ଭୁବନେଶ୍ୱର,୧୯/୦୭: ରାଜ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୨୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି । ୨୩ ତାରିଖରେ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ବରିଷ୍ଠ କୃଷି ପାଣପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ସେହି ସ୍ଥାନରେ ୩ଦିନ ଯାଏ ରହିବ । ୨୬ ତାରିଖରେ ସ୍ଥଳଭାଗକୁ ଯିବ । ବର୍ତ୍ତମାନ ଯେଉଁ ଲଘୁଚାପ ସକ୍ରିୟ ଅଛି ସେହିଭଳି ହେବାକୁ ଥିବା ଲଘୁଚାପ ଧାନବାଦ, ପାଟଣା, ପ୍ରୟାଗ ଓ ଗ୍ୱାଲିୟର ଦେଇ ଦିଲ୍ଲୀ ଆଡ଼କୁ ଯାଇପାରେ । ଏହି ଲଘୁଚାପ ଆସନ୍ତା ୨୪ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ । ୨୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୨ ତାରିଖ ଅପରାହ୍ନରୁ ୨୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ୨୪ ଓ ୨୫ ତାରିଖରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ମେନପୁର ଓ ଫୁଲବାଣୀର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ୧୯, ୨୦, ୨୩ ଓ ୨୪ ତାରିଖରେ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ଅଧିକ ବୋଲି ବୋଲି ସେ ଆକଳନ କରିଛନ୍ତି ।
ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ମଧ୍ୟପ୍ରଦେଶ ଉପରେ ରହିଥିଲା। ଉତ୍ତର ବଙ୍ଗୋପସାଗର ଯାଏ ମୌସୁମୀ ଟ୍ରଫ୍ ଲମ୍ବିଥିଲା । ଟ୍ରଫ୍ ପ୍ରଭାବରେ ୧୯ ଓ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହିତ ଘଡ଼ଘଡ଼ି ବି ହେବ ବୋଲି ତାଙ୍କ ପୂର୍ବାନୁମାନ କହୁଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମଧ୍ୟ ଆଗକୁ ଲଘୁଚାପ ନେଇ ପୂର୍ବାନୁମାନ କରିଛି । ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ୧୯ ତାରିଖରୁ ୨୪ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।
୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ୨୧ରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୨ରେ ମୟୂରଭଞ୍ଜ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।