ଭୁବନେଶ୍ୱର, ୩୧/୦୩: ଓଡ଼ିଶାର ସଂସ୍କୃତି ପରମ୍ପରାକୁ ମହାଆଡ଼ମ୍ବରରେ ପ୍ରଦର୍ଶନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଆ ପକ୍ଷ ପାଳନ ହେବ । ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ଏପ୍ରିଲ ୧୪ ଓଡ଼ିଆ ନବବର୍ଷ (ମହାବିଷୁବ ସଂକ୍ରାନ୍ତି) ପର୍ଯ୍ୟନ୍ତ ୧୪ ଦିନ ଧରି ଏହି ପକ୍ଷ ପାଳନ କରାଯିବ । ଏଥି ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ରବିବାର ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଆ ପକ୍ଷ ପାଳନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ଏପ୍ରିଲ୍ ୧ରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ । ଏପ୍ରିଲ ୨ରେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।
ଏପ୍ରିଲ ୩ ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- "ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ କରାଯିବ । ଏପ୍ରିଲ ୪ରେ ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ "ଓଡ଼ିଆରେ ନାମ ଫଳକ ଅଭିଯାନ-ସଚେତନତା ପଦଯାତ୍ରା’ ଆୟୋଜନ କରାଯିବ । ଏପ୍ରିଲ ୫ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏପ୍ରିଲ ୬ରେ ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ ସ୍ଥଳୀଗୁଡ଼ିକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନ କରାଯିବ ।
ସେହିପରି ୭ରେ ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ "ବର୍ଣ୍ଣବୋଧ’ ନିମନ୍ତେ ଏହି ଦିନଟିକୁ ‘ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ’ ଭାବେ ପାଳନ କରାଯିବ । ୮ରେ ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବ । ୯ ତାରିଖକୁ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ "ଆସ ବହିଟିଏ କିଣିବା’ ଅଭିଯାନ ଭାବରେ ପାଳନ କରାଯିବ । ୧୦ରେ ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ "ଲୋକକଳା ପାଇଁ ଦିନଟିଏ -ବରିଷ୍ଠ କଳାକାରଙ୍କୁ ସମ୍ୱର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ’ ଉତ୍ସବ ପାଳନ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ । ୧
୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ । ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ । ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ । ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ ୧୩ ତାରିଖରେ "ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ' ଉତ୍ସବ ପାଳନ କରାଯିବ । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ । ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷକୁ ଧୁମ୍ଧାମ୍ରେ ପାଳନ କରାଯିବ ।