ଭୁବନେଶ୍ୱର ୧୪/୦୧: ୨୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ । ଏ ଫିଲ୍ମରେ ପ୍ରଥମ ଥର ପାଇଁ ମୁଖ୍ୟ ନାୟକ-ନାୟିକା ଭାବେ ନଜର ଆସିବେ ଶୁଭାଶିଷ ଓ ଭୂମିକା ।
ଫିଲ୍ମର କାହାଣୀ ଆଜିକାଲି ସମାଜର ଘଟଣାବଳୀ ଉପରେ ଆଧାରିତ । ପରିବାର ଛାଡ଼ି ଅନେକ ବାହାରକୁ ଆସନ୍ତି, କିଏ ପାଠ ପଢ଼ିବା ଲକ୍ଷ୍ୟରେ ତ ଆଉ କିଏ ଚାକିରି କରିବା ଉଦ୍ଦେଶ୍ୟରେ । ମାତ୍ର ଅନେକ ସମୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଯୁବତୀ ଜୀବନର ପ୍ରକୃତ ଲକ୍ଷ୍ୟକୁ ଭୁଲି ସମୟ, ପରିସ୍ଥିତିର ଦାସ ପାଲଟିଯାଆନ୍ତି । ଚକ୍ରାନ୍ତର ଜାଲରେ ଫସି ଯାଆନ୍ତି । ହେଲେ ବୁଝିବା ବେଳକୁ ସେମାନେ ସମାଜ ଆଗରେ ଦୋଷୀ ପାଲଟି ଯାଇଥାନ୍ତି । ତା’ପରେ କ’ଣ ହୁଏ? କେମିତି ମୁକୁଳନ୍ତି ଏ ଚକ୍ରାନ୍ତରୁ? ଏ ପ୍ରଶ୍ନର ଉତ୍ତର ମିଳିବ ‘ଚକ୍ରାନ୍ତ’ ରିଲିଜ ପରେ । ରହସ୍ୟ ଓ ରୋମାନ୍ସରେ ଭରା ଏଇ ଫିଲ୍ମଟି ହେଉଛି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ୟାକେଜ୍ । କାହାଣୀ ସବୁ ବର୍ଗର ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛନ୍ତି । ଲକ୍ଷେଶ୍ୱର ପ୍ରଡ଼କସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ‘ଚକ୍ରାନ୍ତ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପିନୁ ନାୟକ । କାହାଣୀ ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ ।
ଅନ୍ୟମାନଙ୍କ ମଧ୍ୟରେ ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୋମ୍ୟା ସୁମନ ମହାନ୍ତି, ନିରୁଆ, ଈଶ୍ୱର ପ୍ରସାଦ ପାଢ଼ୀ ପ୍ରମୁଖଙ୍କ ସହ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ଅଭିନୟ କରିଛନ୍ତି । ପ୍ରଚାର ପ୍ରସାର ଦାୟିତ୍ୱ ତୁଲାଉଛନ୍ତି ସ୍ଥିତ ପଟ୍ଟନାୟକ ।