ଭୁବନେଶ୍ୱର,୩୧/୦୭: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୁଧବାର ଲୋକସେବା ଭବନରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ କଲ୍ୟାଣ ସମ୍ପର୍କରେ ରାଜ୍ୟର ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଛନ୍ତି ।
ଶ୍ରୀ ଆହୁଜା କହିଛନ୍ତି, ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଦାବିସବୁ ଉପସ୍ଥାପନ କରିଛନ୍ତି, ସେସମ୍ପର୍କରେ ବିଚାରବିମର୍ଶ ପୂର୍ବକ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଏଥିରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ବରିଷ୍ଠ ସାମ୍ବାଦିକଙ୍କ ନିମନ୍ତେ ପେନ୍ସନ, ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ, ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ଥିବା ବ୍ୟବସ୍ଥା ଅନୁସାରେ ସାମ୍ବାଦିକ ଓ ସେମାନଙ୍କ ପରିବାକୁ ଦିଆଯାଉଥିବା ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା । ଲୋକସେବା ଭବନକୁ ପ୍ରବେଶ ପାଇଁ ଆବେଦନ କରୁଥିବା ସାମ୍ବାଦିକମାନଙ୍କୁ ପରିଚୟପତ୍ର ପ୍ରଦାନ କିପରି ଶୀଘ୍ର ଓ ସରଳୀକରଣ ହୋଇପାରିବ ସେ ସମ୍ପର୍କରେ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ସରକାରଙ୍କ ପ୍ରଚାର ପ୍ରସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାନୁପାତିକ ହାରରେ ପ୍ରକାଶ ପାଉଥିବା ବିଭିନ୍ନ ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ସ୍ୱାସ୍ଥ୍ୟବୀମାରେ ଥିବା ବିଭିନ୍ନ ସୁବିଧା, ସହାୟତା ଓ ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିବା ପାଇଁ ସମ୍ପୃକ୍ତ ବୀମା କମ୍ପାନି ତୃତୀୟ ପକ୍ଷ ସଂସ୍ଥା (ଟିପିଏ) ସହ ଏକ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।