଟି ଆୟକୁ ଦେଖି ଅଣ୍ଟା ଭିଡ଼ିଛନ୍ତି, ସେ ବଳ ଭାଙ୍ଗିଯିବ । କେବଳ ଓଡ଼ିଶା ଉପରେ ଭରସା କରି ଯଦି ପ୍ରଯୋଜକ ବଡ଼ ନିବେଶ କରୁଥାନ୍ତି ତେବେ କସ୍ମିନ କାଳେ ଖର୍ଚ୍ଚ ଉଠିବିନି । ଏ କଥା ଯେତେ ଶୀଘ୍ର ବୁଝିଯିବେ ଭଲ ।

ତେଣୁ ଚଳିତ ବର୍ଷ ଓଡ଼ିଆ ସିନେମା ପାଇଁ ସଫଳତାର ରାସ୍ତା ସହଜ ନାହିଁ । ୨୦୨୫ରେ କିଛି ସିନେମା ରେକର୍ଡ ବ୍ୟବସାୟ କରି ଦିଗ ଦେଖାଇଥିଲେ ବି ଏଥର ଭାଗ୍ୟ କ’ଣ ହେବ, ଏବେଠୁ ଜାତକ ବିଚାର ଚାଲିଛି । ବଡ଼ ବଜେଟ୍ର ସିନେମା ଓଲିଉଡ୍‌କୁ ବଞ୍ଚାଇବ ନା ବୁଡ଼ାଇବ । ଜାତୀୟସ୍ତରରେ ସୁଯୋଗ ସହ ଆଶାଜନକ ଆୟ ଫେରି ପାଇବା ଆଶାରେ ପ୍ରଯୋଜକ ଥିଲା ବେଳେ ବିତରଣ ସଂସ୍ଥା ଅଭାବରୁ ବୁକର୍ମାନେ ସକ୍ରିୟ ହେବାର ବହୁ ସମ୍ଭାବନା ରହିଛି । ଏଣେ ରାଇଟ୍ସ ଦର ଖସିବ । ଯଦି ସ୍ୱତନ୍ତ୍ର ରଣନୀତି ସହ ମାର୍କେଟିଂ ନ କରାଯାଏ ତେବେ ମେଗାଷ୍ଟାର୍ ଅନୁଭବ ହୁଅନ୍ତୁ କି ଅନ୍ୟତମ ସୁପର୍ଷ୍ଟାର୍ ବାବୁସାନ କେହି ବଞ୍ଚାଇ ପାରିବେନି ।

​​​​​​​

ଏହା ଉପରେ ସିନେ ନିର୍ମାତା ସ୍ଥିତ ପଟ୍ଟନାୟକ କହିଛନ୍ତି, କିଛି ବର୍ଷ ହେବ ଜାତୀୟସ୍ତରରେ ଦବ୍‌ଦବା ଥିବା ୨ଟି ବଡ଼ ବିତରଣ ସଂସ୍ଥା ଓଡ଼ିଆ ସିନେମାକୁ ସମ୍ଭାଳି ଆସୁଛନ୍ତି । ରାଜଶ୍ରୀ ଓ ପ୍ରକାଶ ଫିଲ୍ମସ୍ । ଗତବର୍ଷ ଏକ ସିନେମାକୁ ନେଇ ସମସ୍ୟା ପରେ ରାଜଶ୍ରୀ ସ୍ଥିର କରିଛି ଆଉ ଓଡ଼ିଆ ସିନେମା ନେବନି । କିନ୍ତୁ ଏନେଇ ରାଜଶ୍ରୀ ପକ୍ଷରୁ କିଛି ସୂଚନା ନାହିଁ । ଯଦି ଏହା ହୁଏ ତେବେ ଅନ୍ୟ ସଂସ୍ଥା ଉପରେ ପ୍ରବଳ ଚାପ ପଡ଼ିବ । ସେ ମନମାନୀ ବି କରିପାରେ । ଯାହା ଓଡ଼ିଆ ସିନେମା ପାଇଁ ବିପଦ ଆଣିବ । ଯଦି ସେ ସଂସ୍ଥା ସିନେମା ନ ନିଏ ପୁଣି ବୁକର୍‌ଙ୍କ ରାଜୁତି ଚାଲିବ । ସିନେମା ଜାତୀୟସ୍ତର କ’ଣ ରାଜ୍ୟର କୋଣ ଅନୁକୋଣରେ ବି ପହଞ୍ଚି ପାରିବନି । ଏବର୍ଷ ଓଡ଼ିଆ ସିନେମା ପାଇଁ ବିତରଣ ସଙ୍କଟ ସାଂଘାତିକ ସମସ୍ୟା ସୃଷ୍ଟି କରିବ । ଏ କଥା ୪ ମାସ ଭିତରେ ଲୋକେ ସବୁ ବୁଝିଯିବେ । ଯଦି ବର୍ଷ ଆରମ୍ଭରୁ ଏହି ସମସ୍ୟା ହୁଏ, ତେବେ ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍ ଆସନ୍ତା ୬ ମାସ (ଜୁନ୍ରୁ ନଭେମ୍ବର) ମାସରେ ବହୁଳ ଭାବରେ ସିନେମା ସଂଖ୍ୟା କମିଯିବ । ଯାହା ୨୦୨୫ରେ ଘଟିଲା । ୨୦୨୪ରେ ୫୦ ଓଡ଼ିଆ ସିନେମା ହଲ୍‌କୁ ଆସିଥିଲା । ଗତ ବର୍ଷ ୪୦ରେ ସୀମିତ ରହିଲା । ତେଣୁ ଏଥିରୁ ଉଦ୍ଧାର ଲାଗି କୌଣସି ଜାତୀୟ ବିତରଣ ସଂସ୍ଥା ହୁଅନ୍ତୁ କିମ୍ବା ସ୍ଥାନୀୟ ବା ବ୍ୟକ୍ତିଗତ ଭାବେ କାହାକୁ ଏ କ୍ଷେତ୍ରରେ ବଡ଼ ଆକାରରେ ନିବେଶ କରିବାକୁ ପଡ଼ିବ । ନହେଲେ ସଂଘାତିକ ସଙ୍କଟ ସୃଷ୍ଟି ହେବ । ଯେଉଁଥିରୁ ମୁକୁଳିବାକୁ ସୁଯୋଗ ନଥିବ ।

