ଭୁବନେଶ୍ୱର,୧୭/୧୨: ପରିବାରର ଅପେକ୍ଷାର ଅନ୍ତ ହୋଇଛି । ମାଆ କୋଳକୁ ଫେରିଛି ପୁଅ । ବାପାକୁ ପାଇଛି କୁନିପୁଅ । ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ । ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ନିଜ ମାଟିରୁ ଫେରିଛନ୍ତି । ବିମାନବନ୍ଦରରେ ପହଞ୍ଚି ମାଆ ଓ ତାଙ୍କ କୁନି ପୁଅକୁ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି ଆଦର୍ଶ । ତାଙ୍କ ମାଆ ମଧ୍ୟ କାନ୍ଦି ପକାଇଛନ୍ତି । ସୁଦାନରେ ବିଦ୍ରୋହୀ ଆତଙ୍କୀ ସଂଗଠନ ଆରଏସଏଫ ଆଦର୍ଶଙ୍କୁ ଅପହରଣ କରି ନେଇଥିଲା । ଫେରିବା ପରେ ନିଜ ଯନ୍ତ୍ରଣା କହି ଭାବବିହ୍ୱଳ ହୋଇ ପଡିଛନ୍ତି ଆଦର୍ଶ ।

ସୁଦାନ ଗୃହଯୁଦ୍ଧ ଭିତରେ ମୁକୁଳିଛନ୍ତି ଓଡ଼ିଆ ପୁଅ ଆଦର୍ଶ ବେହେରା । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୋଟକଣାର ଆଦର୍ଶ । ଗତକାଲି ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହାରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଜଗତସିଂହପୁର ସାଂସଦଙ୍କ ଅନୁରୋଧରେ ଆଦର୍ଶଙ୍କୁ ଆଣିଛି ବୈଦେଶିକ ମନ୍ତ୍ରାଳୟ । ଉଦ୍ଧାର ପାଇଁ ଦାବି କରିଥିଲେ ସାଂସଦ ବିଭୁ ପ୍ରସାଦ ତରାଇ ।

​​​​​​​'ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ-' ବିମାନବନ୍ଦରରେ ପହଞ୍ଚିବା ପରେ କୁନି ପୁଅକୁ କୋଳକୁ ନେଇ ଭୋ ଭୋ ହୋଇ କାନ୍ଦିଥିଲେ । ଏହା ପରେ ସେ ଯନ୍ତ୍ରଣାକୁ ବଖାଣି ଆଦର୍ଶ ବେହେରା କହିଛନ୍ତି, ''୨ରୁ ୩ ଦିନ ଜଙ୍ଗଲରେ ଥିଲି । ତା ପରେ ମୋତେ ଜେଲରେ ରଖିଥିଲେ । ପ୍ରାୟ ଦେଢମାସ ଜେଲରେ ରଖିଥିଲେ । ଏ ୭ଦିନ ହେବ ମୋତେ ରିଲିଜ କରାଗଲା । ମୋତେ ଏବେ ଭଲ ଲାଗୁଛି । ସେମାନେ ଭିଡିଓ କରିଥିଲେ । ମୁଁ ଯାହା ଫୋନରୁ କଲ କରିଥିଲି ସେ ଭିଡିଓ ଛାଡିଥିଲେ । ପ୍ରଥମେ ମୋତ ଧରି ନେବା ପରେ ବହୁତ ମାଡ଼ ମାରିଥିଲେ । ଆର୍ମି ଭାବିକି ମୋତେ ମାରିଛନ୍ତି । ବଞ୍ଚିବି ବୋଲି କେବେ ବି ଭାବଥିଲି । ବହୁତ କଷ୍ଟରେ ରହିକି ଆସିଛି । ଅନ୍ଧାର କୋଠରୀରେ ରଖିଥିଲେ । ଗୋଟିଏ ବ୍ରେଡ-ବିସ୍କୁଟ ଖାଇବାକୁ ଦେଉଥିଲେ ।''