ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଓଡ଼ିଶାବାସୀଙ୍କୁ ମାରିଦେବ ବାଣ ବିଷ: ହଠାତ୍‌ ପ୍ରଦୂଷଣ ସ୍ତର ଆକାଶ ଛୁଇଁବ, ଶ୍ୱାସ, ହୃଦରୋଗୀ, ବୟସ୍କ, ଶିଶୁ, ଗର୍ଭବତୀଙ୍କ ପାଇଁ ବିପଦ

Published By : Prameya | October 19, 2024 9:59 AM

ଭୁବନେଶ୍ୱର,୧୯/୧୦: ଗତବର୍ଷ ଦୀପାବଳି ସକାଳ ୯ଟାବେଳେ ୧୫୦ ପାଖାପାଖି ଥିଲା ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ୍ୟୁଆଇ । ଅଧ ରାତି ବେଳକୁ ୬୭୬ । ଲିଙ୍ଗରାଜ କ୍ଷେତ୍ର ଅଞ୍ଚଳରେ ସନ୍ଧ୍ୟାବେଳେ ଏକ୍ୟୁଆଇ ଥିଲା ୧୭୩ । ରାତି ଗୋଟାଏ ବେଳକୁ ୯୯୯ । ଦିଲ୍ଲୀ ପାଲଟିଗଲା ଭୁବନେଶ୍ୱର । ଭୟଙ୍କର ସ୍ଥିତି । ଏକ୍ୟୁଆଇ ୧ ହଜାର ପାଖାପାଖି ପହଞ୍ଚିବା ଅର୍ଥ ସ୍ଥିତି ଅତି ଭୟଙ୍କର । ପବନରେ ଯେମିତି ଭରିଯାଇଥିଲା ବିଷ । ଶ୍ୱାସ ରୋଗୀ, ହୃଦରୋଗୀଙ୍କ ପାଇଁ ମାଡ଼ି ଆସିଥିଲା ବିପଦ । 

ତଥାକଥିତ କଟକଣାଯୁକ୍ତ ସବୁଜ ଦୀପାବଳି ପାଳନ ପରେ ଏମିତି ସ୍ଥିତି ଥିଲା ଗତବର୍ଷ ଭୁବନେଶ୍ୱର ସ୍ଥିତି । ଦୀପାବଳି ପରଦିନ ସବୁଠି ଏକ୍ୟୁଆଇ ୩୫୦ରୁ ୪୦୦ ପହଞ୍ଚିଥିଲା । ସପ୍ତାହକ ପୂର୍ବରୁ ପ୍ରାୟତଃ ୧୦୦ରୁ ୧୫୦ ଭିତରେ ଥିଲା ଏକ୍ୟୁଆଇ ।

ବାୟୁର ଗୁଣାତ୍ମକ ମାନ (ଏକ୍ୟୁଆଇ) ୦-୫୦ ଭିତରେ ରହିଲେ ଭଲ ।  ୫୦-୧୦୦ ସନ୍ତୋଷଜନକ । ୧୦୦ ଟପିଲେ ମଧ୍ୟମ ଧରଣର ପ୍ରଦୂଷଣ । ୨୦୦ ଟପିଲେ ଖରାପ । ୩ଶହ ଡେଇଁଲେ ଅତି ଖରାପ । ୪୦୦ ପାର୍‌ କଲେ ସାଂଘାତିକ ବା ସିଭିୟର ପ୍ରଦୂଷଣ । ୩ଶହ ଟପିଲେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଉପୁଜିଥାଏ । 

ହଠାତ୍‌ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ଆକାଶଛୁଆଁ ଭାବେ ବଢ଼ିଲେ, ସାଂଘାତିକ ସ୍ଥିତି ଆଣିପାରେ । ନିଃଶ୍ୱାସ, ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇପାରେ । ଧଇଁସଇଁ ହୋଇପାରନ୍ତି ଶ୍ୱାସ ରୋଗୀ । ହୃଦ୍‌ ସମସ୍ୟା ବି ଉପୁଜିପାରେ । ରକ୍ତଚାପ ବଢ଼ିବା ସହ ଆଖି, ନାକ, ଗଳାରେ ପୋଡ଼ା ଜଳା ଅନୁଭବ ହୋଇପାରେ । ମସ୍ତିଷ୍କକୁ ବିଚଳିତ କରିପାରେ ଧୂଆଁ ଓ ଉଚ୍ଚ ଶବ୍ଦ । ଗତବର୍ଷ ଅନେକ ଏମିତି ଯନ୍ତ୍ରଣା ଦେଇ ଗତି କରିଛନ୍ତି । ସବୁଠୁ ବେଶି ଯନ୍ତ୍ରଣା ପାଇଥିଲେ ବୃଦ୍ଧ/ବୃଦ୍ଧା, ଗର୍ଭବତୀ, ଶିଶୁ, ଭିନ୍ନକ୍ଷମ ଓ ରୋଗାକ୍ରାନ୍ତ ଲୋକେ । 

ଏ ବର୍ଷ ଦୀପାବଳିକୁ ନେଇ ପୁଣି ଘାରିଲାଣି ସ୍ୱାସ୍ଥ୍ୟଗତ ଚିନ୍ତା । ବାୟୁମଣ୍ଡଳରେ ଭରିଯିବ ବିଷ । ଏମିତି ବିଷାକ୍ତ ଦୀପାବଳି ବାଣ କେତେବେଳେ ନେଇଯିବ ଜୀବନ । ଜୋରଦାର ଆତସବାଜି ଡାକି ଆଣିବ ବିପଦକୁ । ବାୟୁ ପ୍ରଦୂଷଣ ଚିନ୍ତାରେ ଦିଲ୍ଲୀରେ ଏ ବର୍ଷ ଆତସବାଜି ମନା । ଦୀପାବଳିରେ ନା ବାଣ ବିକ୍ରି ହେବ ନା କେହି ଫୁଟାଇପାରିବେ । 

ମାତ୍ର ଓଡ଼ିଶାରେ ଏ ଦିଗରେ କିଛି ବି ଚିନ୍ତା କରାଯାଉନି । ପଚାରିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା-ଦିଲ୍ଲୀ ଭଳି ବାୟୁ ପ୍ରଦୂଷଣ ସ୍ଥିତି ଓଡ଼ିଶାରେ ନାହିଁ । ସବୁଜ ଦୀପାବଳିରେ ପ୍ରଦୂଷଣ ବେଶି ହେବନି । ମାତ୍ର ଗତବର୍ଷର ସବୁଜ ଦୀପାବଳି ପରେ ସ୍ଥିତି କେତେ ଭୟାବହ ଥିଲା, ସେକଥାକୁ କେମିତି ଭୁଲିଯିବା ।

ବଡ଼ କଥା ହେଲା, ସବୁଜ ଦୀପାବଳି କ’ଣ? ସବୁଜ ବାଣ କାହାକୁ କହିବା? ଏକଥା ଅଧିକାଂଶ ଲୋକେ ଜାଣନ୍ତି ନାହିଁ । ଏ ନେଇ କୋର୍ଟ ନିର୍ଦ୍ଦେଶ, କର୍ତ୍ତୃପକ୍ଷଙ୍କ କଟକଣା ରହିଛି ସତ, ହେଲେ ମାନୁଛି କିଏ? ଏହାକୁ ଜଗୁଛି କିଏ? ରାତି ତମାମ ବାଣ ଫୁଟୁଛି । ସବୁଜ ନାଁରେ ସବୁ ପ୍ରକାର ବିଷାକ୍ତ ବାଣ ଫୁଟୁଛି ଚାରିଆଡ଼େ । ପରିଣାମ- ବିଷ ମାଡ଼ି ଯାଉଛି ପାଣି, ପବନ, ମାଟିରେ । ବିଗାଡ଼ି ଦେଉଛି ମଣିଷ, ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ । ରୁନ୍ଧି ହୋଇଯାଉଛନ୍ତି ଜନଜୀବନ ।