ଏଥର ସାଟେଲାଇଟ୍ ରାଇଟ୍ସ ଦର ୧୦୦% କମିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ସବୁ ମିଶାଇ କେହି ୨୦ ଲକ୍ଷ ଟପୁନାହାନ୍ତି । ଫିଲ୍ମ ବଜେଟ୍‌ର ୪୦% ରାଇଟ୍ସରେ ନିଆଯାଏ, ବାକି ଟଙ୍କା ହଲ୍‌କୁ କଢ଼ାଯାଏ । ବର୍ତ୍ତମାନ ସବୁ ରାଇଟ୍ସ ନେଇକି ୩୦% ଦେବାକୁ ବି କୁନ୍ଥକୁନ୍ଥ । ଯାହାଦ୍ୱାରା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପାଇଁ ବହୁ ସମସ୍ୟା ହେବ । ସବୁ ରାଇଟ୍ସ ଉପରେ ୪୦% ମିଳିବା କଥା ବର୍ତ୍ତମାନ ତାହା ୩୦%କୁ କମି ଆସୁଛି । ତେଣୁ ଆମକୁ ନୂଆ କ୍ରେତାଙ୍କ ଆବଶ୍ୟକତା ପଡ଼ିବ ।

ଓଡ଼ିଆ ଫିଲ୍ମ ପାଇଁ ଜାତୀୟ ସ୍ତରର ପ୍ଲାଟ୍‌ଫର୍ମର କବାଟକୁ ଭାଙ୍ଗିବାକୁ ହେବ । ଆଜି ଓଡ଼ିଆ ସିନେମା ସେହି ସ୍ତରକୁ ଗଲାଣି, ଯାହା ପାଇଁ ସ୍ୱତନ୍ତ୍ର ରଣନୀତି ସହ ମାର୍କେଟିଂର ଆବଶ୍ୟକତା ରହିଛି । ଜଣାଇବାକୁ ପଡ଼ିବ ଓଡ଼ିଆ ଫିଲ୍ମ ପୂରା ପ୍ରସ୍ତୁତ । ଆମକୁ କିଣନ୍ତୁ । ଡିଜିଟାଲ୍ ପ୍ଲାଟ୍‌ଫର୍ମ ସମେତ ଜାତୀୟସ୍ତରୀୟ ଯେତେ ମାଧ୍ୟମ ରହିଛି ସବୁଠି ପ୍ରଚାର, ପ୍ରସାରକୁ ସୁଦୃଢ଼ କରିବାକୁ ପଡ଼ିବ । ଓଡ଼ିଆ ଫିଲ୍ମକୁ ନିଜ ଅଧିକାର ଓ ଉପସ୍ଥିତିକୁ ଜାହିର କରିବାକୁ ହେବ ।

ଏଥିଲାଗି ସରକାର ହୁଅନ୍ତୁ କି ସରକାରଙ୍କ ଅଧୀନ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) କିମ୍ବା କୌଣସି ପ୍ରଯୋଜକ ବା ପ୍ରଯୋଜନା ସଂସ୍ଥା ଅଥବା ବିଭିନ୍ନ ଆସୋସିଏସନ୍‌ଙ୍କୁ ଏ ଦାୟିତ୍ୱ ନେବାକୁ ପଡ଼ିବ । ନହେଲେ ଆମ ଭଳି ଯେଉଁମାନେ ଫିଲ୍ମ ଅଗ୍ରଗତିକୁ ଚାହିଁ ବସିଛନ୍ତି, ଯଦି ଠିକଣା ସୁଯୋଗ ନ ପାଇବେ ତେବେ ଆଦୌ ଆଗକୁ ବଢ଼ିପାରିବେନି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।