ଭୁବନେଶ୍ୱର,୧୪/୦୭: ରାଜ୍ୟରେ ନାରୀ ସୁରକ୍ଷା  ବିପର୍ଯ୍ୟସ୍ତ ହୋଇଗଲାଣି । ରାଜ୍ୟରେ ୧୩ ମାସର ବିଜେପି  ଶାସନରେ ମହିଳା, ଛାତ୍ରୀ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ।  ଗୋଟିଏ ପରେ ଗୋଟିଏ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ  ଆସୁଛି । ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଏପରି  ଅଭିଯୋଗ ନେଇ ରାଷ୍ଟ୍ରପତିଙ୍କୁ ଫେରାଦ ହେବ ବିଜୁ ମହିଳା  ଜନତା ଦଳ । ଏନେଇ ରବିବାର ଇ-ମେଲ୍‌ ମାଧ୍ୟମରେ  ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ପାଇଁ ଅନୁରୋଧ  କରିଛି ଦଳ । 

ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ଦଳର ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି,  ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ  ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ । ପୀଡ଼ିତା  ଛାତ୍ରୀ ଭାବେ କଲେଜ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭ କରି ସ୍ଥାନୀୟ  ସାଂସଦ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ପାଖେ  ଅଭିଯୋଗ କରି ନିରାଶ ହୋଇଥିଲେ । 

ପୂର୍ବତନ ମନ୍ତ୍ରୀ  ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପୀଡ଼ିତାଙ୍କ ପରିବାରଙ୍କ ସହ  କଥାବାର୍ତ୍ତାରୁ ଜଣାପଡ଼ିଛି, ଅଧ୍ୟକ୍ଷ ଛାତ୍ରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତ ଅଧ୍ୟାପକଙ୍କ ସମ୍ମୁଖରେ ଛାତ୍ରୀଙ୍କୁ ଡାକି  ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ । ଏମ୍‌ସରେ  ପୀଡ଼ିତା ଚିକିତ୍ସିତ ହେଉଥିବା ବେଳେ ବିଜେପିର କିଛି  ଗୁଣ୍ଡା ଶ୍ରେଣୀୟ ଯୁବକ ବାହାରେ ଜଗି ବସିଛନ୍ତି । ପୀଡ଼ିତାଙ୍କୁ  ଭେଟିବାକୁ ଯାଉଥିବା ସଂଗଠନର ସଦସ୍ୟ, ବ୍ୟକ୍ତିଙ୍କୁ  ଦୁର୍ବ୍ୟବହାର କରୁଛନ୍ତି ଓ ବାଧା ଦେଉଛନ୍ତି । ଟୁକୁନି ସାହୁ  କହିଛନ୍ତି, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ  ତାଙ୍କୁ ଭେଟି ଆଲୋଚନା କରିବାକୁ ଚାହୁଁଛନ୍ତି ।