ଭୁବନେଶ୍ୱର,୧୨/୦୨: ତୁଟିଲା ସାଇ-ନାଣ୍ଡୁ କଳି । ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ । ବୁଧବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲ୍‌ରେ ଆଲୋଚନା ପରେ ସମସ୍ୟା ସମାଧାନ ହୋଇଛି । ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ କହିଛନ୍ତି, ସାଇର ଦେହ ଭଲ ନଥିଲା । ସେ ମତେ ଦେଖା କରିବାକୁ ଆସିଥିଲା । ସବୁ ସମସ୍ୟାର ସମାଧାନ ହୋଇଛି । ପୂର୍ବରୁ କ’ଣ ହୋଇଥିଲା, ସେ ଅଲଗା କଥା କିନ୍ତୁ ସାଇ ଆଜିଠୁ ତୁଳସୀ ଯାତ୍ରା ମଞ୍ଚରେ ଅଭିନୟ କରିବ । ଆଲୋଚନା ବେଳେ ସାଇଙ୍କ ବାପା, ମା’ ମଧ୍ୟ ଉପସ୍ଥିତ ଥିଲେ ବୋଲି ନାଣ୍ଡୁ କହିଛନ୍ତି ।

ଅଭିନେତା ସାଇ ସତ୍ୟଜିତ୍ କହିଛନ୍ତି,ମଞ୍ଚ ଚଢ଼ିବି ।  ଆସନ୍ତୁ ଯାତ୍ରା ଦେଖିବା ‘ଏଇ ବୋଧେ ଶେଷ ଦେଖା’ । ସାଇଙ୍କ ସହିତ ଅଭିନେତ୍ରୀ ପାୟଲ ବି ମଞ୍ଚରେ ଅଭିନୟ କରିବେ । ଉଦଳାରେ ତୁଳସୀ ଯାତ୍ରା ଦଳ ପଡ଼ିଥିଲା ବେଳେ ଆଜି ପ୍ରଥମ ରାତିରେ ‘ଏଇ ବୋଧେ ଶେଷ ଦେଖା’ ମଞ୍ଚାୟନ ହେବ ଏବଂ ଏଥିରେ ସାଇ ଓ ପାୟଲ ଯୋଡ଼ିଙ୍କୁ ଦର୍ଶକ ଦେଖିବେ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କରାଯାଇଛି । ସାଇଙ୍କ ମା’ କହିଛନ୍ତି, ସବୁ ସମାଧାନ ହୋଇଛି । ଆମେ ବହୁତ ଖୁସି । ଚଳିତ ଯାତ୍ରା ଋତୁରେ ପୁଅ ତୁଳସୀ ଗଣନାଟ୍ୟରେ କାମ କରିବ ଏବଂ ଆଜି ମଞ୍ଚ ଚଢ଼ିବ । ନାଣ୍ଡୁ ବାବୁ କହିଛନ୍ତି, ଟଙ୍କା ବିବାଦ ନାହିଁ, ସେ ତୁଳସୀରେ ଅଭିନୟ କରୁଥିଲା ଏବଂ କରିବ ।

ଆହୁରି ପଢ଼ନ୍ତୁ :- ଏପ୍ରିଲରୁ ଓଡ଼ିଶାରେ SIR, ଘରକୁ ଘର ବୁଲିବେ ବିଏଲଓ, ବୁଥ୍ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ୫ ଥାକିଆ ବ୍ୟବସ୍ଥା

ସାଇଙ୍କ ବାପା କହିଛନ୍ତି, ବିବାଦର ସମାଧାନ ହେଲା । ସାଇର ଦେହ ଖରାପ ପାଇଁ ସେ ମଞ୍ଚ ଚଢ଼ିପାରିନଥିଲା । ଆଜିଠୁ ଯାତ୍ରା କରିବ । ସେଥିପାଇଁ ତାଙ୍କ ମାଲିକଙ୍କୁ ଦେଖା କରିବାକୁ ଆସିଥିଲା । ଟଙ୍କା ବିଷୟରେ କିଛି ଆଲୋଚନା ହୋଇନାହିଁ । ଆସନ୍ତା ଜୁନ୍ ୨୪ ପର୍ଯ୍ୟନ୍ତ ସାଇ ତୁଳସୀ ଗଣନାଟ୍ୟ ଯାତ୍ରାରେ ଅଭିନୟ କରିବ ।

ସାଇ ଆଗାମୀ ବର୍ଷ ଲାଗି ଯାତ୍ରା ସୂର୍ଯ୍ୟମନ୍ଦିରଠାରୁ ଅଗ୍ରୀମ ନେବାକୁ ନେଇ ବିବାଦ ଉପୁଜିଥିଲା । ଚଳିତ ଖଣ୍ଡଗିରି ଯାତ୍ରା ସମୟରେ ବିବାଦ ବଢ଼ିଥିଲା । ଯାତ୍ରା ଶେଷ ଦୁଇ ଦିନ ପୂର୍ବରୁ ସାଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଆଉ ତୁଳସୀ ମଞ୍ଚ ଚଢ଼ିବେନି, ଆବଶ୍ୟକ ପଡ଼ିଲେ ଯାତ୍ରା ଛାଡ଼ିଦେବେ କହି ସାଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ସାଇ-ନାଣ୍ଡୁ ମୁହାଁମୁହିଁ ହେବା ସହ କୋର୍ଟକୁ ଯିବାକୁ କହିଥିଲେ । ଶେଷରେ ଆଜି ସବୁ ବିବାଦର ଅନ୍ତ ଘଟିଛି ।