ଭୁବନେଶ୍ୱର,୦୮/୦୪: ଅହମ୍ମଦାବାଦରେ ପ୍ରସ୍ତୁତ ହେବ ଓଡ଼ିଶା କଂଗ୍ରେସର ଭବିଷ୍ୟତ ରଣନୀତି । ରାଜ୍ୟରେ କଂଗ୍ରେସ ଆଗକୁ କେମିତି ଅଧିକ ମଜଭୁତ ହେବ ସେ ନେଇ ଏଆଇସିସି ବୈଠକରେ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍ । ମଙ୍ଗଳବାର ଓ ବୁଧବାର ଅହମ୍ମଦାବାଦରେ ଏଆଇସିସି ବୈଠକ ହେବ । ଏହି ବୈଠକରେ ଓଡ଼ିଶାରୁ ୪୮ ଜଣ ବରିଷ୍ଠ ନେତା ଯୋଗଦେବେ । ସେଠାରେ ରାଜ୍ୟରେ ୯ ମାସ ହେବ କଂଗ୍ରେସର କମିଟି ନଥିବା ନେଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ । କେମିତି ଶୀଘ୍ର କମିଟି ହେବ, କେଉଁ କେଉଁ ପ୍ରସଙ୍ଗରେ ଦଳ ରାଜ୍ୟରେ ଲଢ଼େଇ ଜାରି ରଖିବ, ଏସବୁ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ କରାଯିବ ।
ଏଆଇସିସି ବୈଠକରେ ଯୋଗ ଦେବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ବିଧାୟକ ରମେଶ ଜେନା, ପୂର୍ବତନ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଅହମ୍ମଦାବାଦ ଗସ୍ତ କରିଛନ୍ତି।
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୀଘ୍ର ଓଡ଼ିଶା ଆସିବେ । ଏମାନଙ୍କ ଗସ୍ତକୁ ଲକ୍ଷ୍ୟ ରଖି ରାଜଧାନୀରେ ହେବ ବିଶାଳ କାର୍ଯ୍ୟକ୍ରମ । ଏ ନେଇ ପିସିସି ସଭାପତି ଭକ୍ତଙ୍କ ସହ ଆଲୋଚନା ହୋଇଥିବା ସୁର ରାଉତରାୟ ସୂଚନା ଦେଇଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏଆଇସିସି ସାଧାରଣ ଅଧିବେଶନରେ ସାରା ଦେଶରେ କଂଗ୍ରେସର ଆଗାମୀ ଦିନର ରଣନୀତି ଚୂଡ଼ାନ୍ତ ହେବ । ୨୦୨୯ରେ କଂଗ୍ରେସ କେମିତି ବିଭିନ୍ନ ରାଜ୍ୟରେ ଓ ଦେଶରେ ଆସିବ, ସେ ବାବଦରେ ଆଲୋଚନା କରାଯିବ । ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ନେଇ ଆଲୋଚନା ହେବ ବୋଲି ବିଶ୍ୱ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୨୧ରୁ ରାଜ୍ୟରେ ନାହିଁ କଂଗ୍ରେସ କମିଟି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି କମିଟିକୁ ସେତେବେଳେ ଭାଙ୍ଗିଥିଲେ । ଯାହା ଆଜି ପର୍ଯ୍ୟନ୍ତ ଗଢ଼ାଯାଇନି । ଯଦିବା ଏଆଇସିସି ସଭାପତି ଗତ ଫେବ୍ରୁଆରୀ ୧୧ରୁ ନୂଆ ପିସିସି ସଭାପତି ଭାବେ ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି, ହେଲେ ଏ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ କମିଟି ଗଢ଼ା ଯାଇପାରିନି ।