ଭୁବନେଶ୍ୱର,୦୩/୦୩: "ଚକ୍ରାନ୍ତ’ । ଚକ୍ରବ୍ୟୁହର ଫାଶ । ରାଜ୍ୟର ୨୫ଟି ପ୍ରେକ୍ଷାଳୟରେ ଫେବ୍ରୁଆରୀ ୨୭ରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର "ଚକ୍ରାନ୍ତ' । ରିଲିଜ୍ ପରେ ଦର୍ଶକଙ୍କ ଭିତରେ ସିନେମାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଦର୍ଶକ ସିନେମାର କାହାଣୀକୁ ପସନ୍ଦ କରୁଥିବା ବେଳେ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ଼ ଜମୁଛି । କହିବାକୁ ଗଲେ "ଚକ୍ରାନ୍ତ’ର ଚକ୍ରବ୍ୟୁହରେ ଦର୍ଶକ ପଡ଼ିଯାଇଛନ୍ତି ।

ଲକ୍ଷେଶ୍ୱର ପ୍ରଡକ୍ସନ୍ ନିବେଦିତ ଏବଂ ବାବୁଭାଇ ପ୍ରଡକ୍ସନ୍ ସହଭାଗିତାରେ ପ୍ରସ୍ତୁତ ହୋଇଛି ରହସ୍ୟମୟ ଚଳଚ୍ଚିତ୍ର "ଚକ୍ରାନ୍ତ’ । ଫିଲ୍ମର କାହାଣୀ ଆଜିକାଲି ସମାଜର ଘଟଣାବଳୀ ଉପରେ ଆଧାରିତ । ରହସ୍ୟ ଓ ରୋମାନ୍ସରେ ଭରା ଏହି ଫିଲ୍ମଟି ହେଉଛି ଗୋଟିଏ ସମ୍ପୂର୍ଣ୍ଣ ଏଣ୍ଟରଟେନ୍ମେଣ୍ଟ ପ୍ୟାକେଜ୍ । କାହାଣୀ ସବୁ ବର୍ଗର ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଚକମକ ଦୁନିଆର ମାୟାଜାଲରେ ଫଶି ଯୁବପିଢ଼ିଙ୍କ ଗୋଟିଏ ଭୁଲ ନିଷ୍ପତ୍ତି ତାଙ୍କୁ ଠେଲିଦିଏ ଘୋର ଚକ୍ରବୁହ୍ୟକୁ । ସେଠି ବିଭିନ୍ନ ଚକ୍ରାନ୍ତର ଶିକାର ହେବା ପରେ ସେମାନେ ପାଲଟିଯାଆନ୍ତି ଜଣେ ଜଣେ ସାମାଜିକ ଦୋଷୀ । ଶେଷରେ ସେମାନେ କ’ଣ କରନ୍ତି ତାକୁ ନେଇ ତିଆରି ହୋଇଛି ଓଡ଼ିଆ ଚଳଚ୍ଚିତ୍ର "ଚକ୍ରାନ୍ତ’ । ପ୍ରଥମ ଥର ପାଇଁ ପରଦାରେ ଶୁଭାଶିଷ ଏବଂ ଭୂମିକାଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ମତୁଆଲା କରିଛି । ଅନ୍ୟମାନଙ୍କ ମଧ୍ୟରେ ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୋମ୍ୟା ସୁମନ ମହାନ୍ତି, ନିରୁଆ, ଈଶ୍ୱର ପ୍ରସାଦ ପାଢ଼ୀ ପ୍ରମୁଖଙ୍କ ସହ ଅତିଥି କଳାକାର ଭାବେ ଅଶ୍ରୁମୋଚନ ମହାନ୍ତି ଅଭିନୟ କରିଛନ୍ତି ।

ସୌରଭ ପାଢ଼ୀଙ୍କ ପ୍ରଯୋଜିତ "ଚକ୍ରାନ୍ତ'ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ । କାହାଣୀ ଦିଶା ପାଢ଼ୀ ଓ ସଂଳାପ ଲେଖିଛନ୍ତି ଜିତେନ୍ଦ୍ର କୁମାର ବରାଳ । ମେଲୋଡି କିଙ୍ଗ୍ ସ୍ୱର୍ଗତ ଅଭିଜିତ ମଜୁମଦାରଙ୍କ ଏହା ହେଉଛି ଶେଷ ସଙ୍ଗୀତ ନିର୍ଦ୍ଦେଶନା । ସିନେମାର ପୂରା ଟିମ୍ ଅଭିଜିତ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସିନେମାର ସଫଳତା କାମନା କରିଛନ୍ତି ।

ଅଧିକ ପଢ଼ନ୍ତୁ :- ‘ମର୍ଦ୍ଦାନୀ-୩’କୁ କଲେକ୍ସନରେ ପଛରେ ପକାଇଲା ‘ତେରେନାମ’, ଜାଣନ୍ତୁ ୩ ଦିନରେ କାହାର କେତେ ବେପାର ?