ନୂଆଦିଲ୍ଲୀ,୧୯/୧୨: ଉତ୍ତରାଖଣ୍ଡ ହାଇକୋର୍ଟ ଗତ ଡିସେମ୍ବର ୧୭ରେ ଅନୁପମା ପ୍ରଧାନ ଗୁଲାଟିଙ୍କ ଜଘନ୍ୟ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ସଫ୍ଟୱେର ଇଞ୍ଜିନିୟର ରଜେଶ ଗୁଲାଟିଙ୍କ ଆଜୀବନ କାରାଦଣ୍ଡକୁ କାଏମ୍ ରଖିଛନ୍ତି । ରାଜେଶ ଗୁଲାଟି ୨୦୧୦ ଅକ୍ଟୋବର ୧୭ରେ ତାଙ୍କ ପତ୍ନୀ ଅନୁପମା ପ୍ରଧାନଙ୍କୁ ନିର୍ମମ ହତ୍ୟା କରି ତାଙ୍କ ଶରୀରକୁ ୭୨ ଖଣ୍ଡ କାଟି ତାଙ୍କ ଫ୍ରିଜ୍ରେ ରଖିଥିଲେ । ସେତେବେଳେ ଏହି ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଅନୁପମାଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ସେ ଦିଲ୍ଲୀରେ ପାଠ ପଢିଥିଲେ ଏବଂ ରାଜେଶ ଗୁଲାଟିଙ୍କୁ ପ୍ରେମ ବିବାହ କରିଥିଲେ ।
ଉତ୍ତରାଖଣ୍ଡର ଏକ ସ୍ଥାନୀୟ କୋର୍ଟ ୨୦୧୭ ସେପ୍ଟେମ୍ବର ପହିଲାରେ ରଜେଶ ଗୁଲାଟିଙ୍କୁ ଆଜୀବନ କାରାଦଣ୍ଡ ରାୟ ଦେଇଥିଲେ । ଗୁଲାଟି ଏହି ରାୟ ବିରୋଧରେ ଉତ୍ତରାଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ । ୧୯୯୯ରେ ଉଭୟଙ୍କର ପ୍ରେମ ବିବାହ ହେବା ପରେ ସେମାନେ ଆମେରିକାରେ ୨୦୦୮ ପର୍ଯ୍ୟନ୍ତ ରହିଥିଲେ । ପରେ ଉଭୟ ଭାରତ ଆସି ଡେରାଡୁନରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଉଭୟ ଏବେ ଆମେରିକାରେ ପଢୁଛନ୍ତି ।
୨୦୧୦ ଅକ୍ଟୋବର ୧୭ ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଜେଶ ତାଙ୍କୁ ଏକ ଚାପୁଡା ମାରିଥିଲେ । ଯାହାଫଳରେ ଅନୁପମାଙ୍କ ମୁଣ୍ଡ କାନ୍ଥରେ ବାଡେଇ ହୋଇଯାଇଥିଲା । ଅନୁପମା ତଳେ ପଡି ଅଚେତ୍ ହୋଇଯାଇଥିଲେ । ରାଜେଶ ଏଥିରେ ଡରିଯାଇ ତାଙ୍କୁ ହତ୍ୟା କରିଥିଲେ । ସେ ଏକ ଇଲେକ୍ଟ୍ରି କରତ ଆଣି ଅନୁପମାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ତାଙ୍କ ଫ୍ରିଜ୍ରେ ରଖିଥିଲେ । ତାହାପରେ ପ୍ରତ୍ୟେକ ଦିନ ପଲିଥିନ ବ୍ୟାଗରେ ତାଙ୍କ ଶରୀରର କିଛି ଅଂଶକୁ ନେଇ ବାହାରେ ଫୋପାଡିଥିଲେ ।
ଅନୁପମାଙ୍କ ଭାଇ ସୁଜନ କୁମାର ପ୍ରଧାନ ୨୦୧୦ ଡିସେମ୍ବର ୧୨ରେ ଡେରାଡୁନ ଆସି ତାଙ୍କ ଭଉଣୀଙ୍କୁ ନ ଦେଖି ତାଙ୍କ ବିଷୟରେ ରାଜେଶଙ୍କ ଠାରୁ ଜାଣିବାକୁ ଚାହିଁବାରୁ ସେ ଏହାର ସଠିକ୍ ଜବାବ ଦେଇପାରିନଥିଲେ । ପରେ ସୁଜନ ଡେରାଡୁନ୍ର ଏକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ । ମାମଲାର ତଦନ୍ତ ହେବା ପରେ ରାଜେଶ ଏଥିରେ ସଂପୃକ୍ତ ଥିବା ପ୍ରମାଣ ମିଳିଥିଲା । ଫଳରେ ପୁଲିସ ତାଙ୍କୁ ଗିରଫ କରିଥିଲା । ସୁଜନଙ୍କ ପକ୍ଷରୁ ତାଙ୍କ ସାଙ୍ଗ ସୁପ୍ରିମକୋର୍ଟର ଓକିଲ ସଞ୍ଜିବ କୁମାର ମହାନ୍ତି ଏହି ମାମଲା ଲଢୁଥିଲେ।