- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ବହି ଚିନ୍ତା
- ନବମ ଶ୍ରେଣୀ ପାଠ୍ୟପୁସ୍ତକର ହୋଇଛି ପରିବର୍ତ୍ତନ
- ବଜାରରେ ମିଳୁଛି, ହେଲେ ପିଲାଙ୍କୁ ଦେଇପାରୁନି ଓଏଭିଏସ୍
ଭୁବନେଶ୍ୱର, ୨୯/୦୬ (ଶୁଭ୍ରଜିତ ବଳିଆରସିଂ) : ନୂଆ ଶିକ୍ଷାବର୍ଷ ଆରମ୍ଭର ୩ ମାସ ହେଲାଣି। ହେଲେ ଏଯାଏ ପାଠ୍ୟପୁସ୍ତକ ମିଳିନି। ପୁରୁଣା ବହିରେ କାମ ଚଳୁଛି। ପୁରୁଣା ପାଠ୍ୟପୁସ୍ତକ ବଦଳିଛି, ନୂଆ ଆସିଛି। ହେଲେ ପିଲାଙ୍କ ପାଖେ ଖଣ୍ଡେ ହେଲେ ନୂଆ ବହି ନାହିଁ । ଏହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଏନ୍ସିଇଆରଟି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିଛି । ନିୟମ ଅନୁଯାୟୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅନୁବନ୍ଧିତ ସରକାରୀଠୁ ଆରମ୍ଭ କରି ଘରୋଇ ଯାଏ ସମସ୍ତ ସ୍କୁଲ ଏନସିଇଆରଟିର ନୂଆ ବହିରେ ପାଠ ପଢ଼ିବେ । ଏହି ଅନୁଯାୟୀ ମଧ୍ୟ ପରୀକ୍ଷାରେ ପ୍ରଶ୍ନ ଆସିବ । ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଖରେ ନୂଆ ବହି ନାହିଁ । ପିଲାମାନେ ପୂର୍ବ ବର୍ଷର ଛାତ୍ରଛାତ୍ରୀଙ୍କ ପୁରୁଣା ବହିକୁ ଧରି ପଢ଼ୁଛନ୍ତି । ଶିକ୍ଷକମାନେ ମଧ୍ୟ ଏହି ବହି ଦେଖି ପଢ଼ାଉଛନ୍ତି ।
ରାଜ୍ୟରେ ମୋଟ ୩୨୦ଟି ଓଡ଼ିଶା ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଠାରେ ନବମ ଶ୍ରେଣୀରେ ମୋଟ ୨୩ ହଜାର ୮୫୮ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏଥିରୁ ୧୪ ହଜାର ୪୫୮ଜଣ ଛାତ୍ରୀ ଓ ୯୪୦୪ ଜଣ ଛାତ୍ର । ରାଜ୍ୟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ାଯାଉଛି। ରାଜ୍ୟର ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ସରକାରୀ ଇଂରାଜୀ ମାଧ୍ୟମରେ ପଢ଼ାଇବାକୁ ୩୧୪ଟି ବ୍ଲକ୍ ସମେତ ୫ଟି ମାଇନିଂ ଓଏଭି ଏବଂ ଭୁବନେଶ୍ୱର ଆଇକନିକ୍ ଓଏଭିର ପ୍ରତିଷ୍ଠା କରିଛନ୍ତି । ଏଠାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କେବଳ ମାଗଣା ପାଠପଢ଼ା ଯାଉଛି ତାହା ନୁହେଁ, ମାଗଣା ମଧ୍ୟାହ୍ନ ଭୋଜନ ସହ ମାଗଣାରେ ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚଳିତ ଶିକ୍ଷାବର୍ଷ ଗତ ଏପ୍ରିଲ୍ ୨ ତାରିଖରୁ ଆରମ୍ଭ ହେଲାଣି । ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସରକାର ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପାଠ୍ୟପୁସ୍ତକ ଯୋଗାଇ ଦେବା କଥା । ସରକାର ଏନସିଇଆରଟିଠୁ ସମସ୍ତ ବହି କିଣି ଆଣି ଯୋଗାଇବା କଥା । ହେଲେ ଏଯାବତ୍ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଦୌ ପାଠ୍ୟପୁସ୍ତକ ବଣ୍ଟନ କରାଯାଇନାହିଁ । ପୂର୍ବରେ ପଢ଼ି ଉତ୍ତୀଣ୍ଣ ହୋଇଥିବା ପାଠ୍ୟପୁସ୍ତକକୁ ପିଲାଙ୍କୁ ଯୋଗାଇ ଦିଆଯାଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ଶିକ୍ଷାବର୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକକୁ ଏନସିଇଆରଟି ପରିବର୍ତ୍ତନ କରିଛି । ଜାତୀୟ ଶିକ୍ଷା ନୀତି ଓ ଜାତୀୟ ପାଠ୍ୟକ୍ରମ ରୂପରେଖ-୨୦୨୩କୁ ଆଧାର କରି ନୂଆ ବହି ପ୍ରସ୍ତୁତ କରାଯାଇଛି । ଅବଶ୍ୟ ପୂର୍ବ ବହି ସହ ନୂଆ ବହିର କିଛି ସମାନତା ରହିଛି ସତ ହେଲେ ଅନେକ ବିଷୟବସ୍ତୁ ପରିବର୍ତ୍ତନ ହୋଇଛି । ନୂଆ ବିଷୟକୁ ଯୋଡ଼ାଯାଇଛି । ଯଦି ପିଲାମାନେ ପୁରୁଣା ପାଠ୍ୟପୁସ୍ତକକୁ ଅନୁସରଣ କରନ୍ତି ତେବେ ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ଘରୋଇ ସ୍କୁଲ ପିଲାଙ୍କଠୁ ଢେର ପଛରେ ପଡ଼ିବେ ବୋଲି ଅଭିଭାବକ, ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍କୁଲରେ ପାଠ୍ୟପୁସ୍ତକ ପହଞ୍ଚି ନଥିବାରୁ ଶିକ୍ଷକମାନେ ଗତବର୍ଷର ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଦେଇ କାମ ଚଳାଉଛନ୍ତି ।
ଜଣେ ଅଧିକାରୀ କହିଛନ୍ତି, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମେ’ ମାସରେ କେବଳ ସାହିତ୍ୟ, ସାହିତ୍ୟ ବ୍ୟାକରଣ ସହ ଇଂରାଜୀ ପାଠ୍ୟପୁସ୍ତକ ଦିଆଯାଇଛି । ବାକି ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସଂସ୍କୃତ, ହିନ୍ଦୀ, କଳା, ଶାରୀରିକ ଶିକ୍ଷା, ଆଇସିଟି, ସ୍କିଲ୍ ଏଜୁକେସନ୍ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପାଠ୍ୟପୁସ୍ତକ ଦିଆଯାଇ ନାହିଁ । ଏନ୍ସିଇଆର୍ଟିର ନୂଆ ପାଠ୍ୟପୁସ୍ତକ ଛପା ଚାଲିଥିବାରୁ ବହି ଆସିନି । କେବଳ ଏତିକି ନୁହେଁ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ହାତ ଗଣତି କିଛି ନୂଆ ବହି ଆସିଛି । ଅନ୍ୟ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ୮୦ ପ୍ରତିଶତ ବହି ଯୋଗାଇ ଦିଆଯାଇଛି । ଏଥି କଥା ଉଠୁଛି, ଏନ୍ସିଇଆର୍ଟିରେ କେବଳ ଏସ୍ଏସଟି (ସାମାଜିକ ବିଜ୍ଞାନ) ପାଠ୍ୟପୁସ୍ତକକୁ ଛାଡ଼ି ବାକି ସମସ୍ତ ବହି ବଜାରରେ ଉପଲବ୍ଧ ହୋଇଛି । ଏହାକୁ ଘରୋଇ ସ୍କୁଲ ମଧ୍ୟ କିଣି ପିଲାଙ୍କୁ ଯୋଗାଇ ଦେଉଛି । ହେଲେ ଓଏଭି ପିଲାଙ୍କୁ ଏନସିଇଆର୍ଟି ବହି ଯୋଗାଇ ଦେବାକୁ ଏକ ଘରୋଇ ଭେଣ୍ଡର ସହ ଚୁକ୍ତି ହୋଇଛି । ଅଥଚ ଶିକ୍ଷାବର୍ଷ ଆରମ୍ଭର ୩ ମାସ ହେଲାଣି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ବହି ମିଳିନି । କିଛି ଅଭିଭାବକ ଏନସିଇଆରଟି ବହିକୁ ୱେବସାଇଟ୍ରୁ ଡାଉନଲୋଡ୍ କରି ଜେରକ୍ସ କରି ଖର୍ଚ୍ଚାନ୍ତ ହେଉଛନ୍ତି।
ଆହୁରି ପଢନ୍ତୁ- ଅଧାରୁ ପାଠପଢ଼ା ଛାଡ଼ି ରୋଜଗାର ଆଶାରେ ଯାଇଥିଲେ, ରାତି ଡ୍ୟୁଟି ସାରି ନିଦରେ ଶୋଇଥିଲେ, ଆଉ ଉଠିଲେନି...
ଦେବସ୍ନାନ ପୂର୍ଣ୍ଣିମା LIVE | ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ | Puri Snana Purnima 2026 | Prameyadigital