ଭୁବନେଶ୍ୱର,୨୫/୧୨ : ବଦଳୁଛି ବିବାହ ପରମ୍ପରା । ଓଡ଼ିଆ ଘର ବାହାଘରରେ ଯୋଡ଼ି ହୋଇଛି ପ୍ରି ୱେଡିଙ୍ଗ୍‌ ଫଟୋସୁଟ୍‌, ରିଙ୍ଗ୍‌ ସେରିମନି, ହଳଦୀ, ମେହେନ୍ଦି । ତା ’ସହିତ ବଢ଼ିଛି ଖର୍ଚ୍ଚ । ଥରେ ମାତ୍ର ପିନ୍ଧିବାକୁ ପୁଳାପୁଳା ଟଙ୍କାରେ କିଣାହେଉଛି ସେରୱାନୀ ଆଉ ଲେହେଙ୍ଗା । ପଗଡ଼ି କିଣା ହେଉଛି ଯାହାକୁ ବିବାହ ଉତ୍ସବ ପରେ ଆଉ କେବେବି ବ୍ୟବହାର କରିପାରିବେ ନାହିଁ । ସାଧାରଣ ବର୍ଗଠାରୁ ଆରମ୍ଭ କରି ସମ୍ଭ୍ରାନ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ବାହାଘରରେ ଖର୍ଚ୍ଚ କରୁଛନ୍ତି ମୋଟା ଅଙ୍କର ଟଙ୍କା। ଏଥିରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ପଛରେ ପଡ଼ିନି। ବାହାଘର ଋତୁ ଚାଲିଥିବାରୁ ପ୍ରାୟ ପ୍ରତ୍ୟେକ ଦିନ ବର୍ଣ୍ଣାଢ୍ୟ ଶୈଳୀରେ ବାହାଘର ହେଉଛି। ସେଥିପାଇଁ ବାହାଘରର ଖର୍ଚ୍ଚ ଏବେ ଆକାଶଛୁଆଁ ହେଲାଣି। ଧନୀ ଲୋକ ସିନା ଟଙ୍କା ଖର୍ଚ୍ଚ କରିପାରିବେ ହେଲେ ଏହି ବାହାଘର ଖର୍ଚ୍ଚ ମାୟାରେ ପଡ଼ି ସାଧାରଣ ଲୋକଟିଏ ସାରିଦେଉଛି ସମସ୍ତ ସଞ୍ଚିତ ଅର୍ଥ। ଏଥିପାଇଁ ୠଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି।  

ପୂର୍ବରୁ ବାହାଘର କହିଲେ, ନିର୍ବନ୍ଧ, ମଙ୍ଗଳକୃତ୍ୟ, ଭୋଜି ଭଳି ୩ରୁ ୪ଟି କ୍ଷେତ୍ରରେ ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ଖର୍ଚ୍ଚ ୪ ଗୁଣା ହୋଇଗଲାଣି । ପୂର୍ବେ ବାହାଘରରେ ଗୋଟିଏ ଦିନ ପାଟ ଶାଢ଼ି ପିନ୍ଧୁଥିଲେ । କିନ୍ତୁ ଆଜିକାଲି ଝିଅ ପାଇଁ ୪ରୁ ୫ ହଳ ଲେହେଙ୍ଗା ଦରକାର ପଡ଼ୁଛି । ଯାହା ଗୋଟିକର ମୂଲ୍ୟ ୨୦ ହଜାରରୁ ଆରମ୍ଭ । ସବୁଠାରୁ ବଡ଼ କଥା ହେଉଛି ବାହାଘର ପୂର୍ବରୁ ରହୁଛି ବିଶାଳ ବଜେଟ୍‌ । ପୂର୍ବେ ବାହାଘର ପୂର୍ବରୁ ବର କନିଆ ମୁହଁ ଦେଖାଦେଖି ହେଉନଥିଲେ । କିନ୍ତୁ ବର୍ତ୍ତମାନ ଡେଟିଙ୍ଗ୍‌ରେ ଯାଉଛନ୍ତି, ଫଟୋସୁଟ୍‌ କରୁଛନ୍ତି । ଯାହାକୁ ଅଧୁନିକ ଭାଷାରେ କୁହାଯାଉଛିୁ ‘ପ୍ରି ୱେଡିଙ୍ଗ୍‌ ଫଟୋସୁଟ୍‌’ । ଆଉ ଏହି ଫଟୋ ଉଠାଇବାପାଇଁ ଫଟୋଗ୍ରାଫରମାନେ ଦିନକୁ ଅତିକମ୍‌ରେ ୩୦ ହଜାର ଟଙ୍କା ଦାବି କରୁଛନ୍ତି । ଫଟୋସୁଟ୍‌ କରିବା ପାଇଁ ୨ ରୁ ୩ ଦିନ ମଧ୍ୟ ଲାଗୁଛି । ବାହଘର ପୂର୍ବରୁ ଆରମ୍ଭ କରି ରିସେପ୍‌ସନ୍‌ ପର୍ଯ୍ୟନ୍ତ ବିଭିନ୍ନ ଉତ୍ସବର ଫଟୋ ଉଠାଇବା ପାଇଁ ଅତିକମ୍‌ରେ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି ।  ଖାଇବା ତାଲିକାରେ ରହୁଛି ଷ୍ଟାର୍ଟର, ମେନ୍‌ କୋର୍ସ ଓ ଡେଜର୍ଟ । ମୁଣ୍ଡ ପିଛା ଗୋଟିଏ ପ୍ଲେଟ୍‌ର ମୂଲ୍ୟ ଅତି କମ୍‌ରେ ୧୦୦୦ ଟଙ୍କାରୁ ଆରମ୍ଭ ହେଉଛି । 

