ଭୁବନେଶ୍ୱର,୨୫/୦୪: ମହିଳା ସଂରକ୍ଷଣକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଚାଲିଥିବାବେଳେ ଓଡ଼ିଶା ସରକାର ଡାକିଛନ୍ତି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଆସନ୍ତା ୩୦ ତାରିଖରେ ଦିନକ ପାଇଁ ବସିବ ବିଧାନସଭା । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ହେବ ଆଲୋଚନା ।
ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ଲମ୍ବା ଆଲୋଚନା ଚାଲିଲା । ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଓ ସରକାରଙ୍କ ସବୁ ଚେଷ୍ଟା ସତ୍ତେ୍ୱ ବିଲ୍ କାଟ୍ ଖାଇଥିଲା । ଏଥିସହିତ ଆଗତ ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସମ୍ବିଧାନ ସଂଶୋଧିତ ବିଲ୍ ମଧ୍ୟ ଆଗତ କରାଯାଇଥିଲା । କିନ୍ତୁ, ମହିଳା ବିଲ୍ କାଟ୍ ଖାଇବା ଦେଖି ସରକାର ତାହାକୁ ଫେରାଇ ନେଇଥିଲେ । ତେବେ ମହିଳା ସଂରକ୍ଷଣ ବିଲ୍କୁ ପାରିତ ନ ହେବାରୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇଛନ୍ତି । ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନୀ ପ୍ରଚାର ସହ ସବୁ ରାଜ୍ୟରେ ବିଜେପି ଏହାକୁ ନେଇ ବିରୋଧୀ ଦଳକୁ ଦାୟୀ କରି ବିକ୍ଷୋଭ କରିଛି । ଓଡ଼ିଶାରେ ମଧ୍ୟ ବିଜେପି ମହିଳା ସଂରକ୍ଷଣକୁ ନେଇ ରାସ୍ତାକୁ ଓହ୍ଲାଇଛି । ଏହାକୁ ଏକ ବଡ଼ ଅସ୍ତ୍ର କରି ବିଜେଡି ଓ କଂଗ୍ରେସକୁ ଲଗାତାର ଘେରିଛନ୍ତି ଶାସକ ବିଜେପି ଦଳ ।
ଅଧିକ ପଢ଼ନ୍ତୁ :-Heatwave Alert: ଉତ୍ତର ଓ ପଶ୍ଚିମ ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳା, ଝାରସୁଗୁଡ଼ା ପାଲଟିଲା ଦେଶରେ ଦ୍ୱିତୀୟ ଉତ୍ତପ୍ତ ସହର, ଦୁଇ ଦିନ ତାତି ମିଳିବନି ନିସ୍ତାର
ଏବେ ବିଧାନସଭାରେ ମଧ୍ୟ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ବିରୋଧୀ ଦଳଙ୍କୁ ମହିଳା ବିରୋଧୀ ଦର୍ଶାଇବା ପାଇଁ ବିଧାନସଭାରେ ବିଧିବଦ୍ଧ ସଂକଳ୍ପ ପାରିତ କରାଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦଳ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ପ୍ରତି ଆକ୍ରମଣ କରିବାକୁ ସୁଯୋଗ ଖୋଜୁଛନ୍ତି । ସୀମା ନିର୍ଦ୍ଧାରଣ ବିଲ୍ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ସଦସ୍ୟ ସଂଖ୍ୟା ସମାନୁପାତିକ ଭାବେ ବଢ଼ିବନି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ଏହି ଦିନିକିଆ ଅଧିବେଶନ ବେଶ୍ ସରଗରମ ରହିବ ।