ଭୁବନେଶ୍ବର, ୩୦/୦୪: ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣକୁ ନେଇ ଗୃହରେ ମହାବିତର୍କ ହୋଇଛି । ଏହି ଦିନିକିଆ ଅଧିବେଶନରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ’ ସମ୍ପର୍କରେ ଆଲୋଚନା ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଅଭିଭାଷଣ ଆରମ୍ଭ କରିଥିଲେ । ସର୍ବ ପ୍ରଥମେ ଗୃହକୁ ସୁନିଶ୍ଚିତ କରାଇ ଦେଇଥିଲେ ଯେ, ଅଧିବେଶନ କେବଳ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକ୍ରାନ୍ତରେ ନୁହେଁ। ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷ ଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୁତ କରାଯାଇଛି। ବର୍ତ୍ତମାନ ସମୟରେ ଆମ ଦେଶ ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଛି । ସମ୍ବିଧାନ ପ୍ରଣିତ ହେବାର ୭୫ ବର୍ଷ ପୁରିଛି, ଦେଶରେ ଅନେକ ପ୍ରଗତି ହୋଇଛି। କିନ୍ତୁ, ଦେଶର ଅଧା ଜନସଂଖ୍ୟା ଆଜି ନିଜକୁ ଠକି ହେଲା ପରି ମନେ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।
ନିଜର ଅଭିଭାଷଣ ଉପସ୍ଥାନ କଲା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, ଗତ ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ । କାରଣ, ସେମାନଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା। ତେଣୁ, SHG ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ମହିଳାମାନେ ସଶକ୍ତ ହୋଇଗଲେ। ହେଲେ ଏହା ଏକ ଭ୍ରାନ୍ତ ଧାରଣା। ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର। ତେଣୁ, ସଶକ୍ତିକରଣର ପ୍ରକୃତ ଅର୍ଥ ହେଉଛି ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶ ସ୍ଵାଧୀନ ହେବାର ପ୍ରାୟ ୮୦ ବର୍ଷ ହୋଇ ଗଲାଣି। ଏହି ଆଠ ଦଶକରେ ଆମ ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହାସଲ କରିସାରିଛନ୍ତି। ସେମାନେ ଘର ଚଳାଇବା ସହିତ ଅଟୋ-ବସ ଚଳାଇବା ଠୁ ଆରମ୍ଭ କରି ଫାଇଟର ପ୍ଳେନ୍ ଉଡାଉଛନ୍ତି। ଆପଣଙ୍କର ମନେଥିବ, ବାଲାକୋଟ୍ ଆକ୍ରମଣ ପରେ ଭରତ-ପାକିସ୍ତାନ ମଧ୍ୟରେ ଯେଉଁ ବିମାନ ଯୁଦ୍ଧ ହୋଇଥିଲା, ସେଥିରେ ପାକିସ୍ତାନର ଫାଇଟର ଜେଟ୍ F-୧୬ ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ Indian Air Forceର ଜଣେ ସାହସୀ ଓ ଦକ୍ଷ ରାଡାର ଇଞ୍ଜିନିୟର। ସେହିପରି ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନାର ଚେହେରା ଥିଲେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂହ। ଏହାହିଁ ହେଉଛି ଆଧୁନିକ ଭାରତର ନାରୀଶକ୍ତି ।
ସେହିପରି ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭୂମିକା ଆହୁରି ଗୁରୁତ୍ବପୂର୍ଣ୍ଣ। UDISE+ ର ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ସ୍କୁଲ ଶିକ୍ଷାରେ ୫୩.୩ ପ୍ରତିଶତ ହେଉଛନ୍ତି ଶିକ୍ଷୟିତ୍ରୀ ଏବଂ ଉଚ୍ଚ ଶିକ୍ଷାରେ ଅଧ୍ୟାପିକାଙ୍କ ସଂଖ୍ୟା ହେଉଛି ୪୩ ପ୍ରତିଶତ। ଅର୍ଥାତ, ଦେଶର ଶିକ୍ଷାଦାନ ବ୍ୟବସ୍ଥା ଅଧିକାଂଶ ଭାବେ ମହିଳାଙ୍କ କାନ୍ଧ ଉପରେ ନ୍ୟସ୍ତ। ଯେଉଁମାନେ ଦେଶର ଭବିଷ୍ୟତ ଗଠନ କରୁଛନ୍ତି, ଯେଉଁମାନେ ଦେଶର ଭାବି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ନେତା ବନେଇବାରେ ମୂଳଦୁଆ ରଖୁଛନ୍ତି, ସେମାନେ କ'ଣ ଦେଶର ନେତୃତ୍ଵ ନେଇ ପାରିବେ ନାହିଁ ? ଆଜିର ନାରୀଶକ୍ତି ଅସାଧ୍ୟ ସାଧନ କରିବାରେ ସମର୍ଥ। ତାଙ୍କୁ କେବଳ ଆବଶ୍ୟକ ଏକ ସମାନ ସୁଯୋଗ, Level Playing Field । କିନ୍ତୁ, ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାଙ୍କୁ ସୁଯୋଗ ଦେବା ପାଇଁ ସବୁବେଳେ କିଛି ନା କିଛି ଅନ୍ତରାୟ ସୃଷ୍ଟି କରାଯାଇଥାଏ । ଏହାର ଉଦାହରଣରେ ମୁଖ୍ୟମନ୍ତ୍ରୀ ସାଂସଦ ଓ ବିଧାନସଭାରେ ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ । କେତେବେଳେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ହେଉ ତ ଆଉ କେତେବେଳେ ମୁସଲିମ୍ ମହିଳାଙ୍କ ପାଇଁ ଆରକ୍ଷଣ ଦାବି ଆଳରେ ଏହି ମାନସିକତା ତାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରିଛନ୍ତି। ଗୃହର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଜାଣିଛନ୍ତି, ଯେ ଭାରତୀୟ ଜନତା ପାର୍ଟି ସବୁବେଳେ ସବୁ ସମୟରେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରି ଆସିଛି। ହେଲେ କଂଗ୍ରେସ ଏହାକୁ ବିରୋଧ କରିଛି । କଂଗ୍ରେସ ପାର୍ଟି ୧୯୮୪ ମସିହାରେ ଲୋକସଭାରେ ୪୧୪ ସିଟ୍ ଏବଂ ରାଜ୍ୟ ସଭାରେ ୧୫୯ ଆସନ ଅକ୍ତିଆର କରିଥିଲା । ଦୁଇ ତୃତୀୟାଂଶ ନୁହେଁ, ତିନି-ଚତୁର୍ଥାଂଶ ଆସନ କଂଗ୍ରେସର ଥିଲା । କିନ୍ତୁ, କାହିଁକି ସେମାନେ ଏହି ଗୁରୁତ୍ବପୂର୍ଣ୍ଣ ବିଲ୍ କୁ ସମର୍ଥନ କଲେ ନାହିଁ । ଆଜି ଯେଉଁମାନେ ଆମ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ସେମାନେ ନିଜର ଇତିହାସ ଜାଣିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ।
ସେହିଭଳି ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିଜେଡି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବାଃ ବାଃ ଲୁଟିବାକୁ ଚେଷ୍ଟା କରୁଛନ୍ତି, ଆଜି ବି ଆଲୋଚନା ସମୟରେ ସେମାନେ ତାହାକୁ ଦୋହରାଇବେ। କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ସଂରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କହିଛନ୍ତି । ଏହାର ଉତ୍ତରରେ ସିଏମ୍ କଟାକ୍ଷ କରି କହିଛନ୍ତି, ବିଜେଡିର ସଦସ୍ୟ ଓ ସଦସ୍ୟା କିମ୍ବା ଦଳର ଆଗାଧାଡିର ନେତାମାନେ ଆଉ ସରପଞ୍ଚ କି ଜିଲ୍ଲା ପରିଷଦ ନିର୍ବାଚନ ଲଢିବେ ନାହିଁ, ତେଣୁ ପଞ୍ଚାୟତ ନିର୍ବାଚନରେ ୧୦୦ ପ୍ରତିଶତ ସଂରକ୍ଷଣ ହେଲେ ବି ତାଙ୍କର କିଛି ଅସୁବିଧା ନାହିଁ, କାରଣ ସେଥିରେ ସେମାନଙ୍କର ସ୍ଵାର୍ଥ ହାନି ହେଉନାହିଁ। କିନ୍ତୁ, ଯଦି ବିଧାନସଭା ଓ ଲୋକସଭା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୁଏ, ତେବେ ନିଶ୍ଚିତ ଭାବେ ତାଙ୍କର ସ୍ଵାର୍ଥ ବାଧିତ ହେବ। ତେଣୁ, କୌଣସି ନା କୌଣସି ବାହାନାରେ ଏହି ବିଲ୍ ବିରୋଧରେ ମତାମତ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ରାଜନୀତିରେ ମହିଳାଙ୍କୁ ଆଗକୁ ଆଣିବା ପାଇଁ ଯେଉଁ ଯୋଗଦାନ ଦେଇଛନ୍ତି ସ୍ଵାଧୀନ ଭାରତରେ ତାହାର ପଟାନ୍ତର ନାହିଁ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଛନ୍ତି ଓଡିଶା ମାଟିର ଝିଅ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା। ତାଙ୍କୁ ରାଷ୍ଟ୍ରପତି ପଦବୀ ଅଳଙ୍କୃତ କରାଇବା ପାଇଁ ଆବଶ୍ୟକ ରାଜନୈତିକ ସମର୍ଥନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବିଜେପି ସରକାର ସମୟରେ ଓଡିଶା ବିଧାନସଭାର ଶୋଭା ବୃଦ୍ଧି କରୁଛନ୍ତି ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କେନ୍ଦ୍ରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ୯ଥର ଲୋକସଭାରେ ବଜେଟ ଉପସ୍ଥାପନା କରି ସର୍ବକାଳୀନ ରେକର୍ଡ କରିଛନ୍ତି । ବିରୋଧୀ ଦଳଙ୍କ କ୍ରମାଗତ ଆକ୍ରମଣ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ ସଂପୂର୍ଣ୍ଣ ଭାବେ ଭରସା କରିଥିଲେ । ଇନ୍ଦିରାଗାନ୍ଧୀଙ୍କ ପରେ ବୋଧ ହୁଏ ନିର୍ମଳା ସୀତାରମଣ ପ୍ରଥମ ମହିଳା ଭାବେ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନିଷ୍ପତ୍ତି ନେବା ବ୍ୟବସ୍ଥା CCS (Cabinet Committee on Security) ଏବଂ CCEA (Cabinet Committee on Economic Affairs)ରେ ନୀରବଚ୍ଛିନ୍ନ ଭାବେ ସାତ ବର୍ଷ ଧରି ଲଗାତାର ସଦସ୍ୟା ରହି ନିଜ ବହୁମୂଲ୍ୟ ମତାମତ ରଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ଦେଶର ନାରୀଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଥମ ଦିନରୁ ହିଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷରେ ମହିଳାଙ୍କ ଜୀବନ ଧାରଣର ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏହାର ଅନେକ ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୬୯ ପ୍ରତିଶତ ଋଣ ଏବଂ ଷ୍ଟାଣ୍ଡ-ଅପ୍ ଇଣ୍ଡିଆର ୮୪ ପ୍ରତିଶତ ହିତାଧିକାରୀ ମହିଳା ଅଟନ୍ତି । ପିଏମ୍ ଆବାସ ଯୋଜନା (PMAY) ଅଧୀନରେ ୭୨ ପ୍ରତିଶତ ଘର ମହିଳାଙ୍କ ନାମରେ ପଞ୍ଜିକୃତ ହୋଇ ସେମାନଙ୍କୁ ପରିବାରରେ ମାଲିକାନା ସ୍ୱତ୍ୱ ପ୍ରଦାନ କରାଯାଇଛି । ଭାରତରେ ୪୩ ପ୍ରତିଶତ ମହିଳା ଗ୍ରାଜୁଏଟ୍ Science, Technology, Engineering ଓ Mathematics ରେ ଶିକ୍ଷା ହାସଲ କରୁଛନ୍ତି । ଏହା ଆଧୁନିକ ଭାରତର ଚିତ୍ର ବଦଳାଇବାରେ ସହାୟକ ହୋଇଛି । ସେହିପରି, ପ୍ରାଥମିକ ଶିକ୍ଷାରେ ୫୭ ପ୍ରତିଶତରୁ ୬୦ ପ୍ରତିଶତ ହେଉଛନ୍ତି ଶିକ୍ଷୟିତ୍ରୀ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୪୫ ପ୍ରତିଶତ ହେଉଛନ୍ତି ଅଧ୍ୟାପିକା। ଏଥିରୁ ଜାଣିପାରୁଥିବେ ରାଷ୍ଟ୍ର ଗଠନ ଦିଗରେ ମହିଳାଙ୍କ ଭୂମିକା କେତେ ଅଧିକ ବୋଲି ମୋହନ ମାଝୀ କହିଛନ୍ତି ।
ସିଏମ୍ ମାଝୀ ଆହୁରି ମଧ୍ୟ କହିଛନ୍ତି, ବିକଶିତ ଭାରତ ପାଇଁ ‘ସମୃଦ୍ଧ ଓଡ଼ିଶା’ ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ । ଏହି ଯାତ୍ରାରେ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’ । ଏହା କେବଳ ଏକ ସହାୟତା ରାଶି ନୁହେଁ, ବରଂ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ‘ଆତ୍ମନିର୍ଭର’ କରିବାର ଏକ ମହାନ ପ୍ରୟାସ । ‘ସୁଭଦ୍ରା’ରୁ ଆରମ୍ଭ କରି ‘ଲକ୍ଷପତି ଦିଦି’ ପର୍ଯ୍ୟନ୍ତ ଏହି ଯାତ୍ରା ଓଡ଼ିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଗରିବ ପରିବାରର କନ୍ୟାମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ୩୮୮ ଜଣ କନ୍ୟାଙ୍କ ବିବାହ ପାଇଁ ୧ କୋଟି ୭୧ ଲକ୍ଷ ଟଙ୍କାରୁ ଅଧିକ ରାଶି ସିଧାସଳଖ DBT ମାଧ୍ୟମରେ ପ୍ରଦାନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଏଥିରେ ୧୧ କୋଟି ୮୩ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ।
ମା’ର ସ୍ୱାସ୍ଥ୍ୟ ହିଁ ସୁସ୍ଥ ସମାଜର ମୂଳଦୁଆ । ଏହାକୁ ଆଧାର କରି ୧୪ ମେ’ ୨୦୨୫ରେ ରାଜ୍ୟରେ ‘ମମତା ଯୋଜନା’ ଏବଂ କେନ୍ଦ୍ରର ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ଏକୀକୃତ କରିଛୁ । ଏହି ମିଳିତ ପ୍ରୟାସ ଦ୍ୱାରା ୨୦୨୫-୨୬ ବର୍ଷରେ ୪ ଲକ୍ଷ ୫୭ ହଜାର ମହିଳାଙ୍କୁ ପ୍ରାୟ ୪୯୬ କୋଟି ୩୭ ଲକ୍ଷ ଟଙ୍କାର ସହାୟତା ମିଳିଛି। ସେହିପରି ‘ପୋଷଣ ଅଭିଯାନ’ରେ ୨୦୨୬ ମାର୍ଚ୍ଚ ସୁଦ୍ଧା ୧୪୪ କୋଟି ଟଙ୍କା ବ୍ୟୟ କରାଯାଇ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପୁଷ୍ଟି ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ପିଲାମାନଙ୍କ ପାଇଁ ଆମର ‘ଆଶୀର୍ବାଦ’ ଯୋଜନା ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ତୃଣମୂଳ ସ୍ତରରେ ‘ନାରୀ ଅଦାଲତ’ ଗଠନ କରାଯାଇଛି । ସାରା ଦେଶରେ ୯୨୬ଟି ୱାନ୍ ଷ୍ଟପ୍ ସେଣ୍ଟର କାର୍ଯ୍ୟକ୍ଷମ ହେବା ସହ ମାତୃତ୍ୱ ଅବକାଶକୁ ୧୨ରୁ ୨୬ ସପ୍ତାହକୁ ବୃଦ୍ଧି କରି ବିଜେପି ସରକାର ମହିଳାଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରମାଣିତ କରିଛନ୍ତି । ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଆଜି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଆର୍ଥିକ ଶକ୍ତି ପ୍ରଦାନ କରିବା ପାଇଁ ଆମେ ୨୦୨୫-୨୬ ବର୍ଷରେ ୩ ଲକ୍ଷ ୮୦ ହଜାର SHG ଗୋଷ୍ଠୀକୁ ୭୨୪ କୋଟି ୩୨ ଲକ୍ଷ ଟଙ୍କାର ସୁଧ ଫେରସ୍ତ କରାଯାଇଛି । ଆଗାମୀ ଦିନରେ ୧୦ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣରେ ସୁଧ ଫେରସ୍ତ ବ୍ୟବସ୍ଥା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ବର୍ତ୍ତମାନ ମହିଳାମାନେ କେବଳ ଭୋଟର ନୁହନ୍ତି, ବରଂ ସକ୍ରିୟ ଭାଗୀଦାର ହୋଇଛନ୍ତି । ଦେଶର ତୃଣମୂଳ ସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରୁଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଏହି ପ୍ରତିନିଧିତ୍ୱକୁ ଅଧିକ ଗତି ଦେବା ପାଇଁ ଉଦ୍ଦିଷ୍ଟ। ତେଣୁ ଏହାକୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ, ସେଥିରେ ବିରୋଧୀଦଳ ବ୍ରେକ୍ ଲଗାଇ ନିଜ ସଙ୍କୁଚିତ ମାନସିକତାର ପ୍ରମାଣ ଦେଇଛନ୍ତି । ହେଲେ, ଏହା ଏକ ସାମୟିକ ବିରତି। ଆଗାମୀ ଦିନରେ ମୋଦୀ ଜୀ ୨୦୨୯ରୁ ହିଁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ସଂରକ୍ଷଣ ବ୍ୟବସ୍ଥା କରିବେ।
ଅଧିକ ପଢନ୍ତୁ- ନବୀନଙ୍କୁ ପ୍ରଭାତୀଙ୍କ ଶାଣିତ ପ୍ରହାର: କହିଲେ "୨୫ ବର୍ଷ କ’ଣ କରୁଥିଲେ ? ଏବେ କୁମ୍ଭୀର କାନ୍ଦଣା କାହିଁକି ?”
ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏହି ବିଲ୍ ଉପରେ ବିଶଦ ଆଲୋଚନା କରିବା ପାଇଁ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ଚିଠି ଲେଖିଥିଲେ। ସେଥିରେ ଆସନକୁ ନେଇ କିଛି ଉଦବେଗ୍ ପ୍ରକାଶ କରିଥିଲେ । କିନ୍ତୁ, ଏ କଥାକୁ ନେଇ ସାଂସଦରେ ଗୃହମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଲୋକସଭାରେ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି ପାଇବ। ତେଣୁ ସେହି ଅନୁପାତରେ ଓଡିଶା ବିଧାନସଭା ଆସନ ସଂଖ୍ୟା ବି ୫୦ ପ୍ରତିଶତ ବୃଦ୍ଧି ପାଇ ଥାଆନ୍ତା। ତେଣୁ, ବିରୋଧୀ ଦଳଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ। ଏହା ଦ୍ଵାରା ତାଙ୍କ ସ୍ଵାର୍ଥରେ କୌଣସି ଆଞ୍ଚ ବି ଆସି ନଥାନ୍ତା ବୋଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁଖମ୍ୟନ୍ତ୍ରୀ ମୋହନ ମାଝୀ କହିଛନ୍ତି ।...