ଭୁବନେଶ୍ୱର,୧୪/୦୫:  ୧୯୯୯ର ମହାବାତ୍ୟା ଏବେ ସିନେମାର ରୂପ ନେବାକୁ ଯାଉଛି । ଯାହାକୁ ଦର୍ଶକେ ରୂପେଲି ପରଦାରେ ଦେଖିବେ। ପୂର୍ବରୁ  ‘ଦମନ' ପରି ସଫଳ ଚଳଚ୍ଚିତ୍ର  ନିର୍ମାଣ କରି ଜାତୀୟସ୍ତରରେ ପୁରସ୍କୃତ  ଓ ପ୍ରଶଂସିତ ହୋଇଥିବା ନିର୍ଦ୍ଦେଶକ ଯୋଡି ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ହୋଇଛି । ଯାହାକୁ ନେଇ  ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।  ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର ଶୀର୍ଷକ ରହିଛି  ‘ଲ୍ୟାଣ୍ଡଫଲ୍‌' ।  

ମଙ୍ଗଳବାର ଭୁବନେଶ୍ୱରରଠାରେ ଆୟୋଜିତ ଏକ ଭବ୍ୟ ଓ ଆଡମ୍ୱରପୂର୍ଣ୍ଣ  ଉତ୍ସବରେ ଏହାର ଶୀର୍ଷକ ଘୋଷଣା  ହୋଇଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଓ ତାଙ୍କ  ବିପକ୍ଷରେ ନାୟିକା ଭାବରେ ନଜର  ଆସିବେ ସୌନ୍ଦର୍ଯ୍ୟମୟୀ ଅଭିନେତ୍ରୀ  ଦିବ୍ୟାସ୍ନାତା । ଆରମ୍ଭରେ ଉପସ୍ଥିତ ରହି  ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ  ଫିଲ୍ମର ଟିମ୍‌କୁ ଶୁଭେଚ୍ଛା ଜଣାଇବା  ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା  ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା  ସମ୍ପର୍କରେ ଅଭିଜ୍ଞତା ରଖିଥିଲେ ।  

କାର୍ଯ୍ୟକ୍ରମରେ କୁଜଙ୍ଗର ତତ୍କାଳୀନ  ତହସିଲଦାର ସୁରଜିତ ଦାସ, ଅତିରିକ୍ତ  ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ,  ଲୋଗୋ ଓ ପୋଷ୍ଟର ଉନ୍ମୋଚନ  କରିବା ସହ ସେ ସମୟର ଅନୁଭୂତି  ବଖାଣି ଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ  ଆନନ୍ଦ, ଡିଓପି ପ୍ରତାପ ରାଉତ ଏବଂ  ଅନ୍ୟାନ୍ୟ କଳାକାର ଓ ଟେକ୍ନିସିଆନଙ୍କ  ସମେତ ଇଣ୍ଡଷ୍ଟ୍ରିର ବହୁ ବ୍ୟକ୍ତିବିଶେଷ  ଯୋଗ ଦେଇଥିଲେ । ଫିଲ୍ମ ପାଇଁ ବିଶାଳ  ସେଟ୍‌ ନିର୍ମାଣ ହେବା ସହ ଅତ୍ୟାଧୁନିକ ଆନିମେସନ ଓ ଭିଜୁଆଲ ଇଫେକ୍ଟସର ଉପଯୋଗ ହେବ । ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।