ଭୁବନେଶ୍ୱର,୧୯/୦୭: ରାଜ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୨୧ ତାରିଖରେ  ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି ।  ୨୩ ତାରିଖରେ ପଶ୍ଚିମବଙ୍ଗ  ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ହେବ ବୋଲି  ବରିଷ୍ଠ କୃଷି ପାଣପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  ପୂର୍ବାନୁମାନ କରିଛନ୍ତି । 

ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର  ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ପରେ ସେହି ସ୍ଥାନରେ ୩ଦିନ ଯାଏ  ରହିବ । ୨୬ ତାରିଖରେ ସ୍ଥଳଭାଗକୁ ଯିବ । ବର୍ତ୍ତମାନ ଯେଉଁ ଲଘୁଚାପ  ସକ୍ରିୟ ଅଛି ସେହିଭଳି ହେବାକୁ  ଥିବା ଲଘୁଚାପ ଧାନବାଦ, ପାଟଣା,  ପ୍ରୟାଗ ଓ ଗ୍ୱାଲିୟର ଦେଇ ଦିଲ୍ଲୀ ଆଡ଼କୁ ଯାଇପାରେ । ଏହି ଲଘୁଚାପ ଆସନ୍ତା ୨୪ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ  ନେବ । ୨୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ  ବୋଲି ଡ. ପଶୁପାଳକ କହିଛନ୍ତି । 

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ  ୨୨ ତାରିଖ ଅପରାହ୍ନରୁ ୨୫ ତାରିଖ ଯାଏ ରାଜ୍ୟର ଅଧିକାଂଶ  ସ୍ଥାନରେ ବର୍ଷା ହେବ । ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ  ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ମେନପୁର ଓ ଫୁଲବାଣୀର  କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ୧୯, ୨୦, ୨୩ ଓ ୨୪  ତାରିଖରେ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ଅଧିକ  ବୋଲି ବୋଲି ସେ ଆକଳନ କରିଛନ୍ତି । 

ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ମଧ୍ୟପ୍ରଦେଶ ଉପରେ  ରହିଥିଲା। ଉତ୍ତର ବଙ୍ଗୋପସାଗର ଯାଏ ମୌସୁମୀ ଟ୍ରଫ୍‌ ଲମ୍ବିଥିଲା ।  ଟ୍ରଫ୍‌ ପ୍ରଭାବରେ ୧୯ ଓ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ  ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ବି ହେବ ବୋଲି ତାଙ୍କ ପୂର୍ବାନୁମାନ କହୁଛି।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମଧ୍ୟ ଆଗକୁ ଲଘୁଚାପ ନେଇ ପୂର୍ବାନୁମାନ କରିଛି । ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ୧୯ ତାରିଖରୁ ୨୪ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  

୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତିର କିଛି ସ୍ଥାନରେ ପ୍ରବଳ  ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୨୧ରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ  କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୨ରେ ମୟୂରଭଞ୍ଜ,  କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ,  ଗଜପତି ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ଆକଳନ କରିଛି ।