ଓଡ଼ିଶା ପରିବେଶ ସମିତି ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁସାରେ ସବୁଜ ବାଣ (ଗ୍ରୀନ୍‌ ଫାୟାର କ୍ରାକର୍ସ) ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ । ପାରମ୍ପରିକ ବାଣଠାରୁ ଏଥିରୁ ୩୦% କମ୍‌ ପ୍ରଦୂଷଣ ନିର୍ଗତ ହୁଏ । ନିୟମ କହୁଛି, ସବୁଜ ବାଣରେ ବିଷାକ୍ତ ଭାରି ଧାତବ ଦ୍ରବ୍ୟ ରହିବା କଥା ନୁହେଁ । ମାତ୍ର ଏହାକୁ କିଏ କେତେ ମାନୁଛି, ତାହାର ଠିକଣା ଯାଞ୍ଚ ହେଲେ ହିଁ ଜଣାପଡ଼ିବ । ଦୀପାବଳୀ ସମୟରେ ବାୟୁ ଚଳାଚଳ ହ୍ରାସ ପାଇଥିବାରୁ ପ୍ରଦୂଷଣ ବାୟୁମଣ୍ଡଳରେ ଜମାଟ ବାନ୍ଧି ଅଧିକ ପ୍ରଭାବ ପକାଇଥାଏ ।  ରଙ୍ଗୀନ ବାଣ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବେଶି ବିପଦଜନକ । ଏଥିରୁ ଯେଉଁ ଧୂଆଁ ବାହାରି ବାୟୁମଣ୍ଡରେ ଗାଢ଼ ଧୂଆଁ (ସ୍ମଗ୍‌) ସୃଷ୍ଟି କରେ, ତାହା ସ୍ୱାସ୍ଥ୍ୟ ପାଇଁ ଅତି କ୍ଷତିକାରକ । ଏଭଳି ଆତସବାଜି ନ କରି ପରମ୍ପରା ଅନୁସାରେ ଆମେ ଦୀପ ଜାଳି, ପୂଜାର୍ଚ୍ଚନା କରିବା ଉଚିତ । ନଚେତ ଆମେ ବି ଦିଲ୍ଲୀ ଅବସ୍ଥା ଭୋଗିବା ।

ତାଜା ଗବେଷଣାରୁ ଜଣାପଡ଼ିଛି, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ବୋଝ ବଢ଼ି ଚାଲିଛି । ଗଛ, ମାଟି ଓ ସମୁଦ୍ର ଆଉ ପୂର୍ବଭଳି ଅଙ୍ଗାରକାମ୍ଳ ଶୋଷୁ ନାହାନ୍ତି । ଏହାର ପ୍ରଭାବ ବି ସାରା ବିଶ୍ୱରେ ଅନୁଭୂତ ହେଲାଣି । ୨୦୨୩ ଓ ୨୦୨୪ ଲଗାତାର  ସାରା ବିଶ୍ୱରେ ଅତ୍ୟଧିକ ଗରମ ଓ ଅଧିକ ତାପମାତ୍ରା ଅନୁଭୂତ ହେଉଛି । ଅକ୍ଟୋବର ସରିବାକୁ ବସିଲାଣି, ଓଡ଼ିଶାରେ ଏ ବର୍ଷ ଯେମିତି ଖରାଦିନ ଭଳି ଗରମ ଅନୁଭୂତ ହେଉଛି । ଦିନ ତାପମାତ୍ରା ୩୫-୩୭ ଡିଗ୍ରୀ ପାଖାପାଖି ରହୁଛି । ରାତିରେ ବି ଅସ୍ୱାଭାବିକ ଗରମ । ଏଭଳି ସ୍ଥିତିରେ ଦୀପାବଳି ଆଳରେ ମନମୁଖୀ ଆତସବାଜି ହେଲେ ସ୍ଥିତି ଆହୁରି ବିଗିଡ଼ିବ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ବୋଝ ଆହୁରି ଲଦି ହୋଇଯିବ । ବଡ଼ ଚିନ୍ତା ହେଲା- ବାୟୁମଣ୍ଡଳରେ ବର୍ଦ୍ଧିତ ଅଙ୍ଗାରକାମ୍ଳ ଯିବେ କୁଆଡ଼େ । ଏହାର ପରିଣାମ- ବର୍ତ୍ତମାନ ସହିତ ଆଗାମୀଦିନ ପାଇଁ ଭୟାବହ ହେବ । 

ପାରମ୍ପରିକ ବାଣ ପ୍ରସ୍ତୁତିରେ ଅଙ୍ଗାରକ ଓ ଗନ୍ଧକ ସହିତ ପୋଟାସିୟମ, ନାଇଟ୍ରେଟ, ଆର୍ସେନିକ, ମାଙ୍ଗାନିଜ, ସୋଡିୟମ ଅକ୍ସାଲେଟ୍‌, ଆଲୁମିନିୟମ, କ୍ୟାଡମିୟମ, ଲୁହା ପାଉଡର, ପୋଟାସିୟମ ପର୍‌କ୍ଲୋରେଟ, ଷ୍ଟ୍ରୋଣ୍ଟିଅମ ନାଇଟ୍ରେଟ୍‌, ବାରିୟମ ନାଇଟ୍ରେଟ୍‌ ପରି ଧାତବ ଓ ଅଣଧାତବ ପଦାର୍ଥ ବ୍ୟବହୃତ ହୁଏ । ଏଗୁଡ଼ିକ ଜଳିଲେ ଗନ୍ଧକ ଓ ଯବକ୍ଷାରଜାନ ଡାଇଅକ୍ସାଇଡ୍‌, ଅଙ୍ଗାରକାମ୍ଳ, କାର୍ବନ ମନୋକ୍ସାଇଡ୍‌ ପରି ବିଷାକ୍ତ ବାଷ୍ପ ନିର୍ଗତ ହୁଏ । ଏହାସହ ନିର୍ଗତ ଭାସମାନ କଣିକା ପଦାର୍ଥ ପିଏମ୍‌ ୧୦ ଓ ପିଏମ୍‌ ୨.୫ ସ୍ତରରେ ହଠାତ୍‌ ବୃଦ୍ଧି ଘଟେ । ଏହା ଶ୍ୱାସଜନିତ ରୋଗ ସହ ଆଖି, ନାକ, ଫୁସଫୁସ, ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ସବୁଜ ବାଣରେ ଏସବୁର ପରିମାଣ କମ୍‌ ରହିଥାଏ ବୋଲି କୁହାଯାଏ । ହେଲେ ଏହା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ନୁହେଁ । 

ପରିବେଶ ବୈଜ୍ଞାନିକ ଡ. ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି, କୌଣସି ବାଣ ସୁରକ୍ଷିତ ନୁହେଁ । ପିଲା ବେଶି ବ୍ୟବହାର କରୁଥିବା ଝୁର୍‌ଝୁରି, ଡିଆସିଲି, ଘରି, ସୁତୁଲି ବାଣରୁ ବେଶି ଧୂଆଁ ବାହାରେ ।  ଦୀପ ଜାଳିବା ପାଇଁ ବଜାରରେ ମିଳୁଥିବା ଶସ୍ତା ଓ ନିମ୍ନମାନର ତେଲରୁ ବି ଅତ୍ୟଧିକ ଧୂଆଁ ବାହାରୁଛି । ସମୟ ଆସିଛି, ଆମକୁ ଚେତିବାକୁ ପଡ଼ିବ । ନିଜ ଖୁସି ପାଇଁ ଦୀପାବଳିରେ ବାଣ ନ ଫୁଟାଇ ଆମ ପରିବେଶକୁ ରକ୍ଷା କରିବା । ଏକ ଗବେଷଣାରୁ ଜଣାପଡ଼ିଛି, ଯେତିକି ଅଙ୍ଗାରକାମ୍ଳ ନିର୍ଗତ ବାହାରୁଛି, ଉଦ୍ଭିଦ, ମାଟି ଓ ସମୁଦ୍ର ସେତିିକି ଅଙ୍ଗାରକାମ୍ଳ ଶୋଷି ପାରୁନାହାନ୍ତି । ତେଣୁ ପାର୍ବଣ ନାଁ ନେଇ ପୃଥିବୀ ଉପରେ ଆଉ ଅତ୍ୟାଚାର କରନ୍ତୁ ନାହିଁ । 

ବିଶେଷଜ୍ଞ କହିଛନ୍ତି, ହଠାତ୍‌ ବହୁଳ ମାତ୍ରାରେ ବାଣ ଜଳିଲେ ପାଣି, ପବନ ଓ ମାଟି ପ୍ରଦୂଷିତ ହୁଏ । ଏଥିରୁ ଯେଉଁ ରାସାୟନିକ ପ୍ରତିକ୍ରିୟା ପଡ଼େ, ତାହା ବାୟୁମଣ୍ଡଳରେ ଗାଢ଼ ଧୂଆଁ ସୃଷ୍ଟି କରେ । ଏଥିରେ ମଣିଷର ଶ୍ୱାସକ୍ରିୟା, ରକ୍ତଚାପ, ହୃଦ ସମସ୍ୟା ଦେଖାଦିଏ । ମାନସିକ ସ୍ୱାସ୍ଥ୍ୟ ଓ ହରମୋନ ସନ୍ତୁଳନ ବିଗିଡ଼ିଥାଏ । ଗଳା ଓ ଫୁସଫୁସ୍‌ରେ ଏସବୁ ବିଷାକ୍ତ ଗ୍ୟାସ ପ୍ରବେଶ କରି ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଗର୍ଭବତୀ, ଶିଶୁ, ବୟସ୍କଙ୍କ ପାଇଁ ଏଭଳି ଦୀପାବଳି ବିପଦଜନକ ।

କୋଭିଡ ମହାମାରୀ ସମୟରେ ୨୦୨୦ରେ ଦୀପାବଳିରେ ବାଣ ଫୁଟାଇବା ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା । କାରଣ- ସରକାର ହୃଦବୋଧ କରିଥିଲେ ଏଭଳି ପ୍ରଦୂଷଣ ଫୁସଫୁସକୁ ପ୍ରଭାବିତ କରିବ। କୋଭିଡ ମହାମାରୀ ପରଠାରୁ ସବୁଠି ଫୁସଫୁସଜନିତ ରୋଗ ଓ ହୃଦରୋଗ ବୃଦ୍ଧି ପାଇଛି । ଯୁବବର୍ଗ ମଧ୍ୟ ହୃଦଘାତରେ ପ୍ରାଣ ହରାଇବା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଦେଇ ଲୋକେ ଗତି କରୁଥିବାବେଳେ ଦୀପାବଳିର ଆତସବାଜି ବିପଦକୁ ଡାକି ଆଣିପାରେ । ପ୍ରତିବର୍ଷ ଶୀତଦିନରେ ପ୍ରଦୂଷଣମାତ୍ରା ଅତ୍ୟଧିକ ରହୁଥିବାବେଳେ ଦୀପାବଳିର ଆତସବାଜି ଏ ହାରକୁ ଆହୁରି ବଢ଼ାଇ ଦେବ । ଏ ନେଇ ସରକାର ଗଭୀର ଭାବେ ଚିନ୍ତା କରିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.