ଗୁଣପୁର,୧୦/୧୧: ଓଡିଶା ସୀମାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ସୀମାନ୍ତ ମାରମା ପଞ୍ଚାୟତରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥା ପକ୍ଷରୁ  ଦୁଇଟି ସୂଚନାଫଳକ ଲଗାଯାଇଛି । ଗୋଟିଏ କାମନାଗୁଡ଼ା ଏବଂ ଅନ୍ୟଟି  ତୋଟାଗୁଡ଼ା ଛକରେ ଲାଗିଛି । ଫଳକରେ  ‘ଫୋକସ୍‌ଡ ରୁରାଲ୍‌ ଡେଭଲପ୍‌ମେଣ୍ଟ  ପ୍ରୋଗ୍ରାମ’ ଏବଂ ତଳେ ମାନ୍ୟମ  ପାର୍ବତୀପୁରମ ଜିଲ୍ଲା ଭାମିନୀ ମଣ୍ଡଳମ୍‌  କୋଟାକଣ୍ଡା ଗାଁ ବୋଲି ଦର୍ଶାଯାଇଛି । ୱାସନ୍‌ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ  ଏହି ସୂଚନାଫଳକ ଲଗାଯାଇଥିବା  ଉଲ୍ଲେଖ ରହିଛି । କିଛିବର୍ଷ ତଳେ  ଆନ୍ଧ୍ରର କେତେକ ଲୋକ ଆସି  ଫଳକ ଲଗାଇଥିବା ଉଭୟ ଗାଁର  ଲୋକେ କହିଛନ୍ତି । ଓଡି଼ଶା ସୀମାନ୍ତ  ଅଞ୍ଚଳରେ ଆନ୍ଧ୍ରର ଫଳକଗୁଡ଼ିକ  ଲାଗିଥିଲେ ବି ଏଥିପ୍ରତି ଓଡ଼ିଶା  ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନର  ଦୃଷ୍ଟିନପଡ଼ିବା ବିଡ଼ମ୍ବନା ବିଷୟ ।    

ସୂଚନାଥାଉକି, ଏହା ପୂର୍ବରୁ  ଆନ୍ଧ୍ରପ୍ରଦେଶ ପକ୍ଷରୁ ମରମା ପଞ୍ଚାୟତ  ଅଞ୍ଚଳରେ ରାସ୍ତା ନିର୍ମାଣ କରାଯାଇଥିଲା । ଏହାକୁ ନେଇ ସେତେବେଳେ ବିବାଦ  ଉପୁଜିଥିଲା । ପରେ ସେହି ରାସ୍ତା କାର୍ଯ୍ୟ  ବନ୍ଦ ହୋଇଥିଲା । ବର୍ତ୍ତମାନ ପୁଣି ସେହି  ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ଯୋଜନାର ଫଳକ ଲାଗି ଥିବାରୁ ଆଉ  ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ।  ଆନ୍ଧ୍ର ପକ୍ଷରୁ କାହିଁକି ଓଡ଼ିଶା ଭିତରେ  ଅନୁପ୍ରବେଶ କରି ବାରମ୍ବାର ବିଭ୍ରାଟ  କରାଯାଉଛି ଏବଂ ଓଡ଼ିଶା ପ୍ରଶାସନର  କିପରି ନଜର ପଡୁନାହିଁ ତାହା ସମସ୍ତଙ୍କୁ  ଚକିତ କରିଛି । ଏହାକୁ ନେଇ ସ୍ଥାନୀୟ  ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।