ପୁଣି ବାହାଘର ମଣ୍ଡପ ବୁକିଙ୍ଗ୍‌ ଆଉ ତାହାର ସାଜସଜ୍ଜା ରହିଛି । ବାହଘର ମଣ୍ଡପ ବୁକିଙ୍ଗ୍‌ କିରିବା ପାଇଁ ୨ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଉ ମଣ୍ଡପର ସାଜସଜ୍ଜା ପାଇଁ ମଧ୍ୟ ସ୍ୱତନ୍ତ ଭାବେ ଟଙ୍କା ଖର୍ଚ୍ଚ ହେଉଛି  । ବାହାଘର ଭଳି ଇଭେଣ୍ଟର ଦାୟିତ୍ୱ ନେଉଥିବା ଶରତ ସ୍ୱାଇଁ କୁହନ୍ତି, ଲୋକମାନଙ୍କ କହିବା ଅନୁଯାୟୀ ଆମେ ସମସ୍ତ ସଜସଜ୍ଜା କରିଥାଉ । ବର୍ତ୍ତମାନ ସିନେମେଟିକ୍‌ ଶୈଳୀରେ ଫଟୋସୁଟ୍‌ କରୁଛନ୍ତି । ଯାହାର ମୂଲ୍ୟ ଟିକେ ଅଧିକ ରହିଥାଏ । ପୂରା ବାହାଘର ଫଟୋସୁଟ୍‌ଠାରୁ ଆରମ୍ଭକରି ସାଜସଜ୍ଜା, ମଣ୍ଡପ ଭଳି କାମରେ ଅତିକମ୍‌ରେ ୧୦ ଲକ୍ଷ ଟଙ୍କା ଲାଗିଯାଉଛି ।  

ସୂଚନା ଅନୁଯାୟୀ ଚଳିତବର୍ଷ ବିବାହ କ୍ଷେତ୍ରରେ ଦେଶରେ ହାରାହାରି ଖର୍ଚ୍ଚ ରହିଛି ୩୬.୫ ଲକ୍ଷ ଟଙ୍କା । ତେବେ ଡେଷ୍ଟିନେସନ୍‌ ୱେଡିଂ ବିକଳ୍ପ ନେଇଥିବା ଲୋକେ ହାରାହାରି ୫୧ ଲକ୍ଷ ଟଙ୍କା ଉଡ଼ାଇଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୦୨୪ରେ ବିବାହ ପୂର୍ବ ବର୍ଷ ତୁଳନାରେ ୭ ପ୍ରତିଶତ ମହଙ୍ଗା ହୋଇଛି । ୱେଡିଂ ପ୍ଲାନିଂ ଫାର୍ମ ୱେଡ୍‌ମିଗ୍‌ର ଏକ ଅଧ୍ୟୟନ ମୁତାବକ ବିବାହ ଭେନ୍ୟୁ ଏବଂ କ୍ୟାଟରିଂ ଖର୍ଚ୍ଚ ଗତବର୍ଷ ତୁଳନାରେ ୧୦ ପ୍ରତିଶତରୁ ଅଧିକ ବଢିଛି ।