ଭୁବନେଶ୍ୱର, ୧୨।୩: ଯୁଦ୍ଧ ପ୍ରଭାବିତ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ । ଫଳରେ ରାଜ୍ୟର ହଜାର ହଜାର ପରିବାର ଆଶଙ୍କା ଭିତରେ କାଳତିପାତ କରୁଛନ୍ତି । ଏଠି ଓଡ଼ିଶାରେ ପରିବାର ଲୋକ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି । ସେମାନେ ହିଁ ପରିବାରର ଆର୍ଥିକ ମେରୁଦଣ୍ଡ ଥିଲେ । ଏବେ ନା ସେମାନେ ଫେରି ପାରୁଛନ୍ତି, ନା ଘରକୁ ଟଙ୍କା ପଠାଇ ପାରୁଛନ୍ତି ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବୁଧବାର ବିଜେଡି ଦେଇଥିବା "ଓଡ଼ିଆ ଶ୍ରମିକ ଓ ବୃତ୍ତିଜୀବୀମାନେ ବାହାର ରାଜ୍ୟ ଓ ବିଦେଶରେ ହେଉଛନ୍ତି ନିର୍ଯାତିତ, ଓଡ଼ିଆଙ୍କ ଅସ୍ମିତା ଓ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପର ଅଭାବ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ଅରୁଣ କହିଥିଲେ, ଓଡ଼ିଶାର ୩ରୁ ୪ ଲକ୍ଷ ଲୋକ ମଧ୍ୟପ୍ରାଚ୍ୟ ଦେଶରେ ଅଛନ୍ତି । ସେଥିରୁ ଅଧିକାଂଶ ଓଡ଼ିଆ ନିର୍ମାଣ କାମ ଓ ଘରୋଇ କାମରେ ନିୟୋଜିତ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ଯୁଯୁମୁରାରେ ଆଉ ଏକ ଜମି ଜାଲିଆତି; ମୁଖ୍ୟରାସ୍ତା ବି ଜବରଦଖଲ, ରାଜସ୍ୱ ବିଭାଗ ନିରବତାକୁ ନେଇ ପ୍ରଶ୍ନ
ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ହଇରାଣ ହେଉଛନ୍ତି ବିଦେଶରେ ଥିବା ଶ୍ରମିକ । ତେବେ ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟ ସରକାର ଏ ନେଇ ହେଲ୍ପ ଲାଇନ୍ ଡେସ୍କ ଖୋଲିଛନ୍ତି କି ? ଏଥିପାଇଁ ଖୋଲିଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ବର୍ତ୍ତମାନ କେଉଁ ଅବସ୍ଥାରେ ଅଛି । ଏହି ଦେଶଗୁଡ଼ିକରେ କେତେ ଲୋକ ଫସିଛନ୍ତି, ତା’ର ସରକାରଙ୍କ ପାଖରେ ହିସାବ ଅଛି କି ବୋଲି ଅରୁଣ ପ୍ରଶ୍ନ କରିଥିଲେ । ସେହିପରି ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ଓଡ଼ିଆ ଅସ୍ମିତା ନାଁରେ ସରକାର ଆସିଛି । ହେଲେ ଓଡ଼ିଆ ଭାଇମାନଙ୍କୁ ବଞ୍ଚାଇବା ପାଇଁ କୌଣସି ପ୍ରୟାସ ନାହିଁ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର କ’ଣ ଆଲୋଚନା କରିଛନ୍ତି । ଦୁବାଇ ବିମାନ କେବେ ଚାଲୁ ହେବ ମନ୍ତ୍ରୀ ଉତ୍ତର ରଖନ୍ତୁ । କେଉଁଠି କେଉଁଠି ଓଡ଼ିଆ ଯୁବକ, ଯୁବତୀମାନେ ଫସି ରହିଛନ୍ତି ।
ଓଡ଼ିଶାରେ କାମ କରିବାର ସୁଯୋଗ ନାହିଁ । ଓଡ଼ିଶା ସରକାର କାମ ଦେଉନାହାନ୍ତି ବୋଲି ଶ୍ରମିକମାନେ ବିଦେଶକୁ ଯାଇଛନ୍ତି । ୨୦୨୪ରେ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଦୁବାଇରୁ ଫେରାଇ ଆଣିଥିଲେ । ବର୍ତ୍ତମାନ ୨୦ ହଜାର ଶ୍ରମିକ ବିଭିନ୍ନ ଦେଶରେ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ ଉତ୍ତର ଦିଅନ୍ତୁ । ୧୦୬ ଜଣ ଠିକାଦାରଙ୍କଠାରୁ ୫୦୦୦ ଶ୍ରମିକ ନିୟୋଜନ ପାଇଁ ଅନୁମତି ଦିଆଯାଇଛି । ହେଲେ ଲକ୍ଷାଧିକ ଶ୍ରମିକ ଯାଇ ଫସିଛନ୍ତି । ତେବେ ବାସ୍ତବରେ କେତେ ଶ୍ରମିକଙ୍କୁ ଯେଉଁ ଦଲାଲମାନେ ବେଆଇନ ଭାବେ ବାହାରକୁ ନେଉଛନ୍ତି, ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହା ଆଜିର ସମସ୍ୟା ନୁହେଁ । ଗତ ସରକାରରେ ବି ଏମିତି ଚାଲିଥିଲା, ଏବେର ସରକାରରେ ବି ଏମିତି ଚାଲିଛି ।
ଶ୍ରମିକମାନଙ୍କୁ ନିଜ ଗାଁରେ କାମ ଦେବା ପାଇଁ ମନରେଗା ଯୋଜନା ୟୁପିଏ ସରକାର ଆରମ୍ଭ କରିଥିଲେ । ହେଲେ ବିଜେପି ସରକାର ଏହାକୁ ପରିବର୍ତ୍ତନ କରି ଭିବିଜିରାମଜି କରିଦେଲେ । ହେଲେ ଏହାକୁ କାର୍ଯ୍ୟକାରୀ ନ କରିବାରୁ ଶ୍ରମିକମାନେ କାମ ପାଉନାହାନ୍ତି । କେବଳ ଗାନ୍ଧୀଙ୍କ ନାଁ କାଟିବା ପାଇଁ ଯୋଜନା ପରିବର୍ତ୍ତନ କଲେ । କାମ କରିବାକୁ ଯାଉଥିବା ଶ୍ରମିକମାନେ ଶବ ହୋଇ ଫେରୁଛନ୍ତି । ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଧାନସଭା କମିଟି କରାଯାଉ । ଶିଶୁ ନେଇ କାମ କରିବାକୁ ଯାଉଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଉ ବୋଲି ତାରା କହିଥିଲେ ।
ଆମ ସରକାର ଦାୟିତ୍ୱବାନ, ଆବଶ୍ୟକ ପଦକ୍ଷେପ ନେଇଛୁ: ମନ୍ତ୍ରୀ
ମୁଲତବୀ ଆଲୋଚନାର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, ଆମ ସରକାର ଏକ ଦାୟିତ୍ୱବାନ ସରକାର । ଆଜି ସମଗ୍ର ବିଶ୍ୱରେ ମିଡ଼ିଲ ଇଷ୍ଟରେ ଯୁଦ୍ଧକୁ ନେଇ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହା ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟୋଲ ଫ୍ରି ନମ୍ୱର ଜାରି କରାଯାଇଛି । ଏହା ଉପରେ ଆମ ବିଭାଗ ଦିନ ରାତି ମନିଟରିଂ କରୁଛି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ, ଶ୍ରମ ବିଭାଗର ଅଧିକାରୀମାନେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଆମେ ଆମ ଲୋକଙ୍କୁ ଫେରାଇ ଆଣିବା ପାଇଁ ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରାଯାଇଛି ଦୁବାଇକୁ ଯାଇଥିବା ୩୫ ଜଣ ଟୁରିଷ୍ଟଙ୍କୁ ୨ଟି ପର୍ଯ୍ୟୟରେ ଫେରାଇ ଅଣାଯାଇଛି । ଆଉ ୨୨ ଜଣଙ୍କୁ ୨ ଦିନ ଭିତରେ ଫେରାଇ ଆଣିବାକୁ ଯୋଜନା କରାଯାଉଛି । ୨୪ ବର୍ଷ ଶାସନରେ ବିଜେଡି ରହିଥିଲ । ଏବେ ସେମାନେ ପଚାରୁଛନ୍ତି, କାହିଁକି ଏତେ ଲୋକ ବିଦେଶ ଯାଉଛନ୍ତି? ସେମାନେ ଯଦି ଲୋକଙ୍କୁ ରାଜଗାର ଦେଇଥାନ୍ତେ, ଏହି ସମୟ ଆସିନଥାନ୍ତା ।
୯ ଜିଲ୍ଲାରୁ କାହିଁକି ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ତା’ ଉପରେ ତର୍ଜମା କରାଯାଉଛି । ଆମ ରାଜ୍ୟରେ ରାଜଗାର ନମିଳିବା ଫଳରେ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ତାଙ୍କୁ କିପରି ନିଜ ଅଞ୍ଚଳରେ ରୋଜଗାର ମିଳିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି । ୯ ଜିଲ୍ଲାରେ ୩୦୦ ଦିନ କାମ ଦେବାକୁ ଭିବିଜିରାମଜି ଯୋଜନାରେ ସାମିଲ କରାଯିବ । ଶ୍ରମ ବିଭାଗରେ ୫୧ ଲକ୍ଷ ଶ୍ରମିକ ପଞ୍ଜିକରଣ କରିଛନ୍ତି । ୨୦୨୪ରେ ୪୬ ଲକ୍ଷ ଶ୍ରମିକ ଥିବାବେଳେ କେବଳ ଗତ ୨ ବର୍ଷରେ ୭ ଲକ୍ଷ ପଞ୍ଜିକରଣ କରିଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ସେହିପରି ବିଧାୟକ ଧ୍ରୁବଚରଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ସେଠୀ, ସନ୍ତୋଷ ଖଟୁଆ, ଉମାଚରଣ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।