ଗୋଆ ୨୪/୧୧ (ମନୋରଞ୍ଜନ ମହାନ୍ତି): ଓଡ଼ିଶାରେ ଜନ୍ମିତ ମହିମା ଧର୍ମ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର "ମହିମା ଅଲେଖ’ ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ-୨୦୨୫ର ସମ୍ମାନଜନକ ଭାରତୀୟ ପାନୋରାମା ଅଣ ଫିଚର ବର୍ଗରେ ମନୋନୀତ ଏକମାତ୍ର ଓଡ଼ିଆ ସିନେମା ଭାବେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି ।
ଆଇଏଫ୍ଏଫ୍ଆଇରେ ଆଜି ଝାଞ୍ଜ, ଖୋଳ କୀର୍ତ୍ତନ ସହ ଅଲେଖ ମହିମାର ଧ୍ୱନି ଗୁଞ୍ଜରିତ ହୋଇଛି । ଯାହା କ୍ଷୀଣକ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶକୁ ଆଧ୍ୟାତ୍ମିକମୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲା । କାଦମ୍ବିନୀ ମିଡ଼ିଆ ଓ ଡିଜିଏଫ୍ ଫାଇଭ୍ ସି'ର ମିଳିତ ବ୍ୟାନରରେ ନିର୍ମିତ ତଥା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଉଛନ୍ତି ଡ. ଇତି ସାମନ୍ତ ଓ ଡ. ସ୍ନେହାଶ୍ରୀ ସ୍ୱାଇଁ । ନିର୍ଦ୍ଦେଶନା ଦେଇଛନ୍ତି ଏକାଧିକବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସୁଖ୍ୟାତ ନିର୍ଦ୍ଦେଶକ ତଥା ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍ ଅଧ୍ୟକ୍ଷ ହିମାଂଶୁ ଶେଖର ଖଟୁଆ । ଓଡ଼ିଶାର ଧର୍ମ ପ୍ରବାହରେ ମହିମା ଧର୍ମ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।
ଏହି ଧର୍ମର ମହତ୍ୱ ଓ ମହାନତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଶ୍ରୀ ଖଟୁଆଙ୍କର ଏହା ଏକ ସୁନ୍ଦର ପ୍ରୟାସ । ଏହି ଚଳଚ୍ଚିତ୍ରରେ ମହିମା ଧର୍ମର ଦର୍ଶନ, ନିୟମ ଶୃଙ୍ଖଳା, ସୋପାନ ଭେଦ, ଧର୍ମ ପରିଚ୍ଛଦ, ଆହାର ବିହାର ବିଧି, ନିର୍ଦ୍ଦିଷ୍ଟ ପଦ୍ଧତିର ଈଶ୍ୱର ଧ୍ୟାନ ଓ ଭଜନ, ସଂଘ ଚେତନା ଆଦିକୁ ଅତି ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ଖଟୁଆ ।
ଏହି ଅବସରରେ ସେ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି କି, ଆଇଏଫ୍ଏଫ୍ଆଇରେ "ମହିମା ଅଲେଖ’ ପ୍ରଦର୍ଶିତ ହେବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ମୁଁ ମୋ ଚଳଚ୍ଚିତ୍ରର ଟିମ୍ ଏବଂ ଓଡ଼ିଶାବାସୀଙ୍କ ନିକଟରେ କୃତଜ୍ଞ । ଏଥିସହ ସବୁ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସହ ଆଇଏଫ୍ଏଫ୍ଆଇ ଭଳି ଉତ୍ସବ ତାଙ୍କ ପାଇଁ ସବୁବେଳେ କିଛି ଭିନ୍ନ ଅନୁଭୂତି ସାଉଁଟିବାର ଏବଂ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ଦେଇଛି ବୋଲି ସେ କହିଛନ୍ତି ।