ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ: ଗୋଟିଏ ଦିନରେ ଦୁଇ ଗୋଷ୍ଠୀର ଅଲଗା ଅଲଗା ବନ୍ଧୁମିଳନ ଉତ୍ସବ

Published By : Prameya | January 23, 2025 11:11 AM

ଭୁବନେଶ୍ୱର,୨୩/୦୧: ପୁଣି  କଂଗ୍ରେସର ଗୋଷ୍ଠୀ କନ୍ଦଳ ଦେଖିବାକୁ  ମିଳିଛି । ବୁଧବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ତାଙ୍କ ସରକାରୀ ବାସଭବନରେ ଏକ ବନ୍ଧୁମିଳନ ଉତ୍ସବ ରଖିଥିଲେ । ସେଥିରେ ଶ୍ରୀ କାଡ଼ାମଙ୍କ ସମେତ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ବହୁ  ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଭୁବନେଶ୍ୱରର ପୂର୍ବତନ ଜିଲ୍ଲା  କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ  ନେତୃତ୍ୱରେ ଆଉ ଏକ ବନ୍ଧୁମିଳନ  ଉତ୍ସବ ଧଉଳିରେ ଅନୁଷ୍ଠିତ ହେଉଥିଲା । ସେହି ଉତ୍ସବରେ ପୂର୍ବତନ ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକ,  ଜୟଦେବ ଜେନାଙ୍କ ସମେତ ବହୁ  କଂଗ୍ରେସ ନେତା ଯୋଗଦେଇଥିଲେ । 

ଅପରପକ୍ଷେ ସୋମବାର  ଯୁବ କଂଗ୍ରେସର ଜନ ଅସନ୍ତୋଷ  ସମାବେଶରେ ନିରଞ୍ଜନ ପଟ୍ଟନାୟକ,  ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରା ବାହିନୀପତି ପ୍ରମୁଖଙ୍କୁ ଦେଖିବାକୁ  ମିଳିଥିବା ବେଳେ କଂଗ୍ରେସ ବିଧାୟକ ଦଳ  ନେତା ଶ୍ରୀ କାଡାମ, ମୋକିମ କିମ୍ବା ତାଙ୍କ  ଝିଅ ତଥା ବିଧାୟିକା ସୋଫିଆ ଫିରଦୋଷ  ସମେତ ବହୁ ଯୁବ ବିଧାୟକଙ୍କୁ ଦେଖିବାକୁ  ମିଳିନଥିଲା । ତେବେ ଏଭଳି ସ୍ଥିତି ଦେଖି  କଂଗ୍ରେସର ନେତାମାନଙ୍କ ମଧ୍ୟରେ ଥିବା  ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଲାଣି ।  ତେବେ ନୂଆ ପିସିସି ସଭାପତି ନେଇ କଂଗ୍ରେସର ଭିନ୍ନ ଭିନ୍ନ ନେତାଙ୍କ ଭିନ୍ନ  ମତ ଦେଖିବାକୁ ମିଳିଛି । ପୂର୍ବତନ  ପିସିସି ଜୟଦେବ ଚଳିତ ମାସ ଶେଷ  ସୁଦ୍ଧା ନୂଆ ପିସିସି ସଭାପତି ନିଯୁକ୍ତ  ହେବେ ବୋଲି କହିଥିବା ବେଳେ  ନିରଞ୍ଜନ କିନ୍ତୁ କେତେବେଳେ ଓ କେଉଁ  ମୁହୁର୍ତ୍ତରେ ହେବ କହି ହେବନି ବୋଲି  କହିଛନ୍ତି । ସେ ନିଜେ ଯେବେ ପିସିସି  ସଭାପତି ହୋଇଥିଲେ, ଜାଣିନଥିଲେ  ବୋଲି ନିରଞ୍ଜନ କହିଛନ୍ତି । ହେଲେ ଏ  ସମସ୍ତ ଘଟଣାରେ କଂଗ୍ରେସ ବିଧାୟକ  ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି, ଆମ  ଭିତରେ କୌଣସି ପ୍ରତିଯୋଗିତା ନାହିଁ ।  ମୁଁ ନୂଆ ବର୍ଷ ପାଇଁ ଏକ ବନ୍ଧୁ ମିଳନ  କରିଛି । ଏମାସ ଶେଷ କିମ୍ୱା ଫେବ୍ରୁଆରୀ  ମାସ ଆରମ୍ଭରୁ ନୂଆ ପିସିସି ସଭାପତି  ଓଡ଼ିଶାକୁ ମିଳିବ । ଏ ନେଇ ଶୀର୍ଷ  ନେତୃତ୍ୱଙ୍କ ସହ ମୋର ଆଲୋଚନା  ହୋଇଛି । ଲୋକେ କଂଗ୍ରେସକୁ  ଚାହିଁଲେଣି ବୋଲି ଶ୍ରୀ କାଡାମ